ଜାତିସଂଘ ସାଧାରଣ ପରିଷଦର ୭୬ତମ ଅଧିବେଶନ : ମିଛ କହି ଅଡୁଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ

କହିଲେ, ମୁଜାହିଦ୍ଦିନଙ୍କୁ ହିରୋ ବୋଲି ବିଚାର କରି ହ୍ୱାଇଟ ହାଉସ ଆମନ୍ତ୍ରଣ କରିଥିଲେ ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗାନ; ବୟାନକୁ ଆମେରିକାର ଜୋରଦାର ବିରୋଧ

412

କନକ ବ୍ୟୁରୋ : ଜାତିସଂଘ ସାଧାରଣ ପରିଷଦର ୭୬ତମ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଇଥିବା ଏକ ବୟାନ ତାଙ୍କ ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଛି । ‘ମୁଜାହିଦ୍ଦିନଙ୍କୁ ହିରୋ ବୋଲି ବିଚାର କରି ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍‌ଡ ରିଗାନ ସେମାନଙ୍କୁ ହ୍ବାଇଟ୍‌ ହାଉସ୍‌କୁ ଆମନ୍ତ୍ରଣ କରିଥିଲେ’ ବୋଲି ଇମ୍ରାନ୍ କହିବାରୁ ଏହାକୁ ନେଇ ସେ ନିଜ ଦେଶରୁ ତଥା ଅନ୍ତର୍ଜାତୀୟ ସମୁଦାୟ ଦ୍ବାରା କଟୁ ସମାଲୋଚିତ ହୋଇଛନ୍ତି ।

ପାକିସ୍ତାନୀ ସାମ୍ବାଦିକ ଘରିଦା ଫାରୁକି ଏହାକୁ ‘ଅନ୍ତର୍ଜାତୀୟ ଲଜ୍ଜା’ ବୋଲି କହିଛନ୍ତି । ସେ କହିଛନ୍ତି, ଏଥର ୟୁଏନ୍‌ଜିଏ ଫୋରମ୍‌ରେ ଏହାଠାରୁ ବଳି ଅନ୍ତର୍ଜାତୀୟ ଲଜ୍ଜା ଆଉ କ’ଣ ଅଛି? ଆମେରିକା ରାଷ୍ଟ୍ରପତି ରୋନାଲ୍‌ଡ ରିଗାନ କେବେହେଲେ ମୁଜାହିଦ୍ଦିନଙ୍କୁ ହିରୋ ବୋଲି କହିନାହାନ୍ତି କି ହ୍ବାଇଟ ହାଉସକୁ ଆମନ୍ତ୍ରଣ କରିନାହାନ୍ତି । ପ୍ରଧାନମନ୍ତ୍ରୀ ଖାନ୍ ଏକ ମିଛ ଖବରକୁ ଉପସ୍ଥାପନ କରିଛନ୍ତି । କିଏ ତାଙ୍କ ପାଇଁ ଭାଷଣ ଲେଖିଥିବା ଲୋକଙ୍କୁ ତୁରନ୍ତ ବିଦା କରାଯାଉ ବୋଲି ଫାରୁକି ଟ୍ବିଟ୍ କରିଛନ୍ତି । ପାକିସ୍ତାନ ବିରୋଧୀ ଦଳ ନେତା ମରିୟମ ନୱାଜ ସରିଫ ମଧ୍ୟ ଇମ୍ରାନଙ୍କ ଅନ୍ତର୍ଜାତୀୟ ଫୋରମ୍‌ରେ ଏ ପ୍ରକାର ଭାଷଣର ନିନ୍ଦା କରିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି, ଇମ୍ରାନ୍ ଖାନ୍‌ଙ୍କୁ ବିଦା କରାଯାଉ, ତାଙ୍କ ଭାଷଣ ଲେଖକଙ୍କୁ ନୁହେଁ। ଇମ୍ରାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ଏକ ଖରାପ ଚୟନ ବୋଲି ସେ କହିଛନ୍ତି ।

କେବଳ ଏତିକି ନୁହେଁ, ଇମ୍ରାନ୍ ଖାନ୍ ଆହୁରି କହିଥିଲେ ଯେ ପାକିସ୍ତାନ ମୁଜାହିଦ୍ଦିନ ଏବଂ ଅଲ୍ କାଏଦା ସମେତ ଅନେକ ଗୋଷ୍ଠୀ ସହ କାମ କରିଆସିଛି। ଏହାଦ୍ବାରା ଅଲ୍‌ କାଏଦା ଓ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ତିଷ୍ଠି ରହିବାରେ ପାକିସ୍ତାନର ଭୂମିକାକୁ ସେ ସରକାରୀ ଭାବେ ସ୍ବୀକାର କରିଛନ୍ତି । ଇତିମଧ୍ୟରେ ଶିକ୍ଷାବିତ୍ ତଥା ପୂର୍ବତନ ଆଫଗାନ କୂଟନୀତିଜ୍ଞ ମେହମୁଦ ସୈକଲ କହିଛନ୍ତି ଯେ ଖାନ୍‌ଙ୍କ ଆତ୍ମରକ୍ଷା ଅତି ଦୁର୍ବଳ ଏବଂ ସେ କହିଥିବା ଅଧିକାଂଶ କଥା ଭୁଲ୍ । ଏବେ ପାକିସ୍ତାନର ଅସଲ ଚେହେରା ଧରାପଡ଼ିଯାଇଛି ଓ ଆଗକୁ ଆହୁରି ଉନ୍ମୋଚିତ ହେବ ବୋଲି ସୈକଲ ଟ୍ବିଟ୍ କରିଛନ୍ତି। ପିଏମ୍‌ଏଲ୍‌-ଏନ୍ ଅଧ୍ୟକ୍ଷ ଶେହବାଜ ସରିଫ କହିଛନ୍ତି ଯେ, ଇମ୍ରାନ ସବୁବେଳେ ମିଥ୍ୟା ଖବରର ଆଶ୍ରୟ ନେଇ ଆସିଛନ୍ତି । ଆଫଗାନ ମୁଜାହିଦ୍ଦିନଙ୍କ ସମ୍ପର୍କରେ ରାଷ୍ଟ୍ରପତି ରିଗାନଙ୍କ ମନ୍ତବ୍ୟକୁ ନେଇ ଇମ୍ରାନ୍ ଖାନ୍ ଯାହା କହିଛନ୍ତି ତାହା ତାଙ୍କର ଅଜ୍ଞତା ବୋଲି ସରିଫ ଟ୍ବିଟ୍ କରିଛନ୍ତି ।