କନକ ବ୍ୟୁରୋ : କୋଟି କୋଟି ଟଙ୍କାରେ ବସ୍ କିଣାଗଲା। ଗୋଟିଏ କି ଦୁଇଟି ନୁହେଁ , ଶତାଧିକ ବସ୍। କିଛି ବର୍ଷ ଗଡ଼ିବା ପରେ ଏହା ଏବେ ଖତ ଖାଉଛି। ସରକାର ଏକ ଅଜବ ନିଷ୍ପତ୍ତି ନେଇଛନ୍ତି। ପୁରୁଣା ସିଟି ବସ୍ଗୁଡ଼ିକୁ ଭୁବନେଶ୍ବର ସହରର ଭିଡ଼ ଅଞ୍ଚଳରେ ଭ୍ରାମ୍ୟମାଣ ପରିସ୍ରାଗାର ଭାବେ ବ୍ୟବହାର କରାଯିବ। ବିଭାଗୀୟ ବାବୁମାନେ ଯୁକ୍ତି କରିଛନ୍ତି, ଏପରି ବ୍ୟବସ୍ଥା ବଡ଼ ବଡ଼ ସହରରେ ଅଛି। ଏଠି ହେବ। ବାକି ସବୁ କବାଡ଼ିବାଲାଙ୍କ ପାଖକୁ ଯିବ।
/kanak/media/post_attachments/wp-content/uploads/2019/09/download-1-1.jpg)
/kanak/media/post_attachments/wp-content/uploads/2019/09/download-1-2.jpg)
ନୂଆ ପରିବହନ ବ୍ୟବସ୍ଥାରେ ବିଭାଗ ନିଷ୍ପତ୍ତି ନେଇଥିଲା ବଳକା ସିଟି ବସଗୁଡ଼ିକୁ ମୋ ବସ୍ ସେବାରେ ନିୟୋଜିତ କରାଯିବ। ଏ ନେଇ ଡ୍ରିମ୍ ଟିମ୍ ସାହାରାକୁ ଟେଣ୍ଡର ମିଳିଥିଲେ ବି ସରକାର କମ୍ପାନି ସହ ସାନି ଚୁକ୍ତିପତ୍ର ନ କରିବାରୁ ସେସବୁ ବସଗୁଡ଼ିକ ଚଳାଚଳ ନକରି ସ୍ଥାନୀୟ ପୋଖରୀପୁଟ ଡିପୋରେ ପଡ଼ି ରହିଛି। ଏପରିକି ବର୍ଷା ଖରାରେ ସେ ବସ୍ଗୁଡ଼ିକ ଧୀରେ ଧୀରେ ଅଚଳ ହେବାକୁ ବସିଲାଣି।
ଅତୀତରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଓଡ଼ିଶା ସଡ଼କ ପରିବହନ ନିଗମ ୧୬୯ କୋଟି ଟଙ୍କା କ୍ଷତି କରି ଦେବାଳିଆ ସ୍ଥିତିକୁ ଯାଇଥିବା ନଜିର ରହିଛି। କୋଟି କୋଟି ଟଙ୍କାରେ କିଣାଯାଇଥିବା ଓଏସଆରଟିସି ବସଗୁଡ଼ିକର ଭାଗ୍ୟ କ’ଣ ହୋଇଛି, ତାହା କାହାକୁ ଅଛପା ନାହିଁ। ରାଜ୍ୟବାସୀଙ୍କୁ ପରିବହନ ସେବା ଯୋଗାଇବା ପାଇଁ ୧୯୭୪ ମସିହାରୁ ଓଏସଆରଟିସି ଗଠନ ହୋଇଥିଲା। ଏହି ନିଗମକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବାକୁ ଯାଇ ଗତ ମାସରେ ସରକାର କ୍ୟାବିନେଟ ନିଷ୍ପତ୍ତି ମୁତାବକ ପୁରୁଣା ଦେୟ ଛାଡ଼ କରିବା ସହ ନୂତନ ଋଣ କରିବାକୁ ବାଟ ଖୋଲିଛନ୍ତି। ଏପରିସ୍ଥଳେ ବର୍ତମାନର ବସ୍ ଚଳାଚଳ ଫର୍ମୁଲା ଓ ପୁରୁଣା ବସକୁ ପରିସ୍ରାଗାର କରାଯିବା ନିଷ୍ପତ୍ତି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଗାଟିଏ ପଟେ ୧୦ରୁ ଅଧିକ ବର୍ଷର ଘରୋଇ ବସକୁ ସରକାର ଚଳାଚଳ ପାଇଁ ଅନୁମତି ଦେଉଥିବା ବେଳେ ତା’ଠାରୁ ଢେର୍ କମ୍ କିଲୋମିଟର ଗଡ଼ିଥିବା ସିଟି ବସକୁ କେଉଁ କାରଣ ପାଇଁ ଖତ କରିବାକୁ ଦିଆଗଲା, ତାହା ଏକ ବଡ଼ ତଦନ୍ତକୁ ଅପେକ୍ଷା କରୁଛି।
ଉଲ୍ଲେଖଯୋଗ୍ୟ, ସହରବାସୀଙ୍କୁ ପରିମଳ ବ୍ୟବସ୍ଥାର ଆଉ ଗୋଟିଏ ନମୁନା ଦେଖାଇବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଯୋଜନା କରୁଛି। ସହରରେ ଲୋକେ ଏଠିସେଠି ମଳମୂତ୍ର ତ୍ୟାଗ ନକରି ଭ୍ରାମ୍ୟମାଣ ବସକୁ ବ୍ୟବହାର କରିବେ। ଏଥିପାଇଁ ପୁରୁଣା ସିଟି ବସଗୁଡ଼ିକୁ ବ୍ୟବହାର କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ବିଭାଗର ଜନୈକ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି, ସ୍ମାର୍ଟ ସିଟିର କେତେକ ଭିଡ଼ ଅଞ୍ଚଳରେ ପରିସ୍ରାଗାର ନଥିବା ଯୋଗୁଁ ଲୋକେ ରାସ୍ତାକଡ଼, ସରକାରୀ କୋଠା ପାଚେରି ଓ ଘରୋଇ ଲୋକମାନଙ୍କ ପାଚେରି କଡ଼ରେ ପରିସ୍ରା କରୁଛନ୍ତି। ଯାହାକି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି।
ଏହି ସମସ୍ୟାକୁ ଦୂର କରିବାକୁ ଭୁବନେଶ୍ବର ମହାନଗର ନିଗମ ପୁରୁଣା ସିଟି ବସରେ ଭ୍ରାମ୍ୟମାଣ ପରିସ୍ରାଗାର କରିବାକୁ ପ୍ରସ୍ତାବ ଦେଇଥିଲା। ଅଧିକାରୀଜଣକ କହିଛନ୍ତି, ବଡ଼ ବଡ଼ ମେଟ୍ରୋ ସହରରେ ଭିଡ଼ ସ୍ଥାନଗୁଡ଼ିକରେ ଭ୍ରାମ୍ୟମାଣ ପରିସ୍ରାଗାରର ବ୍ୟବସ୍ଥା ହୋଇଥିବା ନଜିର ରହିଛି। ଏଥିପାଇଁ ୮ରୁ ୧୦ଟି ପୁରୁଣା ସିଟି ବସରେ ଭ୍ରାମ୍ୟମାଣ ପରିସ୍ରାଗାର ନିର୍ମାଣ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ପ୍ରଶ୍ନ ଉଠୁଛି କୋଟି କୋଟି ଟଙ୍କାର ବସ୍ କିଣା ହୋଇଥିଲା କ’ଣ ପରିସ୍ରାଗାର କରିବା ପାଇଁ?