ଶିମିଳିପାଳକୁ ନେଇ ସତ କ’ଣ ? ପରିବେଶବିତ୍ ରଖିଲେ ଭିନ୍ନ ମତ; ଠାକୁରମୁଣ୍ଡା ଓ ପୋଡାଡିହାରେ ସର୍ବାଧିକ ପ୍ରଭାବିତ

267

କନକ ବ୍ୟୁରୋ : ଶିମିଳିପାଳକୁ ନେଇ ସତ କ’ଣ ? କାରଣ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ଶିମିଳିପାଳ ଗସ୍ତରେ ଥିବା ବନ୍ୟପ୍ରାଣୀ ପିସିସିଏଫଙ୍କ କହିବା ହେଲା ନିଆଁ ସଂପୂର୍ଣ୍ଣ ଆୟତରେ ଅଛି । ଠାକୁରମୁଣ୍ଡା ଓ ପୋଡାଡିହି ରେଞ୍ଜ ସର୍ବାଧିକ ପ୍ରଭାବିତ ହୋଇଛି ।

ମୟୁରଭଞ୍ଜ ଜିଲ୍ଲାର ୨୦୯ଟି ବିଟରୁ ମାତ୍ର ୨ରୁ ୩ଟିରେ ନିଆଁର ମାତ୍ରା ଅଧିକ ଥିଲା । ହେଲେ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ସାଟେଲାଇଟ ଚିତ୍ରରୁ ଜଣାପଡୁଛି ଯେ, ପ୍ରାୟ ୧୮ଟି ସ୍ଥାନରେ ନିଆଁ ଲାଗିଛି । ଶିମିଳିପାଳର ୮ରୁ ୯ଟି ସ୍ଥାନ ଏହି ଚିତ୍ରରେ ରହିଛି । ହେଲେ ପରିବେଶହବିତଙ୍କ କହିବା ହେଲା ଏହାଠାରୁ ଅଧିକ ସ୍ଥାନରେ ନିଆଁ ଏବେ ବି ଜଳୁଛି । ସେହିପରି ସରଜମିନ ତଦନ୍ତ ନକରି କିଭଳି ବଡଗଛ କିମ୍ବା ବିରଳ ବନ୍ୟପ୍ରାଣୀଙ୍କର କ୍ଷୟକ୍ଷତି ହୋଇନାହିଁ ବୋଲି ବିଭାଗୀୟ ଉଚ୍ଚ ପଦାଧିକାରୀ କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ ପୋଡ଼ାଡ଼ିହା ରେଞ୍ଜ ଅନ୍ତର୍ଗତ ବାଘଅନ୍ତ ଓ ଠାକୁରାଣୀ ଘାଟିରେ ବର୍ତ୍ତମାନ ବି ନିଆଁ ଜଳୁଛି । ନିଗିଲଦା, ମକାବାଡ଼ି, ଅନ୍ଧାରୀତୋଟା, କଚୁଦହମ୍‌ ଆଦି ସ୍ଥାନରେ ମଧ୍ୟ ନିଆଁ ଲାଗିଛି। ନିଆଁ ଏବେବି ଜଳୁଥିବା ବେଳେ ବଡ଼ ଗଛ, ବିରଳ ବନ୍ୟପ୍ରାଣୀ କାହାର କିଛି କ୍ଷତି ହୋଇନାହିଁ ବୋଲି ବିଭାଗୀୟ ଉଚ୍ଚ ପଦାଧିକାରୀ କେମିତି କହୁଛନ୍ତି। ବିନା କୌଣସି ସରଜମିନ୍‌ ତଦନ୍ତରେ ଏଭଳି ମନ୍ତବ୍ୟ ଦିଆଯିବା ଆଶ୍ଚର୍ଯ୍ୟଜନକ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ସେହିପରି, ପରିବେଶବିତ୍‌ ପ୍ରଦୀପ୍ତ କବିଙ୍କ ଅଭିଯୋଗ ଅନୁଯାୟୀ, ବନବିଭାଗ କହୁଛି ନିଆଁ ପ୍ରାୟ ୧୦ ଦିନ ଧରି ଜଳୁଥିଲା । ତେଣୁ ଗୋଟିଏ ଦୁଇ ଦିନରେ ନିଆଁ ଲିଭିବା ସମ୍ଭବପର ନୁହେଁ । ବହଳ ପତ୍ରରେ ନିଆଁ ଲାଗିଥିବାରୁ ସରୀସୃପ ଜାତୀୟ ପ୍ରାଣୀ କ୍ଷତିଗ୍ରସ୍ତ ହୋଇଥିବା ନିଶ୍ଚିତ ।