ଜେଲରେ ରିୟା ଥିବା ବେଳେ କେମିତି ଥିଲା ତାଙ୍କ ପରିବାରର ପରିସ୍ଥିତି ? ଦୁର୍ଦ୍ଦିନର କଥା ନେଇ କହିଲେ ରିୟାଙ୍କ ମା’, ଆତ୍ମହତ୍ୟା ପାଇଁ ମନକୁ ଆସୁଥିଲା ଭାବନା । ସେପଟେ ଯୋଗ କରିବା ଓ ସାଧାରଣ ଭାବେ ଚଳି ଜେଲରେ ସମୟ କାଟୁଥିଲେ ରିୟା ।

357

କନକ ବ୍ୟୁରୋ : ପ୍ରାୟ ମାସେ ଧରି ଜେଲରେ ରହିବା ପରେ ଜାମିନରେ ମୁକୁଳିଛନ୍ତି ରିୟା ଚକ୍ରବର୍ତୀ । ତେବେ ଏହି ସମୟ ମଧ୍ୟରେ କେମିତି ଥିଲା ତାଙ୍କ ପରିବାରର ଅବସ୍ଥା, ଆଉ କେମିତି ଜେଲରେ କଟିଥିଲା ରିୟାଙ୍କ ଦିନ । ରିୟାଙ୍କ ମା’ କହିଛନ୍ତି ଯେ, ଆତ୍ମହତ୍ୟା କରିବା କଥା ତାଙ୍କ ମନକୁ ଆସିଥିଲା । ତାଙ୍କର ଦୁଇ ପିଲା ରିୟା ଓ ସୌଭିକ ଜେଲ୍ ଗଲା ପରେ ତାଙ୍କ ପାଇଁ ଜୀବନ ଦୁର୍ବିସହ ହୋଇପଡ଼ିଥିଲା, ଏପରିକି ଗୋଟିଏ ସମୟରେ ଆତ୍ମହତ୍ୟାର ଭାବନା ତାଙ୍କ ମନକୁ ଆସିଯାଇଥିଲା । ହେଲେ ସେ ଏହି ଭାବନରୁ ଦୂରେଇ ଲଢ଼ିବାକୁ ସ୍ଥିର କଲେ ବୋଲି କହିଛନ୍ତି ରିୟାଙ୍କ ମା’ ।

ସେପଟେ ଜେଲ୍ରେ ନିୟମିତ ଯୋଗ କରୁଥିଲେ ରିୟା । ଏହାସହ ଜେଲରେ ଥିବା ଅନ୍ୟ ଅନ୍ତେବାସିଙ୍କୁ ମଧ୍ୟ ଯୋଗ ଶିଖାଉଥିଲେ । ଜେଲରେ ଜଣେ ସାଧାରଣ କଏଦୀ ଭାବେ ରିୟା ଚଳୁଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ରିୟା ଚର୍ଚ୍ଚା ପରିସରକୁ ଆସିଥିଲେ । ପରେ ଡ୍ରଗ୍ସ ଲିଙ୍କ ମାମଲାରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଏନସିବି ରିୟାଙ୍କୁ ଗିରଫ କରିଥିଲା । ତେବେ ବମ୍ବେ ହାଇକୋର୍ଟରୁ ଅନୁମତି ପରେ ବୁଧବାର ବାଇକୁଲା ଜେଲରୁ ରିୟା ଜାମିନରେ ମୁକୁଳିଛନ୍ତି । ହେଲେ ଏବେବି ତାଙ୍କ ଭାଇ ସୌଭିକ ଚକ୍ରବର୍ତୀ ଜେଲରେ ଅଛନ୍ତି ।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଜେରା ସମୟରେ ସାମ୍ନାକୁ ଆସିଥିଲା ବଲିଉଡ ଡ୍ରଗ୍ସ ଲିଙ୍କ ଘଟଣା । ଏଥିରେ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ରାକୁଲ ପ୍ରୀତ ସିଂଙ୍କୁ ଜେରା କରାଯାଇଛି । ତେବେ ଏନେଇ ଆହୁରି ତଦନ୍ତ ଚଲାଇଛି ଏନସିବି ।