ପଞ୍ଚାୟତରେ କେମିତି କରିବେ ପଞ୍ଜୀକରଣ ? ଓଡିଶା ଫେରନ୍ତାଙ୍କ ଉପରେ କେମିତି ନଜର ରଖିବେ ସରପଞ୍ଚ ? ସଂକ୍ରକଣ ରୋକିବାକୁ ପଞ୍ଚାୟତ ସ୍ତରରେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚମାନଙ୍କ କଣ ରହିବ ଭୂମିକା ?

ପଂଚାୟତ ସ୍ତରରେ ସରପଂଚମାନେ ଗାଁ ଗାଁ ବୁଲି କେଉଁମାନେ ବାହାରେ ଅଛନ୍ତି, ସେମାନେ କାହିଁକି ଫେରିବାକୁ ଚାହୁଁଛନ୍ତି,ଏନେଇ ଘରଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବେ । ସେମାନଙ୍କ ନାମ, ଫୋନ ନମ୍ବର ଓ ଠିକଣା ସଂଗ୍ରହ କରାଯାଇ ପଞ୍ଜୀକୃତ କରାଯିବ ।

2,115

କନକ ବ୍ୟୁରୋ: ପଞ୍ଚାୟତରେ କେମିତି କରିବେ ପଞ୍ଜୀକରଣ । ବାହାର ରାଜ୍ୟରେ ଥିବା ବ୍ୟକ୍ତିମାନେ ଓଡ଼ିଶାକୁ ଫେରିଲେ କିପରି ପଂଚାୟତରେ ସେମାନଙ୍କ ନାମ ପଞ୍ଜୀକରଣ କରିବେ । ସେଥିପାଇଁ ଏକ ବ୍ୟବସ୍ଥା କରିଛନ୍ତି ସରକାର । ପଂଚାୟତ ସ୍ତରରେ ସରପଂଚମାନେ ଗାଁ ଗାଁ ବୁଲି କେଉଁମାନେ ବାହାରେ ଅଛନ୍ତି, ସେମାନେ କାହିଁକି ଫେରିବାକୁ ଚାହୁଁଛନ୍ତି,ଏନେଇ ଘରଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବେ । ସେମାନଙ୍କ ନାମ, ଫୋନ ନମ୍ବର ଓ ଠିକଣା ସଂଗ୍ରହ କରାଯାଇ ପଞ୍ଜୀକୃତ କରାଯିବ ।

ଓଡ଼ିଶାକୁ ଫେରିବାକୁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ମଧ୍ୟ ଏ ନେଇ ସରପଞ୍ଚଙ୍କୁ ନିଜ ଆଡୁ ଜଣାଇପାରିବେ । ନାଁ, ଠିକଣା ଓ ଫୋନ ନମ୍ବର ଦେଇ ପଞ୍ଜୀକୃତ କରାଇ ପାରିବେ । ପଂଚାୟତ ଅଧିକାରୀ ଓ ସରପଂଚ ଆଲୋଚନା କରି ଫୋନ ଜରିଆରେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଠାରୁ ପୂରା ବିବରଣୀ ସଂଗ୍ରହ କରିବେ । ଏହାସହ ସେମାନଙ୍କ ଉପରେ ନଜର ରଖିବେ ।

ତେବେ ସେମାନେ ଗାଁକୁ ଫେରିଲେ ସାଂଗେ ସାଂଗେ ସେମାନଙ୍କୁ ପଂଚାୟତ ସ୍ତରରେ ଥିବା ସଙ୍ଗରୋଧ ଗୃହରେ ୧୪ ଦିନ ପାଇଁ ରଖାଯିବ । ସେମାନଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଉଛି କି ନାହିଁ, ଏ ନେଇ ଅନୁଧ୍ୟାନ କରିବେ ସରପଂଚ । କେହି ଯଦି ସରକାରଙ୍କ ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ଠାରୁ ଫାଇନ୍ ଆଦାୟ କରିବା କ୍ଷମତା ସରପଂଚମାନଙ୍କୁ ଦିଆଯାଇଛି ।

କରୋନା ସଂକ୍ରମଣ ରୋକିବାକୁ ଗ୍ରାମବାସୀମାନେ ଅଧିକ ସତର୍କ ରହିଛନ୍ତି । ତେଣୁ ବାହାରେ ଅଟକି ଥିବା ଲୋକ ଓଡ଼ିଶା ଫେରିଲେ ସହର ଅପେକ୍ଷା ଗ୍ରାମାଂଚଳରେ ସେମାନଙ୍କ ଉପରେ ସଠିକ୍ ନଜର ରଖାଯାଇ ପାରିବ ବୋଲି ସରକାର ବିଶ୍ୱାସ କରୁଛନ୍ତି । ସେଥିପାଇଁ ସରପଂଚଙ୍କୁ ବିଶେଷ କ୍ଷମତା ପ୍ରଦାନ କରିଛନ୍ତି ସରକାର । ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିବା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।