ରହସ୍ୟ ଘେରରେ ରାଜଧାନୀ ହତ୍ୟାକାଣ୍ଡ । କଣ ରହିଛି ହତ୍ୟାକାଣ୍ଡ ପଛର କାରଣ? ଖିଅ ଖୋଜୁଛି ପୋଲିସ

703

କନକ ବ୍ୟୁରୋ: ରହସ୍ୟ ବଢାଉଛି ଭୁବନେଶ୍ୱର ଭୀମଟାଙ୍ଗୀ ହତ୍ୟାକାଣ୍ଡ ଘଟଣା । ସନ୍ଦିଗ୍ଧ ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଆଉ ସେହି ଘରୁ ଜଣେ ଆହତ ଯୁବକଙ୍କ ଉପସ୍ଥିତି ପୋଲିସକୁ ଆହୁରି ଅଡୁଆରେ ପକାଇ ଦେଇଛି । ତେବେ ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି । ଆଉ ହତ୍ୟାକାଣ୍ଡ ପଛର ଖିଅ ଖୋଜୁଛି ପୋଲିସ ।

ତେବେ ହତ୍ୟାକାଣ୍ଡ ପଛର ଅନେକ କାରଣ ଏବେ ସାମ୍ନାକୁ ଆସୁଛି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ଥିଲା କି? ମୃତ୍ୟୁ ପଛରେ ପରକୀୟା ପ୍ରୀତି ମୁଖ୍ୟ କାରଣ କି? ସେ ଘରକୁ ସମ୍ପୃକ୍ତ ଯୁବକ କାହିଁକି ଆସିଥିଲେ? ମହିଳାଙ୍କ ପରିବାର ସହ ସମ୍ପୃକ୍ତ ଯୁବକଙ୍କ ବିବାଦ ଥିଲା କି ? ଯୋଜନାବଦ୍ଧ ଭାବେ ଆସିଥିଲେ କି ସମ୍ପୃକ୍ତ ଯୁବକ? ତେବେ ଏଭଳି ଅନେକ ପ୍ରଶ୍ନ ଏବେ ପୋଲିସ ସାମ୍ନାରେ ରହିଛି । ଆଉ ଏହି ପ୍ରଶ୍ନକୁ ଆଧାର କରି ପୋଲିସ ହତ୍ୟାକାଣ୍ଡର କାରଣ ଖୋଜୁଛି ।

୨୦୧୪ରେ ମହିଲାଙ୍କ ବିବାହ ହୋଇଥିଲା । ମୃତ ମହିଳା ଓ ତାଙ୍କ ସ୍ୱାମୀଙ୍କ ଘର ଯାଜପୁର ଜିଲ୍ଲାରେ । ତେବେ ରୁମରୁ ଉଦ୍ଧାର ହୋଇଥିବା ଆହତ ଯୁବକଙ୍କ ଘର ମଧ୍ୟ ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ସେହି ଘରେ କଣ ଘଟିଥିଲା? ଆଉ ହତ୍ୟାକାଣ୍ଡ ବେଳେ ଛୋଟ ପୁଅଟି କେଉଁଠି ଥିଲା ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

ଏହି ହତ୍ୟାକାଣ୍ଡ ଘଟଣାରେ ମୃତ ମହିଳାଙ୍କ ସ୍ୱାମୀକୁ ଅଟକ ରଖିଛି ପୋଲିସ । ଏହାସହ ସମ୍ପୃକ୍ତ ରୁମରୁ ଆହତ ଅବସ୍ଥାରେ ଉଦ୍ଧାର ଯୁବକ ମଧ୍ୟ ଅଟକ ରହିଛି । ଘଟଣା ନେଇ ପୋଲିସକୁ ଖବର ଦେଇଥିଲେ ମୃତ ମହିଳାଙ୍କ ସ୍ୱାମୀ । ତେବେ ମୃତ ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ସେ କେମିତି ହତ୍ୟାକାଣ୍ଡ ବିଷୟରେ ଜାଣିଲେ ? ହତ୍ୟାକାଣ୍ଡ ବିଷୟରେ ପୋଲିସ ଏହି ସବୁ କୋଣକୁ ଅନୁଧ୍ୟାନ କରୁଛି ।

ଆଜି ଭୀମଟାଙ୍ଗିସ୍ଥିତ ହାଉସିଂ ବୋର୍ଡ଼ କଲୋନୀରୁ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ଏୟାରଫିଲ୍ଡ ଥାନା ପୋଲିସ । ତେବେ ସେହି ଘରେ ଆଉ ଜଣେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ ।