ସ୍କୁଲ ଖୋଲିବା ନେଇ କ’ଣ ରହିବ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ? ଅକ୍ଟୋବର ୧୫ରୁ ସ୍କୁଲ ଖୋଲିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର ।

981

କନକ ବ୍ୟୁରୋ : ଅନଲକ୍-୫ରେ ଅକ୍ଟୋବର ୧୫ ତାରିଖ ପରେ ସ୍କୁଲ ଖୋଲିବା ନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ସ୍କୁଲ ଓ ପରିଚାଳନା କମିଟି ସହ ଆଲୋଚନା କରି ନିଷ୍ପତି ନେଇ ପାରିବେ ରାଜ୍ୟ ସରକାର । ଅକ୍ଟୋବର ୧୫ରୁ ଧିରେ ଧିରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ପଦକ୍ଷେପ ନେଇପାବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ହେଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କଣ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର ।

କୋଭିଡ ଯୋଗୁଁ ଦୀର୍ଘଦିନ ହେବ ସ୍କୁଲ କଲେଜ ବନ୍ଦ ରହିଛି । ସଂକ୍ରମଣ ଆଶଙ୍କା ନେଇ ଅନଲାଇନରେ ପାଠ ପଢା ଯାଉଛି । ପରୀକ୍ଷା ମଧ୍ୟ ଅନ ଲାଇନରେ ହେଉଛି । ତେଣୁ ଚଳିତ ବର୍ଷ ପାଇଁ ପାଠପଢା କେବଳ ଅନଲାଇନ ମାଧ୍ୟମରେ ହେଉଛି । ତେଣୁ ଚଳିତ ବର୍ଷ ପାଠ ପଢା ପାଇଁ ରାଜ୍ୟ ସରକାର କିଛି ବଡ ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ସ୍କୁଲ କଲେଜ ଖୋଲିବା ନେଇ ସରକାର ଏସଓପି ମଧ୍ୟ ଜାରି କରିବେ ବୋଲି କୁହାଯାଇଛି । ସେହିପରି କଲେଜ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାସହ ଅନଲାଇନ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ କୁହାଯାଇଛି । ସ୍କୁଲ ନଯାଇ ପିଲାମାନେ ଚାହିଁଲେ ଅନଲାଇନରେ ପାଠ ପଢିପାରିବେ ।

ରାଜ୍ୟରେ ଏବେ ଆକ୍ରାନ୍ତସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । କହିବାକୁ ଗଲେ ରାଜ୍ୟରେ ଧିରେ ଧିରେ ସଂକ୍ରମଣ କମିବାରେ ଲାଗିଛି । ହେଲେ ଏଯାଏଁ ସମ୍ପୂର୍ଣ୍ଣ ଭାବେ ସଂକ୍ରମଣ କମିନାହିଁ । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କଣ ନିଷ୍ପତ୍ତି ନେବେ ତା ଉପରେ ନଜର ରହିବ ।