ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ : କହିଲେ, ଯୁଦ୍ଧ ଜରିଆରେ ବାହାରିବନି ରୁଷ୍-ୟୁକ୍ରେନ ବିବାଦର ସମାଧାନ

95

କନକ ବ୍ୟୁରୋ : ରୁଷ୍-ୟୁକ୍ରେନ ଯୁଦ୍ଧର ସାମରିକ ସମାଧାନ ନୁହେଁ, ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ ବାହାର କରାଯିବା ଉଚିତ । ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମୋର ଜେଲେନ୍ସକିଙ୍କ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଯୁଦ୍ଧ ନୁହେଁ ବରଂ ଶାନ୍ତି ଉପରେ ପୁଣି ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଆଣବିକ ପ୍ଲାଣ୍ଟଗୁଡ଼ିକର ସୁରକ୍ଷା ପ୍ରତି ବିଶେଷଭାବେ ଧ୍ୟାନ ଦେବାକୁ ମୋଦୀ ପରାମର୍ଶ ଦେଇଛନ୍ତି । ନିକଟରେ ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷରେ ମିଶାଇ ଦେବାକୁ ଘୋଷଣା କରିସାରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏହି ୪ଟି ଅଞ୍ଚଳ ମଧ୍ୟରେ ଜାପୋରଜିଆ ରହିଛି । ଜାପୋରଜିଆରେ ଆଣବିକ ପ୍ଲାଣ୍ଟ ରହିଛି ।

ପ୍ରଧାନମନ୍ତ୍ରୀ ଆଲୋଚନା ବେଳେ ଏହି ଆଣବିକ ପ୍ଲାଣ୍ଟର ସୁରକ୍ଷା ପାଇଁ ଜୋର ଦେଇଛନ୍ତି, କାରଣ ଯଦି ଆଣବିକ ପ୍ଲାଣ୍ଟରେ କୌଣସି ବିପଦ ଘଟେ, ଏହାର ପରିଣାମ ଖୁବ୍ ଭୟଙ୍କର ହେବ । ଚଳିତବର୍ଷ ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିଥିଲା । ଏହାଭିତରେ ୭ ମାସ ହୋଇଯାଇଥିଲେ ବି ଯୁଦ୍ଧ କେବେ ସରିବ ଜଣାପଡ଼ୁ ନାହିଁ । ସ୍ଥିତି ଏପରି ହୋଇଛି ଯେ, ଉଭୟ ପକ୍ଷ ମଧ୍ୟ ଆଲୋଚନା ଟେବୁଲକୁ ଶୀଘ୍ର ଫେରିବାର ସମ୍ଭାବନା କମ୍ । ବରଂ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ରୁଷ୍ ସେନା ବହୁ ଅଂଚଳ ଦଖଲ କରିନେଇଛି, ତେବେ ୟୁକ୍ରେନ ସେନା ଧୀରେ ଧୀରେ ପୁଟିନ ସେନା ଠାରୁ ଅନେକ ଅଂଚଳ ଉଦ୍ଧାର କରିଚାଲିଛି ।