କରୋନା ସମୟରେ କେମିତି ହେବ ପରୀକ୍ଷା ? ଅଫଲାଇନ ବଦଳରେ, ଅନଲାଇନରେ ପରୀକ୍ଷା କରିବାକୁ ବିଭିନ୍ନ ଇଂଜିନିୟରିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଦାବି ।

138

କନକ ବ୍ୟୁରୋ: ଦେଶର କରୋନା ଗ୍ରାଫ ଉପରମୁହାଁ । ସେହିପରି ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶର କରୋନା ସ୍ଥିତିକୁ ନେଇ ଆଜି କେନ୍ଦ୍ର ସରକାରଙ୍କ ତରଫରୁ ନୀତି ଆୟୋଗର ସଦସ୍ୟ ଭି.କେ ପଲ୍ ସତର୍କବାଣୀ ଶୁଣାଇଛନ୍ତି । ସେ କହିଛନ୍ତି, ଏପରିକି କରୋନା ମୁକାବିଲା ପାଇଁ ଦେଶରେ ତିଆରି ହୋଇଥିବା ସୁରକ୍ଷା ବ୍ୟବସ୍ଥାକୁ ଭାଇରସ ଭେଦ କରିଯାଇପାରେ ବୋଲି ଆଶଙ୍କା କରୁଛନ୍ତି । ଏହାରି ଭିତରେ ରାଜ୍ୟରେ ଏବେ କରୋନାର ନୂଆ ଠିକଣା ପାଲଟିଛି କଲେଜ କ୍ୟାମ୍ପସ । ପ୍ରତିିଦିନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ଖବର ଆସିବାରେ ଲାଗିଛି । ସବୁଠୁ ଉଦବେଗଜନକ ହୋଇଛି ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଭୁବନେଶ୍ୱର ଆଇଆଇଟି, ରାଉରକେଲାର ଏନଆଇଟି ଠାରୁ ଆରମ୍ଭ କରି କଟକ, ସମ୍ବଲପୁର, ଝାରସୁଗୁଡାର କିଛି କଲେଜରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇଆଇଟି ଭୁବନେଶ୍ୱରରେ ମୋଟ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିିତ କ୍ୟାମ୍ପସରେ ଆଇସୋଲେସନରେ ଅଛନ୍ତି । ଏନଆଇଟି ରାଉରକେଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ରହିଛି । ଏନଆଇଟିର ସବୁ ପରୀକ୍ଷା ଅନଲାଇନରେ ହେବ ବୋଲି କଲେଜ କତ୍ରୁପକ୍ଷ ସୂଚନା ଦେଇଥିଲେ । ଭବାନିପାଟଣାରେ ପ୍ରଗତି କଲେଜରେ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

କଟକର ଘରୋଇ ସ୍କୁଲରେ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଫଲାଇନ ବଦଳରେ ଅନଲାଇନରେ ପରୀକ୍ଷା କରିବାକୁ ବଢ଼ୁଛି ବିଭିନ୍ନ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ଦାବି । କଟକ ସ୍ଥିତ ବୋଷ ଇଞ୍ଜିନିୟରିଂ ସ୍କୁଲ, ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଓ ରାଉରକେଲା ୟୁଜିଆଇଇ ଏବଂ ଡ଼ିଏଭି ପଲିଟେକ୍ନିକର ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀ କଲେଜ ଗେଟରେ ତାଲା ପକାଇ, ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବୋଷର ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି, କଲେଜ ଗେଟ ଆଗରେ ଟାୟାର ଜାଳି ବିରୋଧ କରିଛନ୍ତି । ବୋଷ କଲେଜରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମଧ୍ୟ କଲେଜ କର୍ତୃପକ୍ଷ ଘଟଣାକୁ ଚପେଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ଛାତ୍ର । ଆସନ୍ତାକାଲିଠାରୁ ହେବାକୁ ଥିବା ତୃତୀୟ ଓ ଷଷ୍ଠ ସେମିଷ୍ଟାରକୁ ଅନଲାଇନ ମାଧ୍ୟମରେ କରିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ଅଫ ଲାଇନ ପରୀକ୍ଷା ନିଷ୍ପତିରୁ ଇଂଜିନିୟରିଂ ସ୍କୁଲ କର୍ତୃପକ୍ଷ ନ ଓହରିଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ବିକ୍ଷୋଭକାରୀ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଶିକ୍ଷାନୁଷ୍ଠାନରେ ମାଡୁଛି କରୋନା । ଆଗକୁ ମାଟ୍ରିକ ପରୀକ୍ଷା ଅଛି, ପରିସ୍ଥିତି ନିୟନ୍ତ୍ରଣକୁ ନଆସିଲେ କିପରି ପରୀକ୍ଷା କରାଯିବ, ଏ ନେଇ ଆଶଙ୍କା ବଢୁଛି । କ୍ୟାମ୍ପସରେ କରୋନା ବଢୁଥିବାବେଳେ କେମିତି ହେବ ଆଗକୁ ଥିବା ପରୀକ୍ଷା ? ଅନଲାଇନ ପରୀକ୍ଷା ହୋଇପାରିବ କି ବିକଲ୍ପ ? ଅଫଲାଇନ ପରୀକ୍ଷା ହେଲେ ବଢିବନି ତ ସଂକ୍ରମଣ ? ଯଦି ଅଫଲାଇନ ପରୀକ୍ଷା ହୁଏ ତେବେ ପାଳନ ହୋଇପାରିବ କି ଏସଓପି ? ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇ୍ଛି ।