କଳାହାଣ୍ଡି ପଞ୍ଚାୟତ ଭୋଟରେ କ’ଣ ରହିବ ମମିତା ପ୍ରସଙ୍ଗର ପ୍ରଭାବ? ବିଜେଡି ଓ ଦିବ୍ୟଶଙ୍କରଙ୍କ ପାଇଁ ନିର୍ବାଚନ ହେବ ଏସିଡ୍ ଟେଷ୍ଟ ।

ପ୍ରଦୀପ୍ତ ନାୟକଙ୍କ ଅନୁପସ୍ଥିତିରେ, ବସନ୍ତଙ୍କ ଉପରେ ଗୁରୁ ଭାର । ଭକ୍ତ ଦାସଙ୍କ ପତିଆରାର ମିଳିବ ଉତ୍ତର

107

କନକ ବ୍ୟୁରୋ: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା ସାରା ରାଜ୍ୟରେ ଚହଳ ପକାଇଥିଲା । ହେଲେ ଏହି ହତ୍ୟାକାଣ୍ଡ କଳାହାଣ୍ଡିରେ ଘଟିଥିବାରୁ ପଞ୍ଚାୟତ ନିର୍ବାଚନକୁ ଏହି ଘଟଣା କେମିତି ପ୍ରଭାବିତ କରିବ ତା ଉପରେ ଏବେ ରହିଛି ସମସ୍ତଙ୍କ ନଜର । ସେହିପରି ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡିରେ କେଉଁ ଦଳର କେଉଁ ନେତାଙ୍କର ପତିଆରା ରହୁଛି ତା ସମସ୍ତଙ୍କ ଫୋକସରେ ରହିଛି ।

ରାଜ୍ୟ ରାଜନୀତିକୁ ଦୋହଲାଇ ରଖିଥିବା ମମିତା ମେହେର ହତ୍ୟା ପ୍ରସଙ୍ଗ ପଞ୍ଚାୟତ ଭୋଟକୁ ପ୍ରଭାବିତ କରିବ କି? ସେନେଇ ଏବେ ନିର୍ବାଚନରେ ବାର୍ତ୍ତା ଦେବେ କଳାହାଣ୍ଡି ବାସୀ । ନିଜ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ଆହ୍ୱାନର ସାମ୍ନା କରିବେ କି? ପୁରା ଜିଲ୍ଲାରେ ବିଜେଡିର ପ୍ରଦର୍ଶନ ପ୍ରଭାବିତ ହେବ କି? ସେ ନେଇ ଭୋଟର ଶୁଣାଇବେ ରାୟ ।

କଳାହାଣ୍ଡି ବିଜେଡି ରାଜନୀତିର ୪ ବଡ ଚେହେରା ହେଉଛନ୍ତି ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂଦେଓ, ସୁଜିତ କୁମାର ଏବଂ ଭୂପିନ୍ଦର ସିଂ । ଏହି ଚାରି ଜଣେ ନେତା ଏବେ ଜିଲ୍ଲା ରାଜନୀତିରେ ପ୍ରଭାବ ବିସ୍ତାର ପାଇଁ ଉଦ୍ୟମରତ । ହେଲେ ଦିବ୍ୟଶଙ୍କରଙ୍କ ପଛରେ ଦଳ ଯେଉଁଭଳି ଦୃଢ ଭାବେ ଠିଆ ହେଲା, ତାହା ତାଙ୍କ ଗୁରୁତ୍ୱ ବଢାଇଦେଲା । ହେଲେ ଏହା ଦଳ ପାଇଁ ବୁମେରାଂ ବି ହୋଇପାରେ । ଅସନ୍ତୁଷ୍ଟ ଓ ଦଳୀୟ କନ୍ଦଳକୁ ଦଳ କିଭଳି ପ୍ରଶମିତ କରୁଛି, ତା ଉପରେ ନିର୍ଭର କରୁଛି ଭୋଟବ୍ୟାଙ୍କ ।

୨୦୧୭ରେ ଜିଲ୍ଲା ପରିଷଦରେ ଏକତରଫା ବିଜୟ ହାସଲ କରିଥିବା ବିଜେପି ସାମ୍ନାରେ ମଧ୍ୟ ଅନେକ ଆହ୍ୱାନ । ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ତେଣୁ ସାଂସଦ ବସନ୍ତ ପଣ୍ଡାଙ୍କ ଉପରେ ପୁରା ଦଳର ସଂଗଠନ ନିର୍ଭର କରୁଛି । ଜିଲ୍ଲା ରାଜନୀତିକୁ ସେ ନିଜ ନିୟନ୍ତ୍ରଣରେ ରଖିପାରୁଛନ୍ତି କି ନାହିଁ, ତାର ହେବ ଅଗ୍ନିପରୀକ୍ଷା । ଅନ୍ୟପଟେ ୨୦୧୭ ଓ ୨୦୨୨ ସ୍ଥିତି ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ଯଦିଓ ପଶ୍ଚିମ ଓଡିଶାରେ ବିଜେପିର ସଂଗଠନ ମଜଭୁତ ବୋଲି କୁହାଯାଏ ଓ ଦଳର ସମସ୍ତ ସାଂସଦ ଏହି ଅଞ୍ଚଳରୁ ନିର୍ବାଚିତ ହୋଇଛନ୍ତି, ତେଣୁ ଦଳ ସପକ୍ଷରେ ହାୱା ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି । ସେହିଭଳି କଂଗ୍ରେସ ନେତା ଭକ୍ତ ଦାସଙ୍କ ପାଇଁ ମଧ୍ୟ ଏହି ନିର୍ବାଚନ ଚ୍ୟାଲେଞ୍ଜ ଆଣିବ । ସାଂଗଠନିକ ସ୍ତରରେ ନିଜ ଦବଦବା ଜାହିର କରିବାକୁ ଏହା ସେମାନଙ୍କ ପାଇଁ ଏକ ସୁଯୋଗ ।

ତେବେ ଓବିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ବିବାଦୀୟ ହୋଇଥିବାରୁ, ଏହି ବର୍ଗର ନେତା ବିଜେଡିକୁ ଭୋଟ ନଦେବାକୁ ଆହ୍ୱାନ ଦେବା, ଜିଲ୍ଲା ରାଜନୀତିକୁ ସରଗରମ କରିଛି । ସୂଚନାଯୋଗ୍ୟ ଯେ, ୨୦୧୭ରେ ଜିଲ୍ଲାର ୩୬ ଜିଲ୍ଲା ପରିଷଦ ଆସନରୁ ବିଜେପି ୩୩ ଆସନ ଦଖଲ କରି ଜିଲ୍ଲା ପରିଷଦ ନିଜ କବଜାକୁ ନେଇଥିଲା । ତେବେ ୨୦୨୨ରେ କାହା ଭାଗରେ କେତେ ଆସନ ପଡୁଛି, ପ୍ରସଙ୍ଗ ଭିତ୍ତିକ ନା ରାଜ୍ୟସ୍ତରୀୟ ମୁଦ୍ଦା ଉପରେ ଭୋଟ ହେବ ତା ଉପରେ ନଜର ।