କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଲୋକସଭା ଲଢ଼େଇର ଚିତ୍ର ସ୍ପଷ୍ଟ: ଭୁବନେଶ୍ୱର ସମୀକରଣକୁ ନେଇ ଜୋର ଧରିଲା ଚର୍ଚ୍ଚା

1,567

କନକ ବ୍ୟୁରୋ: ଭୁବନେଶ୍ୱର ଲୋକସଭା ଆସନରେ ଏଥର ହେବ ତ୍ରିମୁଖୀ ଲଢେଇ । ବିଜେପିରୁ ଅପରାଜିତା ଷଡଙ୍ଗୀ, ବିଜେଡିରୁ ମନ୍ମଥ ରାଉତରାୟ ଓ କଂଗ୍ରେସରୁ ୟାସିର ନୱାଜ ପ୍ରାର୍ଥୀ ହେବା ପରେ ରୋଚକ ଲଢେଇ ହେବା ସ୍ପଷ୍ଟ ହୋଇଛି । ତେବେ ୟାସିର ନୱାଜଙ୍କ ଭୋଟ କେତେ ନିର୍ଣ୍ଣାୟକ ହେବେ ସେ ନେଇ ଆଲୋଚନା ଆରମ୍ଭ ହୋଇଛି ।

ଜୋରଦାର ଲଢ଼େଇ ପାଇଁ ପ୍ରସ୍ତୁତ ଭୁବନେଶ୍ୱର ଲୋକସଭା ମଇଦାନ । ପ୍ରସ୍ତୁତ ହେଲେଣି ତିନି ଦଳର ନେତା । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ରିପିଟି କରିଥିବା ବେଳେ ମନ୍ମଥ ରାଉତରାୟଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଛି । ଆନ୍ଦୋଳନର ଚେହେରା ଭାବେ ପରିଚିତ ଯୁବ ନେତା ୟାସିର ନୱାଜଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

କ’ଣ ହେବ ଭୁବନେଶ୍ୱର ସମୀକରଣ?
ଗଡ଼ ରକ୍ଷା କରିବାକୁ ସମର୍ଥ ହେବେ କି ଅପରାଜିତା?
ନା’ ବାଜି ମାରିନେବେ ମନ୍ମଥ?
ନିର୍ଣ୍ଣାୟକ ହେବେ କି ୟାସିର ନୱାଜ?
ନଜର ପକାନ୍ତୁ ୨୦୧୯ ନିର୍ବାଚନ ଫଳାଫଳ ଉପରେ –
୨୦୧୯ ନିର୍ବାଚନ
ବିଜେପିର ଅପରାଜିତା ଷଡ଼ଙ୍ଗୀ ପାଇଥିଲେ ୪,୮୬,୯୯୧ ଭୋଟ
ବିଜେଡିର ଅରୂପ ପଟ୍ଟନାୟକଙ୍କୁ ମିଳିଥିଲା ୪,୬୩,୧୫୨
ସିପିଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତି ପାଇଥିଲେ ୨୩,୦୨୬ ଭୋଟ

ଗତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନକୁ ସିପିଏମକୁ ଛାଡ଼ି ଦେଇଥିଲା କଂଗ୍ରେସ । ତେବେ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟ ମହାନ୍ତି ୧ ଲକ୍ଷ ୪୫ ହଜାର ଭୋଟ ପାଇବାକୁ ସକ୍ଷମ ହୋଇଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସର ପକେଟ ଭୋଟ ରହିଛି । ଏଥର ଦଳ ପ୍ରାର୍ଥୀ ଦେଇଥିବାରୁ ଏଠି ପ୍ରଶ୍ନ ଉଠୁଛି –

ତିନି ପ୍ରାର୍ଥୀଙ୍କ ମଧ୍ୟରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ରହିଛି ନିର୍ବାଚନ ଅଭିଜ୍ଞତା । ଅନ୍ୟ ଦୁଇ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ନୂଆ । ଅପରାଜିତାଙ୍କ ଅଭିଜ୍ଞତା ରହିଥିବା ବେଳେ ବିଜେଡିର ମନ୍ମଥ ଓ ୟାସିର ନୱାଜ, ନିଜ ନିଜ ସଂଗଠନର ଶକ୍ତି ଅନୁସାରେ ଲଢ଼ିବେ ନିର୍ବାଚନ ।