ନା ହାତୀ ବଞ୍ଚିଲା, ନା ବଞ୍ଚିଲା ଓଡ୍ରାଫ୍ ଯବାନଙ୍କ ଜୀବନ । ମୁଣ୍ଡଳି ଗଜ ଅପରେସନରେ ମିଳିଲା କ’ଣ ?

738

କନକ ବ୍ୟୁରୋ : ମୁଣ୍ଡଳି ଗଜ ଅପରେସନରେ ମିଳିଲା କ’ଣ । ନା ହାତୀ ଉଦ୍ଧାର ହେଲା ନା ହାତୀ ଅପରେସନରେ ସାମିଲ ହୋଇଥିବା ଓଡ୍ରାଫ୍ ଯବାନଙ୍କ ଜୀବନ ବଞ୍ଚିଲା । ମୁଣ୍ଡଳିର ବୋଟ୍ ଦୁର୍ଘଟଣା ପରେ ପୂରା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅଭିଜ୍ଞତା ନଥାଇ ବନ୍ୟପ୍ରାଣୀ ଉଦ୍ଧାର କରିବାକୁ କାହିଁକି ଯାଇଥିଲା ଓଡ୍ରାଫ ଟିମ୍ ।

ନା’ ହାତୀ ଉଦ୍ଧାର ହୋଇପାରିଲା, ନା’ ହାତୀ ଘଉଡାଇବାକୁ ଯାଇଥିବା ଓଡ୍ରାଫ୍ ବୋଟର ସମସ୍ତ କର୍ମଚାରୀ ଓ ସାମ୍ବାଦିକ ସୁରକ୍ଷିତ ଭାବେ ଫେରିପାରିଲେ । ପୂରା ଘଟଣାକୁ ଦିନଟିଏ ବିତିସାରିଲାଣି, ହେଲେ ଯେଉଁ ଅସମାହିତ ପ୍ରଶ୍ନ ଏବେ ବି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଲା, ଏହି ଅଘଟଣକୁ କ’ଣ ଏଡାଇ ଦିଆଯାଇ ପାରିନଥାନ୍ତା ?

ଭାସି ଯାଇଥିଲେ, ମିଳିଲା ମୃତଦେହ । ଓଡ୍ରାଫ୍ ବୋଟ୍ ବୁଡି ଘଟଣାରେ ନିଖୋଜ ଥିବା ସୀତାରାମ ମୁର୍ମୁଙ୍କ ମୃତଦେହ ଶେଷରେ ଠାବ ହୋଇଛି । ଧବଳେଶ୍ୱର ନିକଟସ୍ଥ କଖଡିରୁ ମରଶରୀର ମିଳିଥିବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ସେପଟେ ହାତୀ ବି ମରିଗଲା ! ଘଣ୍ଟା ଘଣ୍ଟା ଧରି ମହାନଦୀର ଅଥଳ ଜଳରୁ ବର୍ତ୍ତିବାକୁ ରାସ୍ତା ଖୋଜୁଥିବା ହାତୀଟି ଶେଷରେ ମରିଯାଇଥିବା ଚର୍ଚ୍ଚା ହେଉଛି । ହେଲେ ଏନେଇ ଅଧିକାରୀ ସ୍ତରରେ କେହି ମୁହଁ ଖୋଲିନାହାନ୍ତି । ସୋସିଆଲ ମିଡିଆରେ ପାଣିରେ ଏକ ହାତୀର ମୃତଦେହ ଭାସୁଥିବାର ଭିଡିଓ ଭାଇରାଲ ହେଉଥିବାରୁ ଏନେଇ ସନ୍ଦେହ ବଢିବାରେ ଲାଗିଛି ।

ତେବେ ଏହାରି ଭିତରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଅଘଟଣ ଘଟିଲା କାହିଁକି ? ହାତୀ ପାଣିରେ ଫଶିବା, ବ୍ରିଜ୍ ଉପରେ ଶହ ଶହ ଲୋକ ଭିଡ ଜମାହେବା, ଓଡ୍ରାଫ୍ ବୋଟ୍ ବୁଡି ୨ ଜଣଙ୍କ ଜୀବନ ଯିବା, ଆଉ ଶେଷରେ ହାତୀ ମରିଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନୀପ୍ରାଣୀ ବିଶେଷଜ୍ଞ ଲାଲା ଏକେ ସିଂ କହିଛନ୍ତି,
– ହାତୀ ଖରାଦିନେ ମହାନଦୀ ଅତିକ୍ରମ କରିଥାନ୍ତି, ହେଲେ ବର୍ଷାଦିନେ କାହିଁକି ଗଲେ ?
– ଅଧିକ ଫଣ୍ଡ ଆଣି ରିସର୍ଚ୍ଚ ନାଁରେ ପଶୁଙ୍କୁ ହଇରାଣ କରିବା ବନ୍ଦ କରାଯାଉ
– ହାତୀ ଆରାମସେ ପାଣିରୁ ବାହାରିଥାନ୍ତା, ଯଦି ସେଠାରେ ଗହଳି ନଥାନ୍ତା

ସେହିଭଳି ବିଶ୍ୱଜିତ୍ ମହାନ୍ତି କହିଛନ୍ତି,
– ହାତୀକୁ ଉଦ୍ଧାର କରିବାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭୁଲ ଥିଲା
– ଭିଡ ନିୟନ୍ତ୍ରଣ ହୋଇଥିଲେ, ହାତୀ ଆପେ ଆପେ କୂଳକୁ ଆସିଥାନ୍ତା
– ଅଭିଜ୍ଞତା ନଥିବା ଓଡ୍ରାଫ ହାତୀ ଘଉଡାଇବାକୁ ଯିବା ଜରୁରୀ ନଥିଲା

ବନ୍ୟା ହେଉ ଅବା ବାତ୍ୟା ହେଉ ଲୋକଙ୍କୁ ସୁରକ୍ଷିତ ଆଣିବାକୁ ଓଡ୍ରାଫକୁ ନିୟୋଜିତ କରାଯାଇଥାଏ । ହେଲେ ବନ୍ୟପ୍ରାଣୀଙ୍କ କ୍ଷେତ୍ରରେ ଆଦୌ ଅଭିଜ୍ଞତା ନାହିଁ ଏହି ସଂସ୍ଥାର । ତେଣୁ ଚାରିଆଡୁ ଓଡ୍ରାଫର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠୁଛି ।

– କାହା ନିର୍ଦ୍ଦେଶରେ ସ୍ପିଡ୍ ବୋଟ୍ ଧରି ହାତୀ ନିକଟକୁ ଯାଇଥିଲା ଓଡ୍ରାଫ ?
– ଏଥିପାଇଁ କ’ଣ ବନ ବିଭାଗର ନିର୍ଦ୍ଦେଶ ଥିଲା କି ?
– ଟିମରେ କ’ଣ ପାଇଁ ବନ ବିଭାଗର କୌଣସି କର୍ମଚାରୀ ନଥିଲେ ?

ସେପଟେ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ପାଇଁ ଅଭାବନୀୟ ଘଟଣା ଘଟିଲା ବୋଲି କୁହାଯାଉଛି । ଏସବୁ ଭିତରେ କୌଣସି ବି ରେସକ୍ୟୁ ଅପରେସନରେ ଗଣମାଧ୍ୟମ କର୍ମଚାରୀଙ୍କୁ ନନେବା ପାଇଁ ପଦକ୍ଷେପ ନେବାକୁ ପୁଲିସ ଡିଜିଙ୍କୁ ଜଣାଇଛନ୍ତି ଏସଆରସି ।