କନକ ବ୍ୟୁରୋ: ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ କେଉଁ ପୋଷାକ ପିନ୍ଧି ଯିବା ଉଚିତ, ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଦଇତାପତି ନିଯୋଗ ଦାବି କରୁଛି ଯେ, ଭକ୍ତଙ୍କ ପାଇଁ ଲାଗୁ ହେଉ ସ୍ୱତନ୍ତ୍ର ଡ୍ରେସ କୋଡ୍ । ଅନ୍ୟପଟେ ବୁଦ୍ଧିଜୀବୀଙ୍କ ମଧ୍ୟରେ ଏନେଇ ଭିନ୍ନ ମତ ପ୍ରକାଶ ପାଇଛି । କିଛି ସ୍ୱତନ୍ତ୍ର ଡ୍ରେସକୋଡକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାର ବିରୋଧ କରିଛନ୍ତି ।

Advertisment
  • ଶ୍ରୀମନ୍ଦିରକୁ ଗଲେ ଭକ୍ତ ପିନ୍ଧିବେ କ’ଣ?
  • ଜଗା ଦର୍ଶନ ପାଇଁ ଲାଗୁ ହେବ କି ଡ୍ରେସ୍ କୋଡ୍?

ଏଭଳି କିଛି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ । ଏହା ପଛରେ ଯୁକ୍ତି ବି ଦର୍ଶାଯାଇଛି ।

ପୋଷକ ଓ ପରିଧାନ ମନରେ ପବିତ୍ର ଭାବନା ଆଣେ ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ । ତେଣୁ ଏହି ବାର୍ତାକୁ ଗାଁ ଗାଁରେ ପହଞ୍ଚାଯାଉ ବୋଲି କହିଛନ୍ତି । ସେହିପରି ପରିଧାନ ଭଲ ନଥିଲେ କଷ୍ଟ ଲାଗେ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ । ସମାନ ଢଙ୍ଗରେ, ଆମ ପରମ୍ପରାରେ ପୋଷାକ ପରିଧାନର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ବୋଲି ମତ ଦେଇଛନ୍ତି ବରିଷ୍ଠ ସେବାୟତ ।

ଶ୍ରୀଜିଉଙ୍କ ଦର୍ଶନ ବେଳେ ପୋଷକ ପରିଧାନରେ ସଂସ୍କାରକୁ ନେଇ କିନ୍ତୁ ଭିନ୍ନ ଭିନ୍ନ ମତ ଆସୁଛି । ଜଗନ୍ନାଥ ସଂସ୍କୃତି ଗବେଷକ ଏହା ସପକ୍ଷରେ ମତ ରଖିଥିବା ବେଳେ ମୁକ୍ତ ବିଚାରଧାରରେ ବିଶ୍ୱାସ କରୁଥିବା ସମାଜସେବୀ କିନ୍ତୁ ଭିନ୍ନ ମତ ରଖିଛନ୍ତି । ଠାକୁର ଦର୍ଶନ ବେଳେ ଡ୍ରେସକୋଡ୍ ପରିଧାନକୁ ନେଇ ଭିନ୍ନ ଭିନ୍ନ ମତ ଆସୁଥିବା ବେଳେ ସାଧାରଣ ଭକ୍ତ ଚାହୁଁଛନ୍ତି କ’ଣ? ସେ ନେଇ ସାଧାରଣ ଭକ୍ତଙ୍କ ମତାମତ ସଂଗ୍ରହ କରିଥିଲା କନକ ନ୍ୟୁଜ୍ ଟିମ୍ । ଉପାନ୍ତରୁ ଉପକୂଳ, ପଶ୍ଚିମରୁ ଉତର, ସବୁ ପ୍ରାନ୍ତରୁ ଭକ୍ତଙ୍କ ମତାମତ ସଂଗ୍ରହ କରିଥିଲେ ଆମ ପ୍ରତିନିଧି ।

ଏପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି- ଲକ୍ଷ ଲକ୍ଷ ଭକ୍ତ ପାଇଁ ବର୍ତମାନ ସମୟରେ ଡ୍ରେସକୋଡ ଆଣିବା ସମ୍ଭବ ନୁହେଁ । କିନ୍ତୁ ଶାଳୀନତା ରଖିବା ଜରୁରୀ । ସେବାୟତଙ୍କ ପାଇଁ ପରିଧାନ ବ୍ୟବସ୍ଥା ପୂର୍ବରୁ ଚାଲି ଆସୁଛି । କିନ୍ତୁ ଭକ୍ତଙ୍କ ପାଇଁ ଏହା ନୂଆ । ଏହି ନୂଆ ବ୍ୟବସ୍ଥାକୁ ଲାଗୁ କରିବା ପୂର୍ବରୁ ଅନେକ ବିଚାର-ବିମର୍ଷର ଆବଶ୍ୟକତା ରହିଛି ବୋଲି କୁହାଯାଉଛି ।