ସାଂସଦଙ୍କୁ ମୋଦୀଙ୍କ ମନ୍ତ୍ର । କିରଣ ରିଜିଜୁ କହିଲେ, ଏନଡିଏ ସାଂସଦଙ୍କୁ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ।

231

କନକ ବ୍ୟୁରୋ : ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଭିଭାଷଣ ରଖିବେ । ତେବେ ଏହାପୂର୍ବରୁ ଆଜି ଏନଡିଏର ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବୈଠକ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦଙ୍କୁ ଅନେକ ପରାମର୍ଶ ଦେଇଛନ୍ତି ।

କିରଣ ରିଜିଜୁ କହିଛନ୍ତି, ସଂସଦରେ ରାହୁଲ ଗାନ୍ଧୀ ଯେଉଁ ଭାଷାରେ କହୁଛନ୍ତି ତାହା ଠିକ୍ ନୁହେଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ସାଂସଦଙ୍କୁ କହିଛନ୍ତି ସଂସଦରେ ରାହୁଲଙ୍କ ଭଳି ବ୍ୟବହାର କରିବା ନାହିଁ । ଏହାସହ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଏନଡିଏ ସଂସଦୀୟ ଦଳ ବୈଠକରେ କହିଛନ୍ତି, ସଂସଦରୁ ଶିଖିବା ଠାରୁ ଭଲ ସ୍ଥାନ ନାହିଁ । ତେଣୁ ସାଂସଦ ମାନେ ଯେତେ ହୋଇପାରିବ ଶିଖନ୍ତୁ । ନୂଆ ସାଂସଦ ମାନେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଯାଆନ୍ତୁ । କିଛି ଦଶକ ଧରି ନିର୍ଦ୍ଦିଷ୍ଟ ପରିବାର ପ୍ରଧାନମନ୍ତ୍ରୀ ଚୌକି ଉପରେ କବଜା କରି ରଖିଥିଲେ । ସେଠାକୁ ଯାଇ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସଫଳତାର ଯାତ୍ରା ବାବଦରେ ଜାଣିବା ସହ ସେମାନଙ୍କର ଅନୁଭବରୁ ଶିଖିବା ଉଚିତ୍ । ନେହେରୁଙ୍କ ପରେ ଅନେକ ପ୍ରଧାନମନ୍ତ୍ରୀ ଆସିଛନ୍ତି । କିଛି ଜଣ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇ ତ ପୁଣି କିଛି ରିମୋଟ ଦ୍ୱାରା ପରିଚାଳିତ ହୋଇ । ନେହେରୁଙ୍କ ପରେ ଲଗାତାର ୩ଥର ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ହେବା ଯାହା କେହି କରିପାରିନଥିଲେ ତାହାକୁ ଜଣେ ଚା ବାଲା କିଭଳି କରିପାରିଲା । ଏହି ସଫଳତା ଦେଖି କିଛି ଲୋକ ଛଟପଟ ହେଉଛନ୍ତି ।