ମୋ ବସରୁ ଯାତ୍ରୀଙ୍କୁ ଠେଲିଦେବା ଅଭିଯୋଗରେ ନୂଆ ମୋଡ଼ । ସାମ୍ନାକୁ ଆସିଲା ସିସିଟିଭିର ଚିତ୍ର, କଣ୍ଡକର ଠେଲିନଥିଲେ ସତ କିନ୍ତୁ ବସର ଡୋର ଖୋଲିଲା କେମିତି ତାକୁ ନେଇ ଉଠିଛି ପ୍ରଶ୍ନ ।

269

କନକ ବ୍ୟୁରୋ : ମୋ ବସରେ ଯାତ୍ରା ସମୟରେ ଏକ ଦୁର୍ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଛି । ଆଉ ବିବାଦଟି ହେଲା ବସ ଚକା ତଳେ ଆସି ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କୁ କିଏ ଠେଲିଦେଇଥିଲା କି ? ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି, ତାଙ୍କୁ ବସର କଣ୍ଡକ୍ଟର ଚଳନ୍ତା ବସରୁ ତଳକୁ ଠେଲିଦେଇଥିବାରୁ ସେ ବସ ଚକା ତଳକୁ ଆସିଗଲେ । କିନ୍ତୁ ଘଟଣା ଘଟିବା ସମୟର ବସ ଭିତରେ ଲାଗିଥିବା ସିସିଟିଭି ଚିତ୍ର ବୟାନ କରୁଛି ଏହି ଅଭିଯୋଗ ସତ ନୁହେଁ ।

ମୋ ବସରେ ଘଟିଥିବା ଏହି ଦୁର୍ଘଟଣା ଯେତିକି ସାଂଘାତିକ ତାଠାରୁ ଅଧିକ ବିବାଦୀୟ ହୋଇପଡିଛି । ନିର୍ମଳେନ୍ଦୁ ପରିଡା ନାମକ ଏହି ବ୍ୟକ୍ତି ଜଣଙ୍କ ବସ ଚକା ତଳେ ଆସିଯିବାରୁ ତାଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି । ନିର୍ମଳେନ୍ଦୁଙ୍କ ପୁଅ ବସ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଯେ, ମୋ ବସରେ ଯାତ୍ରା କରୁଥିବା ସମୟରେ ହଂସପାଳ ନିକଟରେ ବସର କଣ୍ଡକ୍ଟର ତାଙ୍କୁ ବସରୁ ଠେଲି ଦେବାରୁ ଏହି ଦୁର୍ଘଟଣା ଘଟିଲା ।

ଥାନାରେ ଏତଲା ପରେ ସାମନାକୁ ଆସିଛି ସିସିଟିଭି ଭିଡିଓ । ଯେଉଁଥିରେ ଜଣାପଡିଛି ଯେ, ବସରେ ଥିବା କଣ୍ଡକ୍ଟରଙ୍କ ସହ ନିର୍ମଳେନ୍ଦୁଙ୍କ ପ୍ରଥମେ ବଚସା ହୋଇଥିଲା । ନିର୍ମଳେନ୍ଦୁ ବସ କଣ୍ଡକ୍ଟରଙ୍କ ବ୍ୟାଗ ଓ ହାତକୁ ଧରି ଟଣାଓଟରା କରିଥିଲେ । ଆଉ କିଛି ମହିଳା ପାସେଞ୍ଜର ମଧ୍ୟ ନିର୍ମଳେନ୍ଦୁଙ୍କୁ କିଛି କହୁଥିଲେ । ଏସବୁ ଭିତରେ ନିର୍ମଳେନ୍ଦୁ ବସର ମୁଖ୍ୟ ଡୋରକୁ ଆଉଜି ଛିଡା ହୋଇଥିଲେ ଏବଂ ଡୋରକୁ ବାଡାଉଥିଲେ । ଏହି ସମୟରେ ଅଚାନକ ଡୋର ଖୋଲିଯାଇଥିଲା ଏବଂ ନିର୍ମଳେନ୍ଦୁ ତଳେ ପଡିଯାଇଥିଲେ । କିନ୍ତୁ ସିସିଟିଭି ଭିଡିଓରୁ କଣ୍ଡକ୍ଟର ତାଙ୍କୁ ଠେଲିବା ଅଭିଯୋଗ ସତ ପ୍ରମାଣିତ ହେଉନାହିଁ । ଡୋରଟି ଅଚାନକ ଖୋଲିଛି ଏହଂ ସେ ତଳେ ପଡିଯିବାର ଦେଖିବାକୁ ମିଳୁଛି ।

କେମିତି ଅଚାନକ ଖୋଲିଲା ଚଳନ୍ତା ବସର ଡୋର? କିଏ ଖୋଲିଲା ଚଳନ୍ତା ବସର ଡୋର ? ତଳେ ଖସି ପଡ଼ିବା ପରେ ମଧ୍ୟ ବସଟି ଅଟକି ନଥିଲା କାହିଁକି? ଏସବୁ ପ୍ରଶ୍ନ ସ୍ୱାଭାବିକ ଭାବରେ ସମସ୍ତଙ୍କ ମନକୁ ଆସୁଛି । ଯେ କେମିତି ନିର୍ମଳେନ୍ଦୁ ଆଉଜି ଥିବା ସମୟରେ ଡୋର ଖୋଲିଗଲା । ତାଙ୍କୁ ପକାଇବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଡୋର ଖୋଲାଯାଇଥିଲା ନା ନିର୍ମଳେନ୍ଦୁ ଡୋର ବାଡେଇବାରୁ ଡୋରକୁ ଖୋଲାଯାଇଥିଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।