କନକ ବ୍ୟୁରୋ : ଗୋଆରେ ନିଜର ୪ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ମା’ର ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ହତ୍ୟାକାଣ୍ଡ ପଛର କାରଣ କ’ଣ ଏବଂ କେମିତି ନିଜର ନିଷ୍ପାପ ଶିଶୁକୁ ହତ୍ୟା କଲା ମା’, ତା’ର କାରଣ ସାମ୍ନାକୁ ଆସିଛି । ଅଣନିଶ୍ୱାସୀ ହେବାରୁ ଶିଶୁଟି ପ୍ରାଣ ହରାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଆହୁରି କିଛି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁସାରେ
- ଅଣନିଶ୍ୱାସୀ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଛି
- ଶରୀରରେ ଟିକିଏ ବି ରକ୍ତର ଦାଗ ନଥିଲା
- ବେକକୁ ଖୁବ୍ ଜୋରରେ ଚାପି ଦିଆଯାଇଥିଲା
- ଫଳରେ ଶିଶୁର ମୁହଁଟି ସିଝି ଯାଇଥିଲା
- ହତ୍ୟା ପାଇଁ ତକିଆ କିମ୍ବା ତାର ବ୍ୟବହାର ହୋଇଥିଲା
- କାରଣ ମୃତ୍ୟୁ ବେଳେ ଶିଶୁଟି ଆଦୌ ସଂଘର୍ଷ କରିନଥିଲା
- ବେକକୁ ଚାପିବା ଦ୍ୱାରା ଶିଶୁଟିର ମୁହଁରେ ଶିରାପ୍ରସିରା ବାହାରି ଆସିଥିଲା
ତେବେ ୪ ବର୍ଷର ନିରୀହ ଶିଶୁକୁ କାହିଁକି ହତ୍ୟା କରିବା ଭଳି ଚରମ ନିଷ୍ପତି ନେଲା, ତାକୁ ନେଇ ଆରମ୍ଭ ଖୋଳତାଡ଼ କରୁଛି ପୁଲିସ । ପ୍ରାଥମିକ ତଦନ୍ତ ରିପୋର୍ଟ କହୁଛି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଏହି ହତ୍ୟାକାଣ୍ଡର ପ୍ରମୁଖ କାରଣ । ବିବାହ ବିଚ୍ଛେଦ ପରେ ସୂଚନା ସେଠଙ୍କ ପୁଅ ସବୁବେଳେ ବାପାଙ୍କ ସହ ଦେଖା କରିବାକୁ ଜିଦ୍ କରୁଥିଲା । ଏହି କଥାକୁ ନେଇ ରାଗିଯାଇ ପୁଅକୁ ସୂଚନା ହତ୍ୟା କରିଥିବା ଜଣାପଡିଛି ।
୨୦୧୦ରେ ସୂଚନା ସେଠ୍ ଓ ଭେଙ୍କଟରମଣଙ୍କ ମଧ୍ୟରେ ହୋଇଥିଲା ବିବାହ
୨୦୧୯ରେ ଉଭୟଙ୍କ ପୁତ୍ର ସନ୍ତାନ ଲାଭ ହୋଇଥିଲା
ଏହା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦେଖା ଦେଇଥିଲା ଫାଟ
ଦୁହେଁ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ
ଗତବର୍ଷ ଉଭୟଙ୍କ ମଧ୍ୟରେ ହୋଇଥିଲା ଛାଡ଼ପତ୍ର
କିନ୍ତୁ ପିଲା ତା’ର ବାପାଙ୍କୁ ଭେଟିପାରିବ ବୋଲି କୋର୍ଟ କହିଥିଲେ
ସେପଟେ କର୍ଣ୍ଣାଟକ ପୁଲିସର ସହାୟତାରେ ହତ୍ୟାକାରୀ ମା’କୁ ଗିରଫ କରିବା ପରେ ୬ ଦିନିଆ ରିମୋଣ୍ଡରେ ନେଇଛି । ଆଉ ତଦନ୍ତ ସଠିକ୍ ଦିଗରେ ଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।
ସେପଟେ ଶିଶୁପୁତ୍ରର ଅନ୍ତ୍ୟେଷ୍ଟି କରାଯାଇଛି । ବାପା ଭେଙ୍କଟରମଣଙ୍କ ଉପସ୍ଥିତିରେ ବେଙ୍ଗାଲୁରୁର ହରିଶ୍ଚନ୍ଦ୍ର ଘାଟରେ ଶିଶୁର ଶେଷକୃତ୍ୟ ହୋଇଛି ।