ନବୀନଙ୍କୁ ଭେଟିବା ପରେ ମଧ୍ୟ ଦିଲ୍ଲୀପଙ୍କ ରାଜନୈତିକ ଭବିଷ୍ୟତ ଚର୍ଚ୍ଚାରେ ପଡୁନାହିଁ ପୂର୍ଣ୍ଣଛେଦ! ବିଜୟଙ୍କ ସ୍ଥିତି ପରଖୁଛନ୍ତି କି ପୁରୁଣା ବନ୍ଧୁ?

Advertisment
ନବୀନଙ୍କୁ ଭେଟିବା ପରେ ମଧ୍ୟ ଦିଲ୍ଲୀପଙ୍କ ରାଜନୈତିକ ଭବିଷ୍ୟତ ଚର୍ଚ୍ଚାରେ ପଡୁନାହିଁ ପୂର୍ଣ୍ଣଛେଦ! ବିଜୟଙ୍କ ସ୍ଥିତି ପରଖୁଛନ୍ତି କି ପୁରୁଣା ବନ୍ଧୁ?

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ହେଭିେଓ୍ଵଟ ନେତା ଦିଲ୍ଲୀପ ରାୟ ବିଜୁ ଜନତା ଦଳକୁ ଆସିବେ ତ ? ଏ ପ୍ରଶ୍ନ ସର୍ବସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ଆନ୍ଦୋଳିତ ହେଉଛି। ଦିଲ୍ଲୀପ ଗତ ଶନିବାର ସଂଧ୍ୟାରେ ନବୀନ ନିବାସ ଆସି ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ପ୍ରାୟ ଅଧ ଘଣ୍ଟାଏ କାଳ ଆଲୋଚନା କରି ଫେରି ଯିବା ପରେ ସେ ଦଳକୁ ଫେରି ଆସୁଥିବା ନେଇ ଅଧିକାଂଶ ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲେ। ତେବେ ସେ ବିଜୁ ଜନତା ଦଳରେ ଯୋଗ ଦେବେ ନା ଆଉ କେଉଁ ଦଳକୁ ଯିବେ ତାହା ବର୍ତ୍ତମାନ ଏକ ପ୍ରଶ୍ନ ହୋଇ ରହିଛି।

ଶ୍ରୀ ରାୟ ଗତ ନଭେମ୍ବର ୩୦ ତାରିଖରେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ପରେ ତାଙ୍କର ଭବିଷ୍ୟତ ରାଜନୈତିକ ଗତିବିଧି ସଂପର୍କରେ ସସପେନ୍‌ସ ଛାଡି ଦେଇ ବିଦେଶ ଗସ୍ତରେ ଯାଇଥିଲେ । ଶ୍ରୀ ମହାପାତ୍ର ମଧ୍ୟ ରାୟଙ୍କ ବିଦେଶ ଗସ୍ତରୁ ଫେରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ସେ ବିଦେଶ ଗସ୍ତରୁ ଫେରିବା ପରେ ବିଜୁ ଜନତା ଦଳକୁ ଫେରିପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଏହି କଳ୍ପନାଜଳ୍ପନାକୁ ଆଗେଇ ନେଇ ଶ୍ରୀ ରାୟ ହଠାତ୍‌ ୧୭ ବର୍ଷ ପରେ ଗତ ୧୬ ତାରିଖ ସଂଧ୍ୟାରେ ନବୀନ ନିବାସରେ ପହଞ୍ଚିଥିଲେ।୧୭ ବର୍ଷ ତଳେ ବନ୍ଧୁରୁ ଶତ୍ରୁ ପାଲଟିଥିବା ନବୀନଙ୍କ ସହ ନିଭୃତ ଆଲୋଚନା କରି ସେ ଫେରି ଯାଇଥିଲେ। ବିଜୁ ଜନତା ଦଳକୁ ଫେରି ପାରନ୍ତି ଏବଂ ତାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇ ପାରେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶ୍ରୀ ରାୟ ଯେ କୌଣସି ଦିନ ବିଜୁ ଜନତା ଦଳରେ ଯୋଗ ଦେଇପାରନ୍ତି ବୋଲି ଆଶା କରାଯାଉଥିଲା।

ସେହିଦିନଠାରୁ ପ୍ରତ୍ୟେକ ଦିନ ସାମ୍ବାଦିକମାନେ ତାଙ୍କର ଯୋଗଦାନକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। ତେବେ ସେ କେଉଁ ଦିନ କେତେବେଳ ବିଜୁ ଜନତା ଦଳରେ ଯୋଗ ଦେବେ ତାହା ଦଳର ନେତାମାନେ ଠିକ୍‌ ଭାବେ କହିପାରୁନାହାନ୍ତି।

ଜଣେ ବରିଷ୍ଠ ବିଜୁ ଜନତା ଦଳ ନେତା ନିଜର ନାମ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି ଯେ ଶ୍ରୀ ରାୟ ଯେତେ ଉତ୍ସାହ ଗତ ୧୬ ତାରିଖ ଦିନ ଦେଖାଇଥିଲେ,ସେଥିରେ ଭଟ୍ଟା ପଡ଼ିଯାଇଥିବାର ଲକ୍ଷ୍ୟ କରାଯାଉଛି।

ଶ୍ରୀ ରାୟ କୁଆଡ଼େ ନିଜର ଘନିଷ୍ଠ ବନ୍ଧୁ ବିଜୟ ମହାପାତ୍ରଙ୍କୁ ସାଂଗରେ ନେଇ ବିଜେଡିରେ ଯୋଗ ଦେବାକୁ ଚାହୁଁଥିଲେ। ତେବେ ନବୀନ ଏଥିରେ ରାଜି ନ ଥିବା କୁହାଯାଉଛି । ସେଥିପାଇଁ ଦିଲ୍ଲୀପ ମଧ୍ୟ ବିଜୁ ଜନତା ଦଳକୁ ଫେରିବାକୁ ଆଗ୍ରହୀ ନୁହନ୍ତି।

ଅନ୍ୟପକ୍ଷରେ ଇତି ମଧ୍ୟରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ବିଜୟ ମହାପାତ୍ରଙ୍କୁ ମନାଇ ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe