ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତି ଯାଇଥିବା ବ୍ୟକ୍ତିଙ୍କ ପ୍ରତି କି ପ୍ରକାର ବ୍ୟବହାର ହେବା ଉଚିତ୍ : ଦଣ୍ଡ ପାଇବେ ନା ଯତ୍ନ; ସ୍ପଷ୍ଟ କରିବାକୁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ

309

କନକ ବ୍ୟୁରୋ : ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପ୍ରତି କି ପ୍ରକାର ବ୍ୟବହାର ହେବା ଉଚିତ୍? ଆଇପିସିର ଧାରା ୩୦୯ ଆଧାରରେ ତାଙ୍କୁ ଦଣ୍ଡ ବିଧାନ କରିବା ଉଚିତ, ନା ମେଂଟାଲ ହେଲଥ ଆକ୍ଟ ୧୧୫ରେ ତାଙ୍କର ଯତ୍ନ ନିଆଯିବା କଥା । ଏନେଇ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।

ଅର୍ଥାତ ଦୁଇଟାଯାକ ବ୍ୟବସ୍ଥା ଭିତରୁ କାହାର ସାମ୍ବିଧାନିକ ବୈଧତା ଅଧିକ ରହିଛି ତାହା ଜଣାଇବା ପାଇଁ କହିଛନ୍ତି କୋର୍ଟ । କେହି ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ମାମଲା ହୋଇଥାଏ । ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୧ ବର୍ଷ ଯାଏଁ ଜେଲ ଦଣ୍ଡାଦେଶ ମଧ୍ୟ ହୋଇଥାଏ । କିନ୍ତୁ ଗଭୀର ମାନସିକ ଅବସାଦରୁ ଏଭଳି ଉଦ୍ୟମ କରିଥିବା ପ୍ରମାଣ ହେଲେ ମେଂଟାଲ ହେଲଥ ଆକ୍ଟର ଧାରା ୧୧୫ରେ ଦଣ୍ଡାଦେଶରୁ ରିହାତି ମିଳିଥାଏ ।

ଏପରିକି ଧାରା ୧୧୫ର ଅପଧାରା ୨ ଅନୁସାରେ ତାଙ୍କର ଉପଯୁକ୍ତ ଯତ୍ନ ନେବା ସହ ଚିକିତ୍ସା ଯୋଗାଇ ଦେଇ ମାନସିକ ଅବସାଦରୁ ମୁକ୍ତ କରିବା ପାଇଁ ସରକାର ବନ୍ଦୋବସ୍ତ କରିବେ । ଏବେ ଏହି ଦୁଇଟିଯାକ ବ୍ୟବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ବିଚାରପତି ଜଷ୍ଟିସ ଏଏସ ବୋପନ୍ନା ଏବଂ ଜଷ୍ଟିସ ଭି ସୁବ୍ରମଣିଅନଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ମତାମତ ଲୋଡିଛନ୍ତି ।