କନକ ବ୍ୟୁରୋ : ବିଜେପିକୁ ବାଏବାଏ କରିଥିବା ଦିଲ୍ଲୀପ ଓ ବିଜୟଙ୍କ କ’ଣ ହେବ ଆଗାମୀ ରଣନୀତି? ପୁଣି ବିଜେଡିକୁ ଫେରିବେ କି ଦୁଇ ବରିଷ୍ଠ ନେତା? ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ନିଭାଇଥିବା ଏହି ଦୁଇ ତୁଙ୍ଗ ନେତାଙ୍କୁ ନେଇ ରାଜ୍ୟ ରାଜନୀତିରେ କିଛି ଏହିଭଳି ସମ୍ଭାବନା ଚାରିପାଖେ ଘୁରିବୁଲୁଛି ଚର୍ଚ୍ଚା । କାରଣ ବିଜୁ ବାବୁଙ୍କ ବେଶ ଘନିଷ୍ଠ ଥିଲେ ଏହି ଦୁଇ ନେତା ।

Advertisment

ବିଜୁଙ୍କ ମନ୍ତ୍ରିମଣ୍ଡଳରେ ଜଳସେଚନ ମନ୍ତ୍ରୀ ଥିଲେ ବିଜୟ ମହାପାତ୍ର । ସେହିପରି ବିଜୁ ବାବୁଙ୍କ ଅତି ନିକଟତର କୁହାଯାଉଥିବା ଦିଲ୍ଲୀପଙ୍କ ନିକଟରେ କଟିଥିଲା ତାଙ୍କ ଶେଷ ସମୟ । ଆଉ ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶାର ରାଜନୀତିର ଧାର ଧରିନଥିବା ନବୀନ ପଟ୍ଟନାୟକଙ୍କୁ ଆଣି ଏକ ଆଂଚଳିତ ଦଳ ଗଠନର ମୂଳଦୁଆ ପକାଇଥିଲେ ଏହି ଦୁଇ ନେତା । ଅବଶ୍ୟ ପରେ ଅତି ଅପ୍ରିତିକର ପରିସ୍ଥିତିରେ ଦୁଇ ନେତାଙ୍କୁ ଦଳ ବାହାର ରାସ୍ତା ଦେଖିବାକୁ ପଡିଥିଲା । ହେଲେ ଅତୀତର ସେହି ତିକ୍ତ ଅନୁଭୂତିକୁ ଭୁଲି ଆଗକୁ ବଢିବା ପାଇଁ ନିଷ୍ପତି କରିପାରନ୍ତି ଉଭୟ ବିଜୟ ଓ ଦିଲ୍ଲୀପ ।

୨୦୦୯ ମାର୍ଚ୍ଚର ସେହି ସମୟକୁ ମନେ ପକାନ୍ତୁ ଯେତେବେଳେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି କ୍ୟାମ୍ପରେ ସାମିଲ ହୋଇ ରାଜ୍ୟର ଶାସନ କ୍ଷମତାରେ ବଡ ଓଲଟପାଲଟ କରିବାକୁ ଲକ୍ଷ୍ୟ ରଖିଥିଲେ । ଆଉ ବିଜେପି ଶକ୍ତି ସଂଗ୍ରହ କରି ବିକଳ୍ପ ନେତୃତ୍ୱର ଆହ୍ୱାନ ଦେଇ ନିର୍ବାଚନ ଲଢିଥିଲା । ହେଲେ ୯ ବର୍ଷ ପରେ ସଂପର୍କର ସେତୁରେ ଦେଖିବାକୁ ମିଳିଥିଲା ବଡ ଫାଟ, ଉଭୟ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଏବଂ ବିଜେପି ରାଜ୍ୟ ନେତ୍ୃତତ୍ୱଙ୍କ ପାଇଁ ଅଶ୍ୱସ୍ତିର ବାତାବରଣ ସୃଷ୍ଟି କରିଥିଲା । ରାଜନୀତିରେ ବାଧ୍ୟବାଧକତାକୁ ବାଏବାଏ କରି ନିଜ ପାଇଁ ନୂଆ ରାସ୍ତା ବାଛିନେଇଥିଲେ ଏହି ଦୁଇ ତୁଙ୍ଗ ନେତା ।

