ରାଜ୍ୟରେ କେମିତି ରହିବ ଅନଲକ-୨ର ରୂପରେଖ: ସାଢେ ୫ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ; କୋହଳ ହେବ କି ରାତ୍ରିକାଳୀନ କର୍ଫ୍ୟୁ, ଖୋଲିବ କି ମଲ ମନ୍ଦିର?

784

କନକ ବ୍ୟୁରୋ: ଆଜି ଶେଷ ହେଉଛି ଅନଲକ-୧ ଅବଧି । କରୋନା ପାଇଁ ଲକଡାଉନ୍ ଉଠାଇ କେନ୍ଦ୍ର ସରକାର ଅନଲକ୍ ପ୍ରକ୍ରିୟା ଜାରି ରଖିଛନ୍ତି । ସାରା ଦେଶରେ ଅନଲକ-ଦ୍ୱିତୀୟ ପର୍ଯ୍ୟାୟ କିଭଳି ପାଳନ ହେବ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇସାରିଛି । ରାଜ୍ୟରେ କେମିତି ରହିବ ଅନଲକ-୨ ସେନେଇ ଆଜି ଘୋଷଣା କରାଯିବ । ଆଜି ସାଢେ ୫ଟାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଅନଲକ ଦ୍ୱିତୀୟ ପର୍ଯ୍ୟାୟର ରୂପରେଖକୁ ନେଇ ଘୋଷଣା କରିପାରନ୍ତି ।

ଅନ୍ୟପଟେ, ଜୁନ ୩୦ ତାରିଖରେ ଅନଲକ୍-୦୧ ଶେଷ ହେବାକୁ ଯାଉଥିବା ବେଳେ ଜୁଲାଇ ୧ରୁ ଆରମ୍ଭ ହେବ ଅନ୍ଲକ୍ – ୨ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ଗତକାଲି ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ସବୁଠୁ ବଡ଼ ଦିଗଟି ହେଉଛି କଂଟେନ୍ମେଂଟ ଜୋନ ବା ଅବରୋଧ ଅଂଚଳରେ ପୂର୍ବଭଳି ଲକଡାଉନ କଟକଣା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ତେବେ ଏହି ଅଂଚଳକୁ ଲୋକଙ୍କ ଯିବାଆସିବାକୁ ବାରଣ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ପ୍ରଶାସନ ଅବରୋଧ ଅଂଚଳ ନିର୍ଦ୍ଧାରଣ କରିବେ । ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ଘର-ଘର ଉପରେ ନଜର ରଖିବା, କଂଟ୍ରାକ୍ଟ ଟ୍ରେସିଂ ଆଦିକୁ ବ୍ୟାପକ କରିବେ ସ୍ଥାନୀୟ ପ୍ରଶାସନ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହେଉଛି ରାତି କର୍ଫ୍ୟୁର ସମୟ ନିର୍ଘଂଟ ବଦଳାଇଛନ୍ତି କେନ୍ଦ୍ର ସରକାର । ରାତି ୧୦ରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ ଜାରି ରହିବ । ଏହି ସମୟରେ କେବଳ ଜରୁରୀ ସେବା ଓ ମାଲ ପରିବହନକୁ ଅନୁମତି ମିଳିବ । ତେବେ ସଂପୃକ୍ତ ରାଜ୍ୟ ସରକାର ନିଜ ଅଂଚଳ ପାଇଁ ନିର୍ଦ୍ଦେଶନାମା ଜାରି କରିବେ । ତେବେ ରାଜ୍ୟରେ କେମିତି ରହିବ ଅନଲକ-୨ ସେନେଇ ଆଜି ଘୋଷଣା କରାଯିବ ।