ଫାଇଲିନ, ତିତଲି, ଅମ୍ପନ ଆଉ ଏବେ ୟାସ୍ । ଭୂପୃଷ୍ଠରେ ତାଣ୍ଡବ ରଚୁଥିବା ଏହି ବାତ୍ୟା ମାନଙ୍କର ନାଁ ଏପରି କାହିଁକି ହୋଇଛି ? କିଏ ବାତ୍ୟା ଗୁଡିକର ନାଁ ଏଭଳି ଦେଉଛି ?

501

କନକ ବ୍ୟୁରୋ: ଫାଇଲିନ, ତିତଲି, ଅମ୍ପନ ଆଉ ଏବେ ୟାସ୍ । ଓଡିଶା ଉପରେ ଆଉ ଏକ ବାତ୍ୟାର ବିପଦ ମାଡି ଆସୁଛି । ୨୬ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା ପାରାଦୀପ ଓ ସାଗରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । କେବେ ନା କେବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସିଥିବ ଭୂପୃଷ୍ଠରେ ତାଣ୍ଡବ ରଚୁଥିବା ଏହି ବାତ୍ୟା ମାନଙ୍କର ନାଁ ଏପରି କାହିଁକି ହୋଇଛି । କିଏ ବାତ୍ୟା ଗୁଡିକର ନାଁ ଏଭଳି ଦେଉଛି । ତେବେ ଆସନ୍ତୁ ଆଜି ଜାଣିବା ବାତ୍ୟା ଗୁଡିକର ଏଭଳି ନାଁ ପଛର ରହସ୍ୟ ବିଷୟରେ ।

ଓଡିଶା ଆଡକୁ ମାଡି ଆସୁଥିବା ସାମୁଦ୍ରିକ ଝଡ ୟାସ୍ ର ନାଁ ଏଥର ଦେଇଛି ଓମାନ । ୟାସ୍ ପ୍ୟାରିସ ଭାଷାରୁ ଆସିଛି । ଇଂରାଜୀରେ ଏହାର ଅର୍ଥ ହେଉଛି ଜସ୍ମିନ । ସାମୁଦ୍ରିକ ଝଡର ଏଭଳି ନାମକରଣ ପରମ୍ପରା ବହୁ ଆଗରୁ ଚାଲିଆସିଛି । ସମୁଦ୍ରରୁ ସୃଷ୍ଟି ହେଉଥିବା ପ୍ରତି ବତ୍ୟାର କିଛି ନା କିଛି ନାଁ ରହିଥାଏ । ଆଉ ତା ପଛରେ ଏକ ରୋମାଞ୍ଚକର ଅର୍ଥ ମଧ୍ୟ ରହିଥାଏ ।

କୁହାଯାଏ ଯେ ପୂର୍ବରୁ ବତ୍ୟାର କୌଣସି ନାମକରଣ ହେଉନଥିଲା । ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶ ଅନେକ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି । ଯାହାର କୌଣସି ନାମକରଣ ନଥିଲା । ତେଣୁ ୨୦୦୦ ମସିହାରେ ବାତ୍ୟା ନାମକରଣର ପରମ୍ପରା ଆରମ୍ଭ ହୋଇଥିଲା । ପ୍ରଥମେ ଭାରତ ମହାସାଗର କ୍ଷେତ୍ରର ୮ଟି ଦେଶ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସେହି ଦେଶ ଗୁଡିକ ହେଲେ ଭାରତ, ବାଂଲାଦେଶ, ମାଲଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ ଓ ଶ୍ରୀଲଙ୍କା ।

ସେବେଠୁ ସମୁଦ୍ରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ଆରମ୍ଭ ହୋଇଥିଲା । ଏହାପରେ ୨୦୧୮ ମସିହାରେ ଇରାନ, କତର, ସାଉଦି ଆରବ, ୟୁଏଇ ଓ ୟମେନ ମଧ୍ୟ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ନାମକରଣ କରିଥାନ୍ତି ।

ଏହି ନାମକରଣ କରିବାର ମଧ୍ୟ ପ୍ରକ୍ରିୟା ରହିଛି । ଆଲଫାବେଟ ସିଷ୍ଟମରେ ବାତ୍ୟାର ନାମକରଣ ହୋଇଥାଏ । ଅର୍ଥାତ ଯଦି ଭାରତ ମହାସାଗରରେ ବାତ୍ୟା ଆସେ ତେବେ ଆଲଫାବେଟ ଅନୁସାରେ ଯେଉଁ ଦେଶର ନାଁ ଆଗ ଆସିବ ସେହିଁ ବାତ୍ୟାର ନାମକରଣ କରିବ । ଯେମିତିକି ନିକଟରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ନାଁ ମିଆଁମାର ଦେଇଥିଲା । ସେହି ଆଲଫାବେଟ ଅନୁସାରେ ବର୍ତ୍ତମାନ ୟାଶର ନାଁ ଓମାନ ଦେଇଛି ।

ଭାରତୀୟ ପାଣିପାଗ ସୂଚନା ଅନୁସାରେ ବାତ୍ୟା ୟାସ୍ ଅବପାତର ରୂପ ନେଇ ସାରିଛି । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ବାଲେଶ୍ୱର ଭୋଗରାଇ ନିକଟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି । ତେବେ ଉତ୍ତର ଓଡିଶା ସହ ପଶ୍ଚିମବଙ୍ଗର କିଛି ସ୍ଥାନରେ ବାତ୍ୟାର ପ୍ରଭାବ ପଡିପାରୋ ବୋଲି କୁହାଯାଉଛି ।