ଆଗ ବହିଷ୍କାର ନା ଆଗ ଇସ୍ତଫା? କଳ୍ପତରୁଙ୍କୁ ଦଳରୁ ବିଦା କରିବା ପଛର କାରଣ କ’ଣ?

757

କନକ ବ୍ୟୁରୋ : ବିଜେଡିର ସାଧାରଣ ସଂପାଦକ ପଦରୁ ବହିଷ୍କୃତ ହୋଇଛନ୍ତି ଯୁବନେତା କଳ୍ପତରୁ ଓଝା । କଳ୍ପତରୁଙ୍କ ବହିଷ୍କାର ପରେ ଏନେଇ ଏବେ ଉଠିଛି ଅନେକ ପ୍ରଶ୍ନ । ପଦ ପାଇବାର ୨୪ ଘଣ୍ଟା ନପୂରୁଣୁ ଏଭଳି ଘଟଣା ଦେଖିବାକୁ ମିଳିଛି । କଥା ଉଠୁଛି ଯେ ସେ ପ୍ରଥମେ ଦଳରୁ ବହିଷ୍କୃତ ହେଲେ ନା ପ୍ରଥମେ ପଦ ଛାଡିଲେ । ହେଲେ ସେ ପଦବୀରୁ ଇସ୍ତଫା ଦେଇ ଗଣମାଧ୍ୟମକୁ ବିବୃତ୍ତି ଦେଉଥିବା ବେଳେ ତାଙ୍କୁ ଦଳରୁ ବହିଷ୍କୃୃତ କରାଯାଇଥିବା ନେଇ ସୂଚନା ଆସିଥିଲା । ଯାହା ଘଟଣାକୁ ଗୋଳିଆ କରିଦେଇଛି ।

ସେ ବହିଷ୍କୃତ ହେବା ନେଇ ପ୍ରଛଦପଟ୍ଟରେ କ’ଣ ରହିଛି କାହାଣୀ । ତାହା ଏଯାଏ ସ୍ପଷ୍ଟ ହୋଇନଥିଲେ ବି ଗଣମାଧ୍ୟମ ଆଗରେ ଦଳବିରୋଧୀ ମନ୍ତବ୍ୟ ଦେବା ଓ ଦଳର ନିଷ୍ପତ୍ତି ଉପରେ ଅସନ୍ତୋଷ ଜାହିର କରିବା ତାଙ୍କ ପାଇଁ ମହଙ୍ଗା ପଡିଛି ବୋଲି କୁହାଯାଉଛି । ହେଲେ ବଡ କଥା ହେଉଛି, ଯେଉଁ ଢଙ୍ଗରେ ଦଳରେ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଗଲା, ତାକୁ ନେଇ ଅସନ୍ତୋଷ କୁହୁଳୁଛି । ଉପକୂଳରେ ଏହି ସ୍ଥିତି ଟିକେ ଅଧିକ ଗୋଳମାଳିଆ ରହିଛି ।

ବିଜୁ ଜନତା ଦଳର ଛାତ୍ର ଓ ଯୁବ ସଂଗଠନକୁ ସୁଦୃଢ କରିବା ନେଇ ଦଳ ପକ୍ଷରୁ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ଏହି ପରିବର୍ତ୍ତନରେ ସନ୍ତୁଷ୍ଟ ନଥିଲେ କଳ୍ପତରୁ । ଏପରିକି ଯେଉଁମାନେ ଦଳ ପାଇଁ କାମ କରୁଛନ୍ତି ସେମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଆଣିଥିଲେ । ଯାହାଙ୍କ ନେତୃତ୍ୱରେ କାମ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା, ତାକୁ ଅମାନ୍ୟ କରିଥିଲେ ଏହି ଯୁବ ନେତା । ଦଳୀୟ ସୁପ୍ରିମୋଙ୍କ ପାଖକୁ ଚିଠି ଲେଖି ପଦବୀ ସିନା ଛାଡିଥିଲେ ହେଲେ ଦଳରେ ରହି କାମ କରିବେ ବୋଲି ଜଣାଇଥିଲେ ।

ଗଣମାଧ୍ୟମରେ କଳ୍ପତରୁ କରିଥିବା ଅଭିଯୋଗ ମୁତାବକ ଯୋଗ୍ୟତା ନଥିବା ଓ ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇଥିବା ଲୋକଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ନିସ୍ୱାର୍ଥପର ଭାବେ ଦଳପାଇଁ ୧୬ ବର୍ଷଧରି କାମ କରୁଥିବା ବେଳେ ତାଙ୍କୁ ଦଳ ପକ୍ଷରୁ ଉପେକ୍ଷା କରାଗଲା । ବୟାନ ରଖିବାର ମାତ୍ର କେଇ ମିନିଟ ଭିତରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ପ୍ରେସ ରିଲିଜ ଜାରି କରାଗଲା ।

ତାଙ୍କର ବହିଷ୍କାରକୁ ନେଇ ବିଜୁ ଯୁବ ଜନତାଦଳର ସଭାପତି ବ୍ୟୋମକେଶ ରାୟ କହିଛନ୍ତି କି ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଦଳର ସୁପ୍ରିମୋ ତାଙ୍କୁ ବହଷ୍କାର କରିଛନ୍ତି । ଏହାସହ ତାଙ୍କ ନାମରେ ପୂର୍ବରୁ ଏଭଳି ଅନେକ ଅଭିଯୋଗ ରହିଛି । ହେଲେ ଗୋଟିଏ କଥା ସ୍ପଷ୍ଟ, ଯେଉଁ ବିରାଟ ତାଲିକା ଜାରି କରି ଯୁବ ଏବଂ ଛାତ୍ର ସଂଗଠନକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରାଗଲା, ତାହା ବିବାଦକୁ କମାଇବା ବଦଳରେ ବଢାଇ ଚାଲିଛି । ଆଗକୁ ଏଥିରେ ଆଉ କିଛି ଛାତ୍ର ନେତା ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳୁଛି ।