ସେନାରେ ଗଠନ ହେବ ଥିଏଟର କମାଣ୍ଡ । ସଂକେତ ଦେଲେ ସିଡିଏସ ବିପିନ୍ ରାୱତ, ଯୁଦ୍ଧ ସମୟରେ ଦେଖାଇବ ଦମ ।

393

କନକ ବ୍ୟୁରୋ : ନୂଆବର୍ଷରେ ଭାରତର ପ୍ରଥମ ସିଡିଏସ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ବିପିନ୍ ରାୱତ । ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ସେନା ମଧ୍ୟରେ କିଭଳି ଉତ୍ତମ ସମନ୍ୱୟ ରହିପାରିବ ସେଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବିପିନ୍ । ଏପରିକି ଭବିଷ୍ୟତରେ ଥିଏଟର କମାଣ୍ଡ ଗଠନ କରିବାକୁ ସଂକେତ ଦେଇଛନ୍ତି ଯାହା ସାହାଯ୍ୟରେ ଯୁଦ୍ଧ ସମୟରେ ଶତ୍ରୁଙ୍କୁ ନିପାତ କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇପାରିବ । ଆଉ ଏହି ଥିଏଟର କମାଣ୍ଡ ଗଠନ ସହ ଭାରତୀୟ ସେନା ପାଲଟିଯିବ ବାହୁବଳୀ । ତେବେ ଥିଏଟର କମାଣ୍ଡ କଣ? ଦେଶ ପାଇଁ ଥିଏଟର କମାଣ୍ଡ କାହିଁକି ଜରୁରୀ? କେଉଁଠି ଗଠନ ହୁଏ ଥିଏଟର କମାଣ୍ଡ । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।

କୌଣସି ଯୁଦ୍ଧ ସମୟରେ ଥିଏଟର କମାଣ୍ଡର ସବୁଠୁ ଅଧିକ ଆବଶ୍ୟକତା ପଡିଥାଏ । ଯୁଦ୍ଧ ସମୟରେ ୩ ସେନା ମଧ୍ୟରେ ତାଳମେଳ ବଜାୟ ରଖିବା ପାଇଁ ଥିଏଟର କମାଣ୍ଡର ବଡ ଭୂମିକା ରହିଥାଏ । କାରଣ ଯୁଦ୍ଧ ସମୟରେ ଶତ୍ରୁଙ୍କୁ ସହଜରେ ମାତ୍ ଦେବାକୁ ଏହି ଠାରୁ ହିଁ ଋଣନୀତି ପ୍ରସ୍ତୁତ ହୋଇଥାଏ । ସେଥିପାଇଁ ଜଳ, ସ୍ଥଳ ଓ ବାୟୁସେନାକୁ ଏକ ସାଥୀରେ ନେଇ ଇଣ୍ଟ୍ରିଗ୍ରେଟେଡ ଥିଏଟର କମାଣ୍ଡ ଗଠନ କରିବାକୁ ଦାବି ହୋଇ ଆସୁଛି । ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ପ୍ରଥମ ଥିଏଟର କମାଣ୍ଡ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସିଡିଏସ ବିପିନ୍ ରାୱତ । ପରେ ସେନାବାହିନୀର ସମସ୍ତ ଏକକ କମାଣ୍ଡଗୁଡିକୁ ଥିଏଟର କମାଣ୍ଡ ଅଧିନକୁ ଅଣାଯିବ ।

ଦେଶର ଭୌଗଳିକ ଓ ସାମରିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ଭାରତୀୟ ସେନାବାହିନୀର ୩ ସେନା ଓ ଅନ୍ୟ ସୈନ୍ୟ ବଳକୁ ଏକାଠି କରାଯିବ । ଏହି କମାଣ୍ଡ ର ଜଣେ ହିଁ କମାଣ୍ଡର ରହିବେ । ଥିଏଟର କମାଣ୍ଡ ଗଠନ ସହ ଗୋଟିଏ କଥା ସୁନିଶ୍ଚିତ ହୋଇଯାଏ ଯେ, ୩ ସେନାର ଯବାନ ଏକାଠି କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ଏଭଳି କମାଣ୍ଡ ଗଠନ ହେବା ଦ୍ୱାରା ଖର୍ଚ୍ଚର ପରିମାଣ ମଧ୍ୟ କମ ହୋଇଯାଇଥାଏ ।

ଏବେ ଦେଶରେ କେବଳ ଗୋଟିଏ ଥିଏଟର କମାଣ୍ଡ ରହିଛି । ୨୦୦୧ରେ ଆଣ୍ଡାମାନ ଓ ନିକୋବରରେ ଏହି କମାଣ୍ଡ ର ଗଠନ କରାଯାଇଥିଲା । ଏହାଛଡା ପରମାଣୁ ଶସ୍ତ୍ରାଗାରର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ଫୋର୍ସେଜ କମାଣ୍ଡ ରହିଛି । ୨୦୦୩ ମସିହାରେ ଏହାର ଗଠନ କରାଯାଇଥିଲା । ଭାରତୀୟ ସେନାବାହିନୀରେ ଏବେ ୧୫ ଲକ୍ଷ ସଶକ୍ତ ସୈନ୍ୟ ବଳ ରହିଛି । ତେଣୁ ଏତେବଡ ସେନାକୁ ସଙ୍ଗଠିତ ଓ ଏକଜୁଟ କରିବାକୁ ଥିଏଟର କମାଣ୍ଡ ର ଆବଶ୍ୟକତା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଥିବା ଏକକ କମାଣ୍ଡକୁ ଏକଜୁଟ୍ କରି ୪ରୁ ୬ଟି ଥିଏଟର କମାଣ୍ଡ ଗଠନ କରାଯିବ । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଏରୋସ୍ପେଶ ଓ ଲଜିଷ୍ଟିକ ଥିଏଟର କମାଣ୍ଡ ଗଠନ କରିପାରନ୍ତି ସିଡିଏସ ବିପିନ୍ ରାୱତ । ପଶ୍ଚିମ ଥିଏଟର କମାଣ୍ଡ ଅଧିନରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ପଞ୍ଜାବ, ରାଜସ୍ଥାନ ଓ ଗୁଜୁରାଟର କଚ୍ଛ ଉପକୂଳ ଆସିପାରେ । ସେହିଭଳି ଉତ୍ତର ଥିଏଟର କମାଣ୍ଡ ମୁଖ୍ୟତଃ ପାକିସ୍ତାନ ଓ ଚୀନ୍ ଉପରେ ନଜର ରଖିବେ । ଜମ୍ମୁ-କାଶ୍ମୀର ଓ ଲଦାଖର ପାହାଡିଆ ଅଞ୍ଚଳ ଏହି କମାଣ୍ଡ ଅଧିନରେ ଆସିବ ।

ପୂର୍ବ ଥିଏଟର କମାଣ୍ଡର ମୁଖ୍ୟ କାର୍ଯ୍ୟ ରହିବ ଭାରତର ଉତ୍ତର-ପୂର୍ବ ସୀମାକୁ ଲାଗି ରହିଥିବା ଚୀନ, ବାଂଲାଦେଶ ଓ ମିଆଁମାର ସୀମାର ଗତିବିଧି ଉପରେ ନଜର ରଖିବା । ଦକ୍ଷିଣ ଥିଏଟର କମାଣ୍ଡ ଦେଶର ତଟବର୍ତ୍ତୀ ସୀମା ଉପରେ କଡା ନଜର ରଖିବ । ଏରୋସ୍ପଶ ଥିଏଟର କମାଣ୍ଡ ଦେଶର ଆକାଶପଥରେ ନିଜର ଶକ୍ତି ଦେଖାଇବ । ଆକାଶପଥରୁ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ସହ ଶତ୍ରୁ ଉପରେ ନଜର ରଖିବ ଏହି ଥିଏଟର କମାଣ୍ଡ । ଲଜିଷ୍ଟିକ କମାଣ୍ଡ ଅନ୍ୟ ସମସ୍ତ ଥିଏଟର କମାଣ୍ଡ ପାଖରେ ସରଞ୍ଜାମ ପହଞ୍ଚାଇବାର କାମ କରିବ । ଏହାଛଡା ବିଦେଶୀ ଥିଏଟର କମାଣ୍ଡ ସହ ମଧ୍ୟ ଏହା ତାଳମେଳ ରଖିବା ପାଇଁ କାର୍ଯ୍ୟ କରିବ ।