ତାଲାବନ୍ଦ ନେଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ଅଧ୍ୟକ୍ଷାଙ୍କ ପ୍ରଶ୍ନ: ମେ’ ୧୭ ପରେ କଣ ହେବ? କେଉଁ ଆଧାରରେ ତାଲାବନ୍ଦ ବୃଦ୍ଧି ପାଇଁ ନିଷ୍ପତି ନେଉଛନ୍ତି ସରକାର

3,704

କନକ ବ୍ୟୁରୋ: ତାଲାବନ୍ଦ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧି । କଂଗ୍ରେସ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସୋନିଆ ପ୍ରଶ୍ନ କରିଛନ୍ତି, ଆସନ୍ତା ୧୭ ତାରିଖ ପରେ କଣ ହେବ । ସରକାର କେଉଁ ଆଧାରରେ ନିଷ୍ପତି ନେଉଛନ୍ତି ତାଲାବନ୍ଦ ବଢିବ ନା ନାହିଁ । ଆଉ ସୋନିଆଙ୍କ ସ୍ୱର ସହ ସ୍ୱର ମିଳାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସେ କହିଥିଲେ, ସରକାର ସ୍ପଷ୍ଟ କରିବା ଉଚିତ ତାଲାବନ୍ଦ ପରେ ସରକାରଙ୍କ ପାଖରେ କଣ ଯୋଜନା ରହିଛି । ଆଜି କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ପଞ୍ଜାବ, ଛତିଶଗଡ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ତାଲାବନ୍ଦ ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ ସୋନିଆ ।

ଏଥିରେ ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କଠାରୁ ପ୍ୟାକେଜ ଦାବି କରିଥିଲେ । ସେମାନେ ଅଭିଯୋଗ କରିଥିଲେ, କେନ୍ଦ୍ର ଏ ବାବଦରେ ଶୁଣୁନାହିଁ । ଜୋନ ନିର୍ଧାରଣ କରିବାରେ ବି କେନ୍ଦ୍ର ସରକାର ପାତରଅନ୍ତର କରୁଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ କେନ୍ଦ୍ରଠାରୁ ପ୍ୟାକେଜ ଦାବି କରିଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ତାଲାବନ୍ଦ ନେଇ ତୁଷ୍ଟିକରଣ ନୀତି ଆପଣାଉଛନ୍ତି । ଆଜିର ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଓ ଅନ୍ୟ ନେତା ଉପସ୍ଥିତ ଥିଲେ ।