କେମିତି ହେଲା ସୁରେଖାଙ୍କ ମୃତ୍ୟୁ ? ସବୁ ସତ ସାମ୍ନାକୁ ଆଣିଲା ପୋଲିସ ।

329

କନକ ବ୍ୟୁରୋ : ଭୁବନେଶ୍ୱର ଭରତପୁର ବସ୍ତିର ଯୁବତୀ ସୁରେଖା ପଲେଇଙ୍କ ମୃତ୍ୟୁ ପଛର ରହସ୍ୟ ଏବେ ପଦାକୁ ଆସିଛି । ହ୍ୱାଟ୍ସଆପ୍ ଚାଟରୁ ମିଳିଛି ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୁରୁଷ ବନ୍ଧୁଙ୍କୁ କଣ ମେସେଜ୍ ଦେଇଥିଲେ । ଏଥିସହ ଅଭିଯୁକ୍ତମାନଙ୍କୁ ନୟାଗଡରୁ ଧରିବା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି ପୋଲିସ ।

ହତ୍ୟା ନୁହେଁ ଆତ୍ମହତ୍ୟା । ଅଭିଯୁକ୍ତ କହିଲେ ଶେଷ ରାତିର ସତ । ଏକତରଫା ପ୍ରେମ ନେଲା ଯୁବତୀଙ୍କ ଜୀବନ । ଅଘଟଣ ଘଟିବା ପରେ କ୍ରାଇମ ସିନରୁ କେମିତି ପ୍ରମାଣ ନଷ୍ଟ କରି ରାତାରାତି ଭୁବନେଶ୍ୱରରୁ ନୟାଗଡ଼କୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ, ଆଉ ସୁରେଖାଙ୍କ ମୃତ୍ୟୁ କେମିତି ହେଲା, ତାର ହୋଇଛି ଖୁଲାସା । କ୍ରାଇମ ସ୍ପଟକୁ ଯାଇ ସିନ ରିକ୍ରିଏସନ ବେଳେ ଗୋଟି ଗୋଟି କରି ପୋଲିସ୍ ଆଗରେ ସତ ଉଗାଳିଛନ୍ତି ଅଭିଯୁକ୍ତ ।

କେମିତି ହେଲା ସୁରେଖାଙ୍କ ମୃତ୍ୟୁ ? ମୃତ୍ୟୁ ପରେ ଶବକୁ ସ୍ଥାନାନ୍ତର କରାଯାଇଥିଲା କି ? ନଜର ପକାନ୍ତୁ ପୁରା ଘଟଣାକ୍ରମ ଉପରେ । ୯ ଜାନୁଆରୀ, ସନ୍ଧ୍ୟା ୬ଟା ୩୦ ମିନିଟ୍ । ସୁରେଖା ତାଙ୍କ ପୁରୁଷ ବନ୍ଧୁ ବିଶ୍ୱଜିତ ଜେନା ଓରଫ ଛୋଟୁଙ୍କୁ ନିଜର ହାତ କାଟି ହ୍ୱାଟ୍ସଆପ ଯୋଗେ ମେସେଜ କରି ପ୍ରେମ ନିବେଦନ କରିଥିଲେ । ଏମିତି ନକରିବା ପାଇଁ ଛୋଟୁ ସୁରେଖାଙ୍କୁ ବାରଣ କରିଥିଲେ । ଆଉ ଏହା ପରେ ବିଳମ୍ବିତ ରାତିରେ ସୁରେଖା ଦଉଡ଼ି ସାହାଯ୍ୟରେ ଝୁଲି ଆତ୍ମହତ୍ୟା କରିଥିଲେ । ହେଲେ ଏହା ପରର ଘଟଣାକ୍ରମ ବେଶ୍ ସମ୍ବେଦନଶୀଳ । ସୁରେଖାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରୁ ବାହାର କରି ଅନ୍ୟତ୍ର ନେଇଥିଲେ ଓ ପ୍ରମାଣ ନଷ୍ଟ କରିବାକୁ କରିଥିଲେ ଉଦ୍ୟମ ।

ସୁୁରେଖାଙ୍କ ମୃତ୍ୟୁକୁ ସହଜେରେ ଗ୍ରହଣ କରିପାରିନଥିବା ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ହତ୍ୟାକାଣ୍ଡ ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏମ୍ସର ୫ ଜଣିଆ ଡାକ୍ତରୀ ଦଳର ପୋଷ୍ଟମର୍ଟମ ରିପୋର୍ଟ, ସାଇଣ୍ଟିଫିକ ଟିମର ରିପୋର୍ଟ ଓ ଅଭିଯୁକ୍ତଙ୍କ ବୟାନରୁ ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି ପୋଲିସ । ତେବେ ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା, ଦଫା ୨୦୧, ପ୍ରମାଣ ନଷ୍ଟ କରିବା ଦଫାରେ ଗିରଫ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।