ଗତବର୍ଷ ଶେଷ ଆଡକୁ ଉଭୟ ବିଜୟ ଓ ଦିଲ୍ଲୀପ ବିଜେପି ଛାଡିବା ପରଠାରୁ ନିଜ ଆଗାମୀ ରାଜନୈତିକ ଭବିଷ୍ୟତ ବାବଦରେ ଅସମ୍ଭବ ନୀରବତା ରଖିଆସିଛନ୍ତି । ନିର୍ବାଚନ ପାଖେଇ ଆସୁଛି । ତେଣୁ ସକ୍ରିୟ ରାଜନୀତିରୁ ସନ୍ୟାସ ନନେଇ ଦୁଇନେତା କେଉଁ ଶିବିରରୁ ଲଢେଇ କରିବେ ତାହା ସବୁଠାରୁ ଉକ୍ରଣ୍ଠାର ବିଶୟ ହୋଇ ରହିଛି । ଏହି ଦୁଇ ନେତାଙ୍କୁ ନେଇ ନୂଆ ରାଜନୈତିକ ସମୀକରଣର ଚର୍ଚ୍ଚା ବି ଜୋର ଧରିଛି ।

ଏକ ନୂଆ ଦଳ ଗଢିବା କଥା ଚିନ୍ତା କରିବେ କି ବିଜୟ ଓ ଦିଲ୍ଲୀପ? ଅନ୍ୟ ଛୋଟଦଳ ସହ ମିଶି ରାଜ୍ୟରେ ବିକଳ୍ପ ସାମୁଖ୍ୟ ଗଢିବାକୁ କରିବେ ରଣନୀତି? କଂଗ୍ରେସ ସମର୍ଥନରେ ଉଭୟ ବିଜେପି ଓ ବିଜେଡିକୁ ଟକ୍କର ଦେବେ? ନିଜ ନିଜ କ୍ଷେତ୍ରରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରିବେ? ବିଜେଡିକୁ ଫେରିଯିବା ପାଇଁ ନିଷ୍ପତ୍ତି କରିବେ କି ଉଭୟ ବିଜୟ ଓ ଦିଲ୍ଲୀପ? ଅତୀତରେ ଟିକେଟ୍ କାଟିଥିବା ନବୀନ ଏମାନଙ୍କୁ ଆପଣେଇ ନେବେ କି? ବିଜେପିକୁ ଚେକ୍ ଦେବାଲାଗି ଏଭଳି ସମ୍ଭାବନା ଉପରେ ବିଚାର କରିବ ବିଜେଡି?

ଦୀର୍ଘ ଦୁଇ ଦଶନ୍ଧି ପରେ ସକ୍ରିୟ ରାଜନୀତିକୁ ଫେରିଥିବା ଦିଲ୍ଲୀପ ରାୟଙ୍କ ପାଇଁ ୨୦୧୯ରେ ଏକ ସୁରକ୍ଷିତ ଶିବିରର ଆବଶ୍ୟକତା ରହିଛି । ସେହିପରି ବିଧାନସଭାକୁ ଫେରିବାର ସ୍ୱପ୍ନ ପୂରଣ ଲାଗି ବିଜୟଙ୍କୁ ମଧ୍ୟ ବିଜେପି ବିରୋଧରେ ଏକ ଶକ୍ତିଶାଳୀ କ୍ୟାମ୍ପର ଆବଶ୍ୟକତା ରହିଛି । ହେଲେ ଯେଉଁଭଲି ଭାବରେ ୨୦୦୦ ମସିହାରେ ବିଜୟଙ୍କ ଟିକେଟ କଟିଥିଲା ଓ ବିଜେଡିରେ ଗୋଟିଏ ଗୋଷ୍ଠୀର ବିରୋଧ ସତ୍ୱେ ରାଜ୍ୟସଭାକୁ ନିର୍ବାଚିତ ହୋଇଗଲେ ଦିଲ୍ଲୀପ ଏବଂ ପରେ ଦଳରୁ ବାହାର କରିଦିଆଗଲା, ସେସବୁ ତିକ୍ତ ଅନୁଭୂତିକୁ ଭୁଲି ନୂଆ ରାଜନୈତିକ ଅଭିଯାନ ଆରମ୍ଭ କରିବେ କି ଦୁଇ ନେତା?

ସେହିପରି ନୂଆ ଦଳ ଗଢି ବିଫଳତାର ମୁହଁ ଦେଖିବା ଅନୁଭୂତି ବିଜୟଙ୍କ ନିକଟରେ ରହିଛି । ଓଡିଶା ଗଣପରିଷଦର ନିର୍ମାଣ ଓ ଏନସିପିରେ ବିଲୟରୁ ବିଶେଷ ଫାଇଦା ଅତୀତରେ ମିଳିନାହିଁ । ତେଣୁ ୨୦୧୯ ନିର୍ବାଚନ ଏମାନେ କେଉଁ ଛତା ତଳେ ଲଢିବେ ତାକୁ ନେଇ ସସପେନ୍ସ ଲାଗିରହିଛି ।