ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ୍ : ହଟିବ କି ସପ୍ତାହନ୍ତ ସଟଡାଉନ୍ ?

ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସରକାର ନେଇପାରନ୍ତି ପଦକ୍ଷେପ; ପାର୍ବଣ ଋତୁରେ କରୋନାର ନୂଆ ମାର୍ଗଦର୍ଶିକା ଉପରେ ରହିଛି ସମସ୍ତ ନଜର

619

କନକ ବ୍ୟୁରୋ : ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ । ପାର୍ବଣ ଋତୁରେ ସରକାର କେଉଁ କଟକଣା ହଟାଇବେ, କାହାକୁ ରଖିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଦୀର୍ଘଦିନ ଧରି କରୋନା କଟକଣା ଯୋଗୁଁ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଯାଇଛି । ତେଣୁ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ଭଳି କଟକଣା ହଟାଇବାକୁ ଦାବି ହେଉଛି । ଏପଟେ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟଗୁଡିକୁ ସତର୍କ କରିଦେଇଛନ୍ତି କେନ୍ଦ୍ର ସରକାର । ଭିଡ଼ ନିୟନ୍ତ୍ରଣରେ ନରହିଲେ ଏହା ତୃତୀୟ ଲହରକୁ ସାଙ୍ଗରେ ଆଣିପାରେ ବୋଲି ଚେତାଇ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଓନମ ପରେ କେରଳରେ ହଠାତ୍ ଦୈନିକ ସଂକ୍ରମଣରୁ ଅଧିକ ହୋଇଯାଇଛି, ତେଣୁ ସତର୍କ ରହିବାକୁ କହିଛି କେନ୍ଦ୍ର । କେନ୍ଦ୍ରର ଗାଇଡଲାଇନ୍ ପରେ ଓଡ଼ିଶାରେ କେଉଁ କଟକଣା ରହିବ, କାହାକୁ ହଟାଇବେ ସରକାର । ଏହା ହିଁ ସବୁଠୁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । ତେବେ ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଡଡଲାଇନରେ କିଛି ପରିବର୍ତ୍ତନ ଆଣିପାରନ୍ତି ରାଜ୍ୟ ସରକାର । କଟକ, ଭୁବନେଶ୍ୱର ଓ ପୁରୀ ସହରରେ ସପ୍ତାହନ୍ତ ସଟଡାଉନକୁ ହଟାଇ ପାରନ୍ତି ସରକାର । ଏପରିକି ରାଜ୍ୟରେ କୋହଳ ହୋଇପାରେ ନାଇଟ୍ କର୍ଫ୍ୟୁ । ଅର୍ଥାତ୍ ରାତି ୮ଟା ପରିବର୍ତ୍ତେ ରାତି ୧୦ଟା କିମ୍ବା ୧୧ଟାରୁ ସକାଳ ୫ଟା ଯାଏଁ ହୋଇପାରେ ନାଇଟ୍ କର୍ଫ୍ୟୁ ।

ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଥିବା କଟକଣା କୋହଳ ହୋଇପାରେ । ଗୋଟିଏ ପଟେ କରୋନା କଟକଣା ଯୋଗୁଁ ରାଜ୍ୟରେ ଅନେକ ଲୋକ ସେମାନଙ୍କର ରୋଜଗାର ହରାଇଛନ୍ତି । ଅନ୍ୟପଟେ କେରଳରେ ଓନମ ପର୍ବ ପରେ ପରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହୁଛି । ତେଣୁ ଏହା ମଧ୍ୟ ସରକାରଙ୍କ ପାଇଁ ସତର୍କଘଂଟି ଭଳି ରହିଛି । ସବୁକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଇଡଲାଇନ୍ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର ।