କରୋନା ହେଲେ କରିବେ କ’ଣ? ବିଏମସି କମିଶନର କହିଲେ, ପୂର୍ବ ଭଳି ପ୍ରଶାସନ ଓ ହସ୍ପିଟାଲକୁ କରିପାରିବେ ଯୋଗାଯୋଗ ।

913

କନକ ବ୍ୟୁରୋ: ରାଜ୍ୟରେ ଦିନକରେ ୨୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବାଧିକ ୪୫୮ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୩୪୮ । ତେବେ କେବଳ ଭୁବନେଶ୍ୱରରେ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଛନ୍ତି ୩୦୭ । ଭୁବନେଶ୍ୱରରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି କମିସନର କହିଛନ୍ତି କରୋନା ମୁକାବିଲା ପାଇଁ ପୂର୍ବରୁ ଯେଉଁ ପଦକ୍ଷେପ ନିଆଯାଇଥିଲା, ତାକୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଉଛି ।

ପଜିଟିଭ୍ ମାମଲାର କଂଟାକ୍ଟ ଟ୍ରେସିଂ କରିବା ପାଇଁ ୧୦ଟି ରାପିଡ୍ ରେସପୋନ୍ସ ଟିମ୍ କୁ ବିଏମସି କଂଟ୍ରୋଲ ରୁମ୍ରେ ପ୍ରସ୍ତ୍ତ ରଖାଯାଇଛି । ବାକି ୧୬ଟି ଟିମ୍ ଫିଲ୍ଡରେ କାମ କରୁଛନ୍ତି । ଯେଉଁ ରୋଗୀ ଘରେ ସଙ୍ଗରୋଧରେ ରହିଛନ୍ତି, ସେମାନଙ୍କ ଘରକୁ ଯାଇ କିମ୍ବା ଫୋନ କଲ୍ ମାଧ୍ୟମରେ ଚିକିତ୍ସା କରାଯିବ । ହୋମ୍ ଆଇସୋଲେସନ୍ କିଟ୍ ଦିଆଯାଉଛି ।

କିଛି ଅସୁବିଧା ହେଲେ, ଟୋଲ୍ ଫି ନମ୍ବର ୧୯୨୯ କୁ ଫୋନ କରିପାରିବେ । ରିଜର୍ଭ ଟିମ୍ ସେମାନଙ୍କୁ ସହାୟତା ଦେବେ । ସେପଟେ ସମ୍ ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି ବୋଲି କହିଛନ୍ତି ବିଏମସି କମିସନର । ଏବଂ ଆଦିତ୍ୟ ଅଶ୍ୱିନୀ ହସପିଟାଲରେ ୧୦୦ ବେଡ୍ କରାଯାଇଛି । ତାହା ଆଜିଠାରୁ କାର୍ଯ୍ୟକାରୀ ହେବ ।