କନକ ବ୍ୟୁରୋ : ଆମେରିକାର ଶାସନ କ୍ଷମତା ଆଡକୁ ଆଉ ପାଦେ ଆଗେଇଲେ ଜୋ ବାଇଡେନ୍ । ଇ-ମେଲ ଭୋଟ ଓ ପୋଷ୍ଟାଲ ଭୋଟ ପାଇଁ ଗଣତି ବିଳମ୍ବ ହେଉଥିଲେ ମଧ୍ୟ ବାଇଡେନଙ୍କ ବିଜୟ ସମ୍ଭାବନା ଧିରେ ଧିରେ ଉଜ୍ୱଳ ହେଉଛି । ଗଣତି ସରି ନଥିବା ରାଜ୍ୟ ଗୁଡିକ ମଧ୍ୟରୁ ଜର୍ଜିଆରେ ଭଲ ଲିଡ୍ ନେବା କାରଣରୁ ତାଙ୍କ ସମ୍ଭାବନା ବଢ଼ିଯାଇଛି ବୋଲି କୁହାଯାଉଛି । ଏହାଛଡା ପେନସିଲଭାନିଆରେ ମଧ୍ୟ ଟ୍ରମ୍ପଙ୍କଠାରୁ ଟପିଯାଇଛନ୍ତି ବାଇଡେନ୍ । ଯେକୌଣସି ଗୋଟିଏ ରାଜ୍ୟରେ ବିଜୟ ହାସଲ କଲେ ବାଇଡେନଙ୍କୁ ବହୁମତ ସଂଖ୍ୟା ମିଳିଯିବ ।
ଶେଷ ଖବର ଅନୁସାରେ ବାଇଡେନ୍ ୨୬୪ ଆସନରେ ବିଜୟୀ ହୋଇଥିବାବେଳେ ଟ୍ରମ୍ପ ୨୧୪ ଆସନ ଦଖଲ କରିଛନ୍ତି । ବହୁମତ ପାଇଁ ୨୭୦ ଆସନରେ ବିଜୟ ଆବଶ୍ୟକ । ଏସବୁ ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଅଭିଯୋଗ କରିଛନ୍ତି, ଯେ ଡେମୋକ୍ରାଟ ଦଳଙ୍କ ଦ୍ୱାରା ଭୋଟ ଚୋରି କରାଯାଉଛି । ଟ୍ରମ୍ପଙ୍କ କିଛି ସମର୍ଥକ ମଧ୍ୟ ଗଣତି ଚାଲିଥିବା ରାଜ୍ୟ ଗୁଡିକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜର୍ଜିଆ ଓ ମିଚିଗାନରେ ଭୋଟ ଗଣତି ବନ୍ଦ କରିବା ପାଇଁ ଟ୍ରମ୍ପଙ୍କ ଆବେଦନ କୋର୍ଟରେ ଖାରଜ ହେବା ପରେ ତାଙ୍କ ସମ୍ଭାବନା ଆହୁରି ମଉଳି ଯାଇଛି ।
ଏବେ ଚର୍ଚ୍ଚା ଯଦି ରାଷ୍ଟ୍ରପତି ଟ୍ରମ୍ପ ହାରି ଯାନ୍ତି ଓ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍ ବିଜୟୀ ହୁଅନ୍ତି, ତେବେ ଆମ ଦେଶରେ ଏହାର କଣ ପ୍ରଭାବ ପଡିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କେମିଷ୍ଟ୍ରୀ, କେଉଁଠି ନା କେଉଁଠି ଭାରତ-ଆମେରିକା ସଂପର୍କକୁ ବେଶ ଉଷ୍ମ କରୁଥିଲା ।
ଯଦି ଗଣତିର ଚାଲିଥିବା ଧାରା ଜାରି ରହେ, ତେବେ ହ୍ୱାଇଟ୍ ହାଉସରେ ଚାଲିବ ବାଇଡେନ୍ଙ୍କ ରାଜ୍ । ଆଉ ଭାରତ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ, ତାକୁ ନେଇ ଚାଲିଛି ଚର୍ଚ୍ଚା-ଆଲୋଚନା । ଭାରତ-ଚୀନ ସୀମାର ଲଦାଖ ଅଂଚଳରେ ଭାରତୀୟ ସେନା ଓ ଚୀନ ସେନା ଏକପ୍ରକାର ସାମ୍ନାସାମ୍ନି ଅବସ୍ଥାରେ ଅଛନ୍ତି । ଯଦି ବିବାଦ ଆଗକୁ ବଢ଼େ, ତେବେ ସାରା ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଆମେରିକାର ଆଭିମୁଖ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ।
ସେପଟେ ପାକିସ୍ତାନ ପ୍ରତି ଆମେରିକାର ଆଭିମୁଖ୍ୟ କ’ଣ ରହିବ, ତା ଉପରେ ଭାରତର ନଜର ରହିବ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ ଚୀନ ଓ ପାକିସ୍ତାନ କ୍ଷେତ୍ରରେ ଆମେରିକା, ଭାରତର ପକ୍ଷ ନେବା ଏକପ୍ରକାର ନିଶ୍ଚିତ । କାରଣ, ଚୀନ ଯେଭଳି ଭାବରେ ତା’ର ବିସ୍ତାରବାଦ ଆଭିମୁଖ୍ୟ ଦେଖାଇ ଆସୁଛି, ସେଥିପାଇଁ ଆମେରିକା ବି ବ୍ୟତିବ୍ୟସ୍ତ ହୋଇ ପଡୁଛି । ଏହାଛଡ଼ା ଦକ୍ଷିଣ ଚୀନ ସାଗରରେ ଚୀନ ଆଧିପତ୍ୟ ବିସ୍ତାର କରିବା ପାଇଁ ଉଦ୍ୟମ କରୁଛି । ଏସବୁ କଥା ଦର୍ଶାଉଛି, ଭାରତ ପକ୍ଷରେ ରହିବା ଆମେରିକା ପାଇଁ ବି ଭଲ ।
ତେଣୁ ଆମେରିକାରେ ଯିଏ ବି ଶାସନକୁ ଆସୁ, ଭାରତ-ଆମେରିକା ସଂପର୍କ ଆଗକୁ ବଢ଼ିବା ନିଶ୍ଚିତ । ତେବେ ଦକ୍ଷିଣପନ୍ଥୀ ଆଦର୍ଶ ପ୍ରତି ବାଇଡେନ୍ ଓ କମଲା ହାରିସ୍ଙ୍କ ଆଭିମୁଖ୍ୟ ମୋଦୀଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ।