ବୈଜୟନ୍ତଙ୍କ ଗତି କୁଆଡେ? କେତେବେଳେ କାହା ପଟକୁ ଢଳୁଛନ୍ତି, ଆଉ କାହା ସହ ସମୀକରଣ କରିବାକୁ ମନସ୍ଥ କରୁଛନ୍ତି, ବୁଝାପଡୁନି । ଏମିତି ସ୍ଥିତି ଏବେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର । ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବାର ଅଢେଇ ମାସ ପରେ ମଧ୍ୟ ଠୋସ୍ ନିଷ୍ପତ୍ତି ନେଇପାରୁନାହାନ୍ତି ଆଗାମୀ ପଦକ୍ଷେପ ବାବଦରେ ।
ନିକଟରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀଙ୍କ ନିକଟରେ ବୈଜୟନ୍ତ ବସିଥିବାର ଚିତ୍ର ସାମ୍ନାକୁ ଆସିଥିଲା । ସେହିଭଳି ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବୈଜୟନ୍ତଙ୍କୁ ଭେଟିଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା । ଆଉ ଏହାରି ଭିତରେ ଦାମୋଦର ରାଉତ ନୂଆ ଦଳ କଥା କହି କଂଗ୍ରେସ ଭବନକୁ ଯାଇ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ସମସ୍ତ ଆକଳନ ପ୍ରତି ମୁହୂର୍ତ୍ତରେ ନୂଆ ମୋଡ ନେବାରେ ଲାଗିଛି ।
କିଛି ଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କହିଥିଲେ, ରାଜ୍ୟରେ ଏକ ନୂଆ ଆଂଚଳିକ ଦଳ ଗଠନ ହେବ, ଏହା ପଛରେ ବୈଜୟନ୍ତଙ୍କର ସମର୍ଥନ ରହିଛି । ହେଲେ ଏହାକୁ ତୁରନ୍ତ ଖଣ୍ଡନ କରିଥିଲେ ବୈଜୟନ୍ତ । କହିଥିଲେ, ସେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛନ୍ତି ଏବଂ ଓଡିଶାର ରାଜନୈତିକ ଭବିଷ୍ୟତ ନେଇ ଆଲୋଚନା କରୁଛନ୍ତି । ସବୁ ବିକଳ୍ପ ଖୋଲା ରହିଛି । ଯେତେବେଳେ ସେ କୈାଣସି ନିଷ୍ପତ୍ତି ନେବେ, ନିଜେ କହିବେ ଅନ୍ୟ କାହା ମାଧ୍ୟମରେ ନୁହେଁ ।
ଏହି ଉକ୍ତି ଜରିଆରେ ପରୋକ୍ଷରେ ଦାମୋଦର ରାଉତଙ୍କ ଉକ୍ତିକୁ ଖଣ୍ଡନ କରିଥିଲେ ବୈଜୟନ୍ତ । ହେଲେ ପ୍ରଶ୍ନ ଉଠୁଛି, ଏତେ ଦିନ ପରେ ମଧ୍ୟ କାହିଁକି ଏକ ଠୋସ୍ ନିଷ୍ପତ୍ତି ନେଇ ପାରୁନାହାନ୍ତି କେନ୍ଦ୍ରାପଡାର ଏହି ପୂର୍ବତନ ସାଂସଦ । ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲୁଥିବା ବେଳେ କଂଗ୍ରେସ ଆଉ ନୂଆ ଦଳ କଥାକୁ ମଧ୍ୟ ସଂପୂର୍ଣ୍ଣ ଅସ୍ୱୀକାର କରାଯାଇ ପାରୁନାହିଁ ।
ଗତ କିଛି ଦିନ ହେବ ବୈଜୟନ୍ତ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରୁଥିବାର ଚିତ୍ର ଦେଖିବାକୁ ମିଳୁଛି । ‘ହେଇଯାଉ’ କାର୍ଯ୍ୟକ୍ରମ ଜରିଆରେ କଣ ଲୋକଙ୍କ ଠାରୁ ମତ ସଂଗ୍ରହ କରୁଛନ୍ତି କି ଏହି ପୂର୍ବତନ ସାଂସଦ?୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳ ବୈଜୟନ୍ତଙ୍କର ଆଭିମୁଖ୍ୟ ଉପରେ ନଜର ରହିଛି ।
ହେଲେ ଏହାରି ଭିତରେ କିନ୍ତୁ ବେଶ ବିବାଦୀୟ ମଧ୍ୟ ହୋଇଛନ୍ତି ବୈଜୟନ୍ତ । ଚିଲିକା ଉପରେ ହେଲିକପଟର ଉଡାଇବାର ଅଭିଯୋଗ ରହିଛି । ତାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଓଡିଶା ବାବଦରେ ବିବାଦୀୟ ଟିପ୍ପଣୀ ଦେଇ ରୋଷର ଶୀକାର ହୋଇଛନ୍ତି । ଆଉ ଏସବୁ ଭିତରେ ୨୦୧୯ ନିର୍ବାଚନ ବେଳକୁ ବୈଜୟନ୍ତ ପଣ୍ଡା କଣ ଆଭିମୁଖ୍ୟ ପୋଷଣ କରୁଛନ୍ତି, ତା’ଉପରେ ସମସ୍ତଙ୍କ ନଜର ରହିଛି ।