କନକ ବ୍ୟୁରୋ : ଆରୟନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ଆଜି ହେବ ଶୁଣାଣି । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହେବ । ଆରୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ବି ଆରୟନଙ୍କ ହ୍ୱାଟ୍ସଆପ୍ ଚାଟରୁ ସେ ପେଡଲରଙ୍କ ସହ ଲିଙ୍କ୍ ନେଇ ପ୍ରମାଣ ପାଇଥିଲା ଏନସିବି । ଏହାର ତଦନ୍ତ ହେବା ଦରକାର ବୋଲି ଏନସିବି କୋର୍ଟରେ ଦାବି କରି ଆସୁଛି । ଆରୟନ ଅରବାଜଙ୍କ ପାଖରୁ ଡ୍ରଗ୍ସ ନେଉଥିବା ମଧ୍ୟ ଏନସିବି କୋର୍ଟରେ ପ୍ରମାଣ ରଖିଥିଲା । । ଶାହରୁଖଙ୍କ ପୁଅ ଆରୟନ ଏବେ ମୁମ୍ବାଇ ସ୍ଥିତ ଆରଥର ରୋଡ୍ ଜେଲରେ ରହିଛନ୍ତି । ଜେଲରେ ଆରୟାନଙ୍କୁ କଏଦୀ ନମ୍ବର ୯୫୬ ବ୍ୟାଚ ରହିଛି । ଅକ୍ଟୋବର ୨ରେ ଆରୟନ ଖାନଙ୍କୁ ମୁମ୍ବାଇ କ୍ରୁଜ୍ରେ ଚାଲିଥିବା ଏକ ଡ୍ରଗ୍ସ ପାର୍ଟରୁ ଗିରଫ କରିଥିଲା ଏନସିବି ।
ଅନ୍ୟପକ୍ଷରେ ୱାଙ୍ଖଡ଼େଙ୍କ ଅଡ଼ୁଆ ବଢ଼ିଛି । ଆରୟନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କାର ଡିଲ୍ ହୋଇଥିବା ନେଇ ଅଭିଯୋଗ ପରେ ଏବେ ତାଙ୍କ ନାମ ଓ ଜାତି ପ୍ରମାଣପତ୍ରକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଏକ ଟ୍ବିଟ୍ କରିଛନ୍ତି । ସେ ୱାଙ୍ଖଡ଼େଙ୍କ ଜନ୍ମ ପ୍ରମାଣପତ୍ର ଟ୍ବିଟ୍ କରି ଦର୍ଶାଇଛନ୍ତି ଯେ ସେଥିରେ ତାଙ୍କ ନାଁ ସ୍ପଷ୍ଟଭାବେ ଲେଖା ଅଛି ‘ସମୀର ଦାଉଦ ୱାଙ୍ଖଡ଼େ’। ନୱାବ ମଲିକ କରିଥିବା ଟ୍ବିଟ୍ ବିରୋଧରେ ୱାଙ୍ଖଡ଼େ ଏକ ପ୍ରେସ୍ ବିବୃତି ଜାରି କରିବା ସହ କହିଛନ୍ତି ଯେ ତାଙ୍କ ବାପା ହିନ୍ଦୁ ଓ ମାଆ ଜଣେ ମୁସଲମାନ ଥିଲେ । ୱାଙ୍ଖଡ଼େ କହିଛନ୍ତି ଯେ, ତାଙ୍କ ବାପା ଶ୍ରୀ ଜ୍ଞାନଦେବ କାଚରୁଜୀ ୱାଙ୍ଖଡ଼େ ରାଜ୍ୟ ଅବକାରୀ ବିଭାଗ, ପୁଣେରୁ ଜଣେ ବରିଷ୍ଠ ପୁଲିସ ଇନ୍ସ୍ପେକ୍ଟର ଭାବେ ୩୦-୦୬-୨୦୦୭ରେ ଅବସର ନେଇଥିଲେ। ତାଙ୍କ ବାପା ଜଣେ ହିନ୍ଦୁ ଏବଂ ସ୍ବର୍ଗତା ମାଆ ଜାହିଦା ଜଣେ ମୁସଲିମ୍ ଥିଲେ । ସେ ପ୍ରକୃତ ଭାରତୀୟ ପରମ୍ପରାକୁ ଧରି ରଖିଥିବା ଏକ ମିଶ୍ରିତ ବହୁଧର୍ମାବଲମ୍ବୀ ପରିବାରରେ ଜନ୍ମ ହୋଇଛନ୍ତି ଏବଂ ତାଙ୍କ ଐତିହ୍ୟ ପାଇଁ ସେ ଗର୍ବିତ । ସେ ଡ. ଶାବନା କ୍ୟୁରେଶୀଙ୍କୁ ୨୦୦୬ରେ କୋର୍ଟ ମ୍ୟାରେଜ୍ କରିଥିଲେ ।
ଉଭୟେ ପାରସ୍ପରିକ ବୁଝାମଣାରେ ୨୦୧୬ରେ ଛାଡ଼ପତ୍ର ଦେଇଥିଲେ । ପରେ ୨୦୧୭ରେ ସେ ଶ୍ରୀମତୀ କ୍ରାନ୍ତି ଦୀନନାଥ ରେଡ୍କାରଙ୍କୁ ବିବାହ କରିଥିବା ୱାଙ୍ଖଡ଼େ କହିଛନ୍ତି । ମଲିକଙ୍କ ଟ୍ବିଟ୍ ଉପରେ ୱାଙ୍ଖଡ଼େ କହିଛନ୍ତି ଯେ ତାଙ୍କର ବ୍ୟକ୍ତିଗତ ଡକୁମେଣ୍ଟ ଟ୍ବିଟରରେ ପୋଷ୍ଟ କରିବା ହେଉଛି ମାନହାନିମୂଳକ ଏବଂ ତାଙ୍କ ପାରିବାରିକ ଗୋପନୀୟତା ଭିତରେ ଅବାଞ୍ଛିତ ଅନୁପ୍ରବେଶ । ଏହା ତାଙ୍କୁ, ତାଙ୍କ ବାପା, ସ୍ବର୍ଗତା ମାଆ ଓ ପରିବାରକୁ ବଦନାମ କରିବା ପାଇଁ ଉଦ୍ଦିଷ୍। କିଛିଦିନ ହେଲା ମନ୍ତ୍ରୀ ମଲିକ ତାଙ୍କ ମାନସିକ ଓ ଆବେଗିକ ଚାପ ବଢ଼ାଇଦେଇଛନ୍ତି । ବ୍ୟକ୍ତିଗତ, ସମ୍ମାନହାନିମୂଳକ ଓ ଉଦ୍ଦେଶ୍ୟମୂଳକ ମିଥ୍ୟା ଆକ୍ରମଣରେ ସେ ଅତ୍ୟନ୍ତ କଷ୍ଟ ପାଉଛନ୍ତି ବୋଲି ୱାଙ୍ଖଡ଼େ ଉକ୍ତ ପ୍ରେସ୍ ବିବୃତିରେ ଉଲ୍ଲେଖ କରିଛନ୍ତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/6-34.jpg)