ଚର୍ଚ୍ଚାରେ ଶର୍ମିଷ୍ଠା ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ପ୍ରଣବ ମାଇ ଫାଦର । କ’ଣ ଥିଲା ରାହୁଲଙ୍କ ପ୍ରତି ପ୍ରଣବ ମୁଖାର୍ଜୀଙ୍କ ଭାବନା !

136

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ଦିବଂଗତ ପ୍ରଣବ ମୁଖାର୍ଜୀଙ୍କ ଝିଅ ତଥା କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀଙ୍କ ପୁସ୍ତକ ପ୍ରଣବ ମାଇ ଫାଦରକୁ-ଏ-ଡଟର ରିମ୍ବେରର୍ସକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହି ପୁସ୍ତକରେ ପ୍ରଣବ ମୁଖାର୍ଜୀ ଓ ଗାନ୍ଧୀ ପରିବାର ସଦସ୍ୟ ଓ ସେମାନଙ୍କ ସହ ସର୍ମ୍ପକୁ ନେଇ ଅନେକ ଅଜଣା କଥାକୁ ସ୍ଥାନ ଦିଆଯାଇଛି । ପ୍ରଣବ ହାତ ଲେଖା ଡାଏରୀ ଓ ତାଙ୍କ ସହ କରିଥିବା ଆଲୋଚନାକୁ ନିଜ ପୁସ୍ତକରେ ସ୍ଥାନ ଦେଇଛନ୍ତି ଶର୍ମିଷ୍ଠା । ପୁସ୍ତକରେ କୁହାଯାଇଛି ଦିନେ ପ୍ରଣବ କହିଥିଲେ….କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଫିସ ଏଏମ-ପିଏମ୍ ମଧ୍ୟରେ ଫରକ ବୁଝିପାରିବେନି ସେ ପିଏମଓ କିଭଳି ସମ୍ଭାଳିବେ । ରାହୁଲ ଗାନ୍ଧୀଙ୍କ ଦକ୍ଷତା ଉପରେ ସେ ସନ୍ଦେହ ପ୍ରକାଶ କରିଥିଲେ । ରାହୁଲଙ୍କ କାର୍ଯ୍ୟଶୈଳୀକୁ ନେଇ ନିରାଶ ଥିଲେ ପ୍ରଣବ । ଗାନ୍ଧୀ ପରିବାରରେ ଉତ୍ତାରାଧିକାରୀ ଯୋଗୁଁ ରାହୁଲଙ୍କୁ ସବୁ କିଛି ବେଶ ସହଜରେ ମିଳୁଛି । ତେଣୁ ସେ ଅନେକ ଗୁରୁତ୍ୱପୂୂର୍ଣ୍ଣ କଥାକୁ ବେଖାତିର କରନ୍ତି । କଷ୍ଟର ମୂଲ୍ୟ ସେ ବୁଝନ୍ତି ନାହିଁ । ରାହୁଲଙ୍କ ପାଖରେ ରାଜନୈତିକ ଜ୍ଞାନ, ସମାୟନୁବର୍ତ୍ତିତାର ଅଭାବ ରହିଛି । ଏଭଳି ନେତା ଜନତାଙ୍କ କି ପ୍ରେରଣା ଦେବେ ବୋଲି କହିଥିଲେ ପ୍ରଣବ ।

୨୦୦୪ରେ ପ୍ରଧାନମନ୍ତ୍ରୀ ରେସରେ ପ୍ରଣବଙ୍କୁ ବାଦ ଦେଇଥିଲା କଂଗ୍ରେସ । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସୋନିଆ ପ୍ରଣବଙ୍କୁ ଆଶା ଦେଖାଇଥିଲେ ବି ଶେଷ ସମୟରେ କଥାରୁ ଓହରିଯାଇ ଡକ୍ଟର ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ କରିଥିଲେ । ଏନେଇ କଂଗ୍ରେସ କିମ୍ବା ସୋନିଆ ଏବଂ ମନମୋହନଙ୍କ ପ୍ରତି ବାପା ପ୍ରଣବ କେବେ କୌଣସି ଅଭିଯୋଗ କରିନଥିଲେ କି ନିରାଶ ନଥିଲେ ବୋଲି ଶର୍ମିଷ୍ଠାଙ୍କ ପୁସ୍ତକରେ କୁହାଯାଇଛି ।

ପ୍ରଣବ ମାଇ ଫାଦରରେ ଏକଥା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ପ୍ରଣବ ଓ ମୋଦୀଙ୍କ ମଧ୍ୟରେ ବେଶ ଘନିଷ୍ଠ ସମ୍ପର୍କ ରହିଥିଲା । ମୋଦୀ ସବୁ ସାକ୍ଷାତରେ ପ୍ରଣବଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ । ଉଭୟ ଭିନ୍ନ ବିଚାରଧାରର ହୋଇଥିଲେ ବି ସେମାନଙ୍କ ମଧ୍ୟରେ ବେଶ ଘନିଷ୍ଠ ଓ ଉତମ ସର୍ମ୍ପକ ଥିଲା । ଯାହା ପ୍ରକୃତରେ ଚମକ୍ରାର ଓ ଅବିଶ୍ୱସନୀୟ ଥିଲା ।

ପ୍ରଣବ ମାଇ ଫାଦର ପୁସ୍ତକରେ ପ୍ରଣବଙ୍କ ରାଜନୀତି ଜୀବନର ଏମିତି କିଛି କଥାକୁ ସ୍ଥାନ ଦେଇଛନ୍ତି ଯାହା ଆଜି ପର୍ଯ୍ୟନ୍ତ ଅଜଣା ରହିଆସିଛି । ତେବେ ଉନ୍ମୋଚନ ପୂର୍ବରୁ ପୁସ୍ତକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ତେବେ ଉନ୍ମୋଚନ ପରେ ଏନେଇ ରାଜନୈତିକ ବୟାନବାଜୀ ଜୋର ଧରିବା ସମ୍ଭାବନା ମଧ୍ୟ ରହିଛି । ପ୍ରଣବଙ୍କ ଜନ୍ମ ଜୟନ୍ତୀ ଅବସରରେ ଡିସେମ୍ବର ୧୧ରେ ଉନ୍ମୋଚନ ହେବ ପ୍ରଣବ ମାଇ ଫାଦର