ରାଜ୍ୟରେ ଖୋଲିବ କେଉଁ ଦୋକାନ ? କେତେ ସମୟ ପାଇଁ ହେବ ସାମଗ୍ରୀ ବିକ୍ରୀ ? ଜିଲ୍ଲାପାଳ ଏବଂ ମ୍ୟୁନିସିପାଲଟି କମିଶନର ନେବେ ନିଷ୍ପତି

5,677

କନକ ବ୍ୟୁରୋ: ରାଜ୍ୟରେ କୋହଳ ହେଲା ଦୋକାନ କଟକଣା । ଆଜିଠାରୁ ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ରାଜ୍ୟରେ ମଧ୍ୟ କିଛି ସର୍ତ୍ତ ରଖି ଦୋକାନ ଖୋଲିବାକୁ ନିଷ୍ପତି ନେଇଛନ୍ତି ଓଡିଶା ସରକାର । ତେବେ ରାଜ୍ୟରେ କେଉଁ ଦୋକାନ କେତେ ସମୟ ସାମଗ୍ରୀ ବିକ୍ରି କରିପାରିବେ ତାର ନିଷ୍ପତି ଜିଲ୍ଲାପାଳ ଏବଂ ମ୍ୟୁନିସିପାଲଟି କମିଶନର ସ୍ଥିର କରିବେ ବୋଲି କହିଛନ୍ତି ରାଜ୍ୟ ସରକାର । ସେହିଭଳି ରାଜ୍ୟରେ ପଂଜିକୃତ ଦୋକାନ ଖୋଲିବାକୁ ଅନୁମତି ଦେବା ସହ  ୫୦ ପ୍ରତିଶତ କର୍ମଚାରୀରେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏବଂ ଦୋକାନ ଖୋଲିବା ସମୟରେ ମାସ୍କ ପିନ୍ଧିବା ଜରୁରୀ ସହ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ବିଜ୍ଞପ୍ତି ମୁତାବକ, ଦୋକାନରେ ଅଧା କର୍ମଚାରୀ କାମ କରିପାରିବେ । ଏହା ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ସପିଂ ମଲ୍ କିମ୍ବା ସପିଂ କମ୍ପେ୍ଲକ୍ସ ଖୋଲି ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । କଟକଣାରେ ଏହି କୋହଳ ହଟସ୍ପଟ କିମ୍ବା କଂଟେନମେଂଟ ଜୋନ୍ ଅଂଚଳରେ ଲାଗୁ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ରାଜ୍ୟ ସରକାର । ତେବେ କେଉଁ ଦୋକାନ ଖୋଲିବ ଜିଲ୍ଲାପାଳ ଓ କମିଶନର ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ତାଲାବନ୍ଦ ଯୋଗୁଁ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ ହୋଇଛି । ପୂର୍ବରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ପନିପରିବା, ଫଳ, ଔଷଧ ଓ ରାସନ ଦୋକାନ ଖୋଲା ରଖିବା ପାଇଁ ଅନୁମତି ଦିଆଯାଇଥିଲା ।

ନଜର ପକାନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ଖୋଲା ରହିବ କେଉଁସବୁ ଦୋକାନ

– ସପ୍ ଆଣ୍ଡ ଏଷ୍ଟାବ୍ଲିସମେଂଟ ଆକ୍ଟରେ ପଞ୍ଜିକୃତ ହେଇଥିବା ସମସ୍ତ ଦୋକାନ

– ପୌରପାଳିକା ଅଂଚଳ ବାହାରେ ଥିବା ରେସିଡେନ୍ସିଆଲ କଂପ୍ଲେକ୍ସ ଓ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ

– ରେସିଡେନସିଆଲ ଅଂଚଳ ଓ ଏହା ଆଖପାଖ ବଜାରରେ ଥିବା ଦୋକାନ

– ଗ୍ରାମାଂଚଳରେ ସବୁ ପ୍ରକାର ପଞ୍ଜିକୃତ ଦୋକାନ ଖୋଲିବାକୁ ଅନୁମତି

– ସହରାଂଚଳରେ କେବଳ ଗୋଟିକିଆ ଦୋକାନ ଖୋଲାଯାଇ ପାରିବ

ପପୌରପାଳିକା ଭିତରେ ନଥିବା ଦୋକାନ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