ଗ୍ରାମାଞ୍ଚଳ ପିଲାଙ୍କ ଚିନ୍ତା ବଢ଼ାଇଲା ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି । ଉଠିଲା ପ୍ରଶ୍ନ, ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲା ଗଲେ କୁଆଡେ? ଶିକ୍ଷାବିତ୍ କହିଲେ, ସରକାରୀ ସ୍କୁଲରେ କମୁଛି ମାନ, ଘରୋଇ ସ୍କୁଲ ପ୍ରତି ବଢୁଛି ଆଗ୍ରହ ।

853

କନକ ବ୍ୟୁରୋ : ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ପିଲାଙ୍କ ଚିନ୍ତା ବଢ଼ାଇଦେଇଛି । ସ୍କୁଲ ବନ୍ଦ ନିଷ୍ପତିକୁ ନେଇ ଦୁଇ ଦିନ ବିଧାନସଭାରେ ହଙ୍ଗାମା ପରେ ସରକାର କିଛି ସର୍ତ ବଦଳାଇଥିଲେ ମଧ୍ୟ ବନ୍ଦ କରିବା ଜିଦିରେ ଅଟଳ ରହିଛନ୍ତି । ଏବେ ପ୍ରଶ୍ନ ଉଠୁଛି ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲା ଗଲେ କୁଆଡେ । ବେସରକାରୀ ସ୍କୁଲ ପ୍ରତି କାହିଁକି ବଢ଼ୁଛି ପିଲାଙ୍କ ଆଗ୍ରହ ।

କାହିଁକି ବନ୍ଦ ବା ମିଶ୍ରଣ ହେବ ସ୍କୁଲ ? ସ୍କୁଲ ବନ୍ଦ ଯାଏଁ କଥା ଗଲା କାହିଁକି ? ରାଜ୍ୟ ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନରୁ ଗୋଟିଏ କଥା ହୁଏତ ସ୍ପଷ୍ଟ ଯେ, ରାଜ୍ୟ ସରକାର ସ୍କୁଲ ବନ୍ଦ ବା ମିଶ୍ରଣ କରିବା ନେଇ ଏକ ପ୍ରକାର ଅଟଳ । ଅବଶ୍ୟ ଆଦିବାସୀ ବହୁଳ ଏବଂ କେବିକେ ଅଂଚଳରେ ୧୫ରୁ କମ୍ ପିଲାଥିଲେ, ଏହି ନିଷ୍ପତି ଲାଗୁ ହେବ । କିନ୍ତୁ ପ୍ରଶ୍ନ ହେଉଛି, ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲା ଗଲେ କୁଆଡେ ? ସ୍କୁଲରେ ୧୫ରୁ କମ୍ ପିଲା ନହେବା ପାଇଁ ଦାୟୀ କିଏ ? ବେସରକାରୀ ସ୍କୁଲ ଆଡକୁ କାହିଁକି ମୁହାଁଇଲେ ସ୍କୁଲ ପିଲା ?

ବିଧାନସଭାରେ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ,
-ରାଜ୍ୟରେ ୧୪ ହଜାର ୩୮୨ଟି ସ୍କୁଲରେ ୪୦ରୁ କମ ପିଲା ଥିଲେ
-ଅନୁଧ୍ୟାନ ପରେ ୮ ହଜାର ୨୭୨ ସ୍କୁଲ ବନ୍ଦ ପାଇଁ ସୁପାରିସ କରିଥିଲା ଜିଲ୍ଲା କମିଟି
-ଆଉ ଜନପ୍ରତିନିଧିଙ୍କ ଆପତି ପରେ ୭ ହଜାର ୭୭୨ଟି ସ୍କୁଲକୁ ବନ୍ଦ କରିବା ପାଇଁ ନିଷ୍ପତି ହୋଇଛି ।

ଆଉ ଏହି ସ୍କୁଲ ବନ୍ଦ ବା ମିଶ୍ରଣ ନିଷ୍ପତ୍ତି ପଛରେ କେଉଁଠି ନା କେଉଁଠି ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାର ଅବକ୍ଷୟ ହିଁ ଦାୟୀ ବୋଲି କୁହାଯାଉଛି । ବଡ଼ କଥା ହେଉଛି ଏହାରି ଭିତରେ ରାଜ୍ୟର ଯେକୌଣସି ସ୍ଥାନରେ ଇଂରାଜୀ କିମ୍ବା ଓଡ଼ିଆ ମାଧ୍ୟମ ଘରୋଇ ସ୍କୁଲ ଖୋଲିବାକୁ ବିଜ୍ଞାପନ ବାହାରିଛି । ଆଉ ଏଥିପାଇଁ ରାଜ୍ୟ ସରକାର ଅନୁମତି ଦେବେ ବୋଲି କୁହାଯାଇଛି । ଯେତେବେଳେ ସରକାରୀ ସ୍କୁଲ ବନ୍ଦ ହେବାକୁ ଯାଉଛି, ସେତେବେଳେ ଘରୋଇ ସ୍କୁଲ ପ୍ରତି ପ୍ରୋତ୍ସାହନ ଅନେକ ପ୍ରଶ୍ନ ଛିଡ଼ା କରିଛି ।