ୟେସ୍ ବ୍ୟାଙ୍କରେ ଫଶିଛି ବଡ ଠାକୁରଙ୍କର ୫୪୫ କୋଟି ଜମା ରାଶି । ପ୍ରଶ୍ନ ଉଠିଲା, ରାଷ୍ଟ୍ରାୟତ ବ୍ୟାଙ୍କ ବଦଳରେ ଘରୋଇ ବ୍ୟାଙ୍କରେ କାହିଁକି ରଖାଯାଉଥିଲା ଏତେ ଟଙ୍କା ।

260

କନକ ବ୍ୟୁରୋ : ଅସୁରକ୍ଷିତ ହୋଇପଡ଼ିଛି ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା । ୟେସ୍ ବ୍ୟାଙ୍କ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଶ୍ରୀମନ୍ଦିରର ଜମା ଥିବା କୋଟି କୋଟି ଟଙ୍କା ଫେରିବ କି ନାହିଁ ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି । ରାଷ୍ଟ୍ରାୟତ ବ୍ୟାଙ୍କ ବଦଳରେ କାହିଁକି ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିରର ଏତେ ଟଙ୍କା ଜମା ରଖାଯାଇଥିଲା, ଏ ନେଇ ପ୍ରଶ୍ନ ଉଠିଛି । ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ ୟେସ୍ ବ୍ୟାଙ୍କରୁ ଜଣେ ଗ୍ରାହକ ମାତ୍ର ୫୦ ହଜାର ଟଙ୍କା ଉଠାଇ ପାରିବେ ବୋଲି କଟକଣା ଜାରି କରିଛନ୍ତି ରିଜର୍ଭ ବ୍ୟାଙ୍କ । ଏପଟେ ଟଙ୍କା ଉଠାଇବା ପାଇଁ ଭୁବନେଶ୍ୱର ସମେତ ସାରା ଦେଶରେ ଥିବା ୟେସ୍ ବ୍ୟାଙ୍କର ଶାଖାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ୟେସ୍ ବ୍ୟାଙ୍କରେ ଦେବାଳିଆ ସ୍ଥିତି ଉପୁଜିଥିବା ବେଳେ ଏହି ବ୍ୟାଙ୍କରେ ଜମାଥିବା ଶ୍ରୀମନ୍ଦିରର କୋଟି କୋଟି ଟଙ୍କା ଏବେ ଅନିଶ୍ଚତତା ଆଡକୁ ଠେଲି ହୋଇଯାଇଛି । ୟେସ୍ ବ୍ୟାଙ୍କ ଅତି ସଂକଟଜନକ ସ୍ଥିତି ଦେଇ ଗତି କରୁଥିବାରୁ ରିଜର୍ଭ ବ୍ୟାଙ୍କ ଏଥିରେ ହସ୍ତକ୍ଷେପ କରି ଜଣେ ଗ୍ରାହକ ମାସକୁ ମାତ୍ର ୫୦ ହଜାର ଟଙ୍କା ଉଠାଇ ପାଇବ ବୋଲି କଟକଣା ଲଗାଇଛନ୍ତି । ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ଜଗନ୍ନାଥଙ୍କ ଟଙ୍କାର ସୁରକ୍ଷା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ରହିଛି ।

ଅଧିକ ସୁଧର ଆଶା ରଖି ଟେଣ୍ଡର ଜରିଆରେ ଜଗନ୍ନାଥଙ୍କ କୋଟି କୋଟି ଟଙ୍କା, ରାଷ୍ଟ୍ରାୟତ ବ୍ୟାଙ୍କ୍ ବଦଳରେ ୟେସ୍ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ଜମା ରଖିଥିଲେ ଶ୍ରୀମନ୍ଦିର ପ୍ରଶାସନ । ବ୍ୟାଙ୍କ ଦିନକୁ ଦିନ ଦୁର୍ବଳ ହେଉଥିଲା, ହେଲେ ସେଥିପ୍ରତି ନା ନଜର ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସନ ନା ରାଜ୍ୟ ସରକାର । ସେପଟେ ତିରୁପତି ମନ୍ଦିର ଟ୍ରଷ୍ଟ ଜମା ରଖିଥିବା ୧୩୦୦ କୋଟି ଟଙ୍କା ନିକଟରେ ୟେସ୍ ବ୍ୟାଙ୍କରୁ ଉଠାଇ ନେଇଥିଲା । ହେଲେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସରକାର ଏ ନେଇ ତତ୍ପରତା ଦେଖାଇ ନଥିଲେ । ଏବେ ନଜର ପକାନ୍ତୁ ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ରହିଛି କେତେ ଟଙ୍କା?

୩୦ ସେପ୍ଟେମ୍ବର ୨୦୧୯ ସୁଦ୍ଧା ଶ୍ରୀମନ୍ଦିରର ୫୯୨ କୋଟି ଟଙ୍କା ଜମା କରାଯାଇଥିଲା
ସ୍ଥାୟୀ ଜମା ଆକାରରେ ୫୪୫ କୋଟି ଟଙ୍କା
ଫ୍ଲେକ୍ସି ଜମା ଆକାରରେ ଥିଲା ୪୭ କୋଟି
ନିକଟରେ ୪୭ କୋଟିର ଫ୍ଲେକ୍ସି ଜମା ରାଶି ଉଠା ଯାଇଥିଲା
ମାର୍ଚ୍ଚ ମାସ ୧୯ ଓ ୩୦ ତାରିଖରେ ୫୪୫ କୋଟି ଟଙ୍କାର ସ୍ଥାୟୀ ଜମା ରାଶି ପରିପକ୍ୱ ହୋଇଥାନ୍ତା

ହେଲେ ଏହା ପୂର୍ବରୁ ସୃଷ୍ଟି ହୋଇଛି ସଂକଟଜନକ ସ୍ଥିତି । ଏପଟେ ୟେସ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ କେମିତି ଏତେ ଟଙ୍କା ଜମା କରିବାକୁ ସରକାର ନିଷ୍ପତି ନେଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ୟେସ୍ ବ୍ୟାଙ୍କ ଦୋଦୁଲ୍ୟମାନ ସ୍ଥିତିରେ ପହଁଚିଥିବାରୁ ଏହି ବ୍ୟାଙ୍କରେ ଟଙ୍କା ରଖିଥିବା ଗ୍ରାହକଙ୍କ ମଧ୍ୟରେ ଚଡ଼କ ପଡ଼ିଛି । ଭୁବନେଶ୍ୱର ସମେତ ସାରା ଦେଶରେ ଥିବା ୟେସ୍ ବ୍ୟାଙ୍କ ଶାଖା ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଶ୍ରୀମନ୍ଦିରର ଟଙ୍କା ମିଳିବା ନେଇ ଦ୍ୱନ୍ଦ ଦେଖାଯାଇଛି । ସାଧାରଣ ଲୋକଙ୍କ ଠାରୁ ସେବାୟତ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଆଶଙ୍କା ଉପୁଜିଛି । ୟେସ୍ ବ୍ୟାଙ୍କ ଋଣ ଆକାରରେ ପ୍ରଦାନ କରିଥିବା କୋଟି କୋଟି ଟଙ୍କା ବୁଡି ଯାଇଥିବାରୁ ବ୍ୟାଙ୍କ୍ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି । ୟେସ୍ ବ୍ୟାଙ୍କର ପରିଚାଳନା ବୋର୍ଡକୁ ଏବେ ନିଜ ହାତକୁ ନେଇଛି ରିଜର୍ଭ ବ୍ୟାଙ୍କ ।

ୟେସ୍ ବ୍ୟାଙ୍କର ସ୍ଥିତିକୁ ନେଇ ଉପୁଜିଥିବା ସନ୍ଦେହ ଏବେ ଶ୍ରୀମନ୍ଦିରର ୫ଶହ ୪୫ କୋଟି ଟଙ୍କାର ଭବିଷ୍ୟତକୁ ଆଶା ଓ ଆଶଙ୍କା ଭିତରକୁ ଠେଲି ଦେଇଛି । ଆଉ ଠିକ୍ ଏତିକି ବେଳେ କନକ ନ୍ୟୁଜ୍ ଆରମ୍ଭ କରିଛି ଏକ ଅଭିଯାନ । ଯାହାର ନାଁ ରଖାଯାଇଛି- ସୁରକ୍ଷିତ ରହୁ ଶ୍ରୀମନ୍ଦିର ଟଙ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଜଣେ ଓଡ଼ିଆ ଥିବାରୁ ଜଗନ୍ନାଥଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ମିଳିତ ଭାବେ ଓଡ଼ିଶାବାସୀ ତାଙ୍କୁ ନିବେଦନ କରାଯାଉଛି । ଆଉ ଏହି କ୍ୟାମ୍ପେନ୍ରେ ସାମିଲ ହୋଇ ଅଭିଯାନକୁ ସମର୍ଥନ କରିଛନ୍ତି ଓଡ଼ିଶାର କିଛି ବୁଦ୍ଧୀଜୀବୀ ।

ୟେସ୍ ବ୍ୟାଙ୍କକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ତା ଭିତରେ ବ୍ୟାଙ୍କ ସମ୍ପର୍କରେ ଏକ ବଡ଼ ଟିପ୍ପଣୀ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ନିର୍ମଳା ସୀତାରମଣ କହିଛନ୍ତି- ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି । ସେହିପରି ଏହି ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖିଛନ୍ତି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।