କନକ ବ୍ୟୁରୋ: କଣ ହେବ ଜୁଲାଇ ଗାଇଡଲାଇନ? କଟକଣା କୋହଳ ହେବ ନା ପୂର୍ବଭଳି ରହିବ? ସଂକ୍ରମଣ କମାଇବାକୁ ସରକାର ନେବେ କି କଡା ନିଷ୍ପତ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀ ମନରେ ଉଙ୍କି ମାରିଛି । କାହିଁକି ନା କରୋନା ପାଇଁ ପାଖାପାଖି ଦୁଇମାସ ରାଜ୍ୟ ଲକଡାଉନରେ ରହିବା ପରେ ଏବେ ଚାଲିଛି ଆଂଶିକ ଲକଡାଉନ ଆଉ ସମସ୍ତଙ୍କ ନଜର ଜୁଲାଇ ପହିଲାରୁ କଣ ହେବ?
ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିନଥିଲେ ବି ସୂଚନା ଅନୁସାରେ, ପୁରୁଣା ଫର୍ମୁଲା ପୁଣି ଦୋହରାଇପାରନ୍ତି ସରକାର । ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୁରଭଞ୍ଜରେ କଟକଣା କୋହଳ ହୋଇନପାରେ ଏବଂ ସଂକ୍ରମଣ ଅଧିକ ଥିବା ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ କଟକଣା କୋହଳ ହେବା ସମ୍ଭାବନା କମ୍ । ସେହିପରି ବ୍ୟବସାୟିକ ସ୍ଥିତିକୁ ଆଖି ଆଗରେ ରଖି ଦୋକାନ ଖୋଲିବାର ସମୟ ମଧ୍ୟ ବଢାଯାଇପାରେ ।
ସଂକ୍ରମଣ ଅଧିକ ଥିବା ଜିଲ୍ଲାଗୁଡିକରେ କଟକଣା ଅଧିକ କୋହଳ ହେବା ସମ୍ଭାବନା କମ ଥିବାବେଳେ ପଶ୍ଚିମ ଓ ଦକ୍ଷିଣ ଓଡିଶା ଜିଲ୍ଲାଗଡିକ ପାଇଁ ଅନଲକର ନୂଆ ଫର୍ଦ୍ଦ ସରକାର ଆଣିପାରନ୍ତି । ହେଲେ ମାଲକାନଗିରିରେ ପଜିଟିଭିଟି ହାର ଅଧିକା ରହିବା ଚିନ୍ତା ବଢାଇଛି । ସୂଚନା ଅନୁସାରେ -
- ବାକି ୨୧ ଜିଲ୍ଲାରେ କଟକଣା ଅଧିକ କୋହଳ ହୋଇପାରେ
- ଜାରି ରହିପାରେ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ
- ଜିମ, ମଲ୍, ସିନେମାହଲ ଓ ମନ୍ଦିର ଏବେ ଖୋଲିନପାରେ
- ଅନ୍ତଃରାଜ୍ୟ ବସ ସେବା ବନ୍ଦ ରହିପାରେ
ମଙ୍ଗଳବାର ଦିନ ରାଜ୍ୟର କରୋନା ଗ୍ରାଫ ୩ ହଜାର ତଳେ ରହିଛି ଏବଂ ସଂକ୍ରମଣ ସଂଖ୍ୟା ୨୬୪୦ ରହିଛି । ଟିପିଆର ୫% ତଳେ ଅର୍ଥାତ ୪.୧୪ ପ୍ରତିଶତ ଅଛି । ଚିନ୍ତାର ବିଷୟ ହେଲା, ସଂକ୍ରମଣ ହାର ଦୃଷ୍ଟିରୁ ଏବେ ବି ୫ଟି ଜିଲ୍ଲା ରେଡ୍ ଜୋନରେ ରହିଛି । ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୁରଭଞ୍ଜ ଚିନ୍ତା ବଢାଉଛନ୍ତି । ଏହାବାଦ ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ସଂକ୍ରମଣ ହାର ଅଧିକ ରହୁଛି ।
ରାଜ୍ୟର ବିଭିନ୍ନ ସ୍ଥାନରୁ ଲକଡାଉନବେଳେ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । କେଉଁଠି ଖାଇବାକୁ ନ ପାଇବାର ଚିନ୍ତା ତ ଆଉ କେଉଁଠି ଋଣ ନେଇ ଚାଲିଥିବା ବ୍ୟବସାୟକୁ କିଭଳି ଆଗକୁ ବଢାଇବେ ସେ ନେଇ ବାଟ ମିଳୁନି । ଦୋକାନ ବଜାର ବନ୍ଦ ରହିବା ଫଳରେ ଆର୍ଥିକ ମେରୁଦଣ୍ଡ ଦୋହଲି ସାରିଲାଣି । ତେଣୁ ସରକାର ଜାରି କରୁଥିବା ନିୟମ ହୁଏତ ସଂକ୍ରମଣକୁ ନିୟନ୍ତ୍ରଣ କରିପାରେ । କିନ୍ତୁ ଏହା ଲୋକଙ୍କୁ ଜୀବନ ଓ ଜୀବିକାକୁ ପ୍ରଭାବିତ କରିସାରିଲାଣି । ତେଣୁ ଦୁଃଖ ଓ ଦୁର୍ଦ୍ଦଶାର ଚିତ୍ର ଲୋକ ବୁଝିବା ଦରକାର ।