କନକ ବ୍ୟୁରୋ: ରାଜଧାନୀବାସୀଙ୍କ ପାଇଁ ମାର୍କେଟ ବିଲ୍ଡିଂ କେବଳ ଏକ କିଣାବିକାର ଜାଗା ନୁହେଁ, ବରଂ ଆବେଗ ସହ ଯୋଡ଼ି ହୋଇଯାଇଥିବା ଜାଗା । ଛୁଟି ଦିନ ହେଉ କି କ’ଣ ସପିଂ ହେଉ, ମାର୍କେଟ ବିଲ୍ଡିଂ ନଗଲେ ହେବନି । ହେଲେ ଏବେ କ’ଣ ହେବ ଏହାର ଭାଗ୍ୟ । ସ୍ଥାୟୀ ଓ ଉଠାଦୋକାନୀ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦର ସମାଧାନ ହୋଇପାରୁନି । ମାର୍କେଟ୍ ବିଲ୍ଡିଂ ବାହାରେ ଉଠା ଦୋକାନୀ ଧାରଣା ଦେଉଛନ୍ତି । ଅନ୍ୟପଟେ ଏହାକୁ ବିରୋଧ କରୁଛନ୍ତି ସ୍ଥାୟୀ ଦୋକାନୀ ସଂଘ । ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ।

Advertisment

ଉଠା ଦୋକାନୀଙ୍କୁ ନେଇ ଗଠିତ ବାଲୁଙ୍କେଶ୍ୱର କ୍ଷୁଦ୍ର ବ୍ୟବସାୟୀ ସଂଘ ଦାବି କରିଛି, ବିଏମସି ସର୍ଭେରେ ଷ୍ଟ୍ରିଟ୍ ଭେଣ୍ଡର ଭାବେ ଚିହ୍ନଟ ହୋଇଥିବା ବ୍ୟବସାୟୀଙ୍କୁ ମାର୍କେଟ ବିଲ୍ଡିଂ ଭିତରେ ବ୍ୟବସାୟ ପାଇଁ  ସୁଯୋଗ ମିଳୁ । ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ନିଖିଳ ଓଡ଼ିଶା ଷ୍ଟ୍ରିଟ ଭେଣ୍ଡର ସଂଘ । ଆବଶ୍ୟକ ପଡିଲେ ସମସ୍ତ ଉଠାଦୋକାନ ବନ୍ଦ ରଖିବା ସହ ଭୁବନେଶ୍ୱର ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ । ସେପଟେ ସ୍ଥାୟୀ ଦୋକାନୀ ସଂଘ ପକ୍ଷରୁ ରାଜଧାନୀର ସମସ୍ତ ବଜାର କମିଟିର ସଦସ୍ୟଙ୍କୁ ନେଇ ବୈଠକ ବସିଛି । ସୋମବାର ସୁଦ୍ଧା ବିଏମସି ଯଦି କିଛି ସମାଧାନ ବାହାର ନକରେ, ତାହେଲେ ମଙ୍ଗଳବାର ରାଜଧାନୀର ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ସ୍ଥାନୀୟ ଦୋକାନୀ ସଂଘ ।

୧୭ ତାରିଖରୁ ବନ୍ଦ ପଡ଼ିଛି ମାର୍କେଟ ବିଲ୍ଡିଂ । ଫଳରେ ଦୋକାନୀ କ୍ଷତି ସହୁ ନାହାନ୍ତି, ବରଂ ସାଧାରଣ ଲୋକ ବି ହଇରାଣ ହେଉଛନ୍ତି ।