କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ସଂସଦରେ ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିବେ । ଏହି ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି । ପେଗାସସ୍ ସମେତ ଚୀନ୍, ମୁଦ୍ରାସ୍ପୀତି, ବେକାରୀ ଏବଂ ଚାଷୀ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବାକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ଦଳ ସଦସ୍ୟମାନେ ରଣନୀତି ପ୍ରସ୍ତୁତ କରିଛନ୍ତି ।

Advertisment

ଏଥର ବଜେଟ୍ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ହେବାର ସମ୍ଭାବନା ରହିଛି । ପେଗାସସ୍ ସ୍ପାଲୱେୟାର ମାମଲାରେ ବିଦେଶୀ ଗଣମାଧ୍ୟମ ରିପୋର୍ଟକୁ ନେଇ ହଇଚଇ ସଅଷ୍ଟି ହୋଇଛି । କେନ୍ଦ୍ର ସରକାର ଇସ୍ରାଏଲଠାରୁ ଏହି ସ୍ପାଏୱେର କିଣିବା ସଂକ୍ରାନ୍ତ ରିପୋର୍ଟକୁ ନେଇ ମୋଦୀ ସରକାରଙ୍କୁ ଘେରିଛି କଂଗ୍ରେସ । ସେହିପରି ପୂର୍ବ ଲଦାଖରେ ଚୀନ୍ର ଅନୁପ୍ରବେଶ ଭଳି ପ୍ରସଙ୍ଗରେ ବିରୋଧୀ ଦଳମାନେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ।

ସଂସଦର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଆଜି ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ଅର୍ଥନୈତିକ ସର୍ଭେରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ପାଖାପାଖି ୯ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଉଛି । ନିକଟରେ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ଅଭିବୃଦ୍ଧି ୮ ଦଶମିକ ୭ ପ୍ରତିଶତ ରହିବା ସମ୍ଭାବନା ରହିଛି ।

ଗତବର୍ଷ ଜାନୁଆରୀରେ ପ୍ରକାଶ ପାଇଥିବା ଅର୍ଥନୈତିକ ସର୍ଭେ ୨୦୨୦-୨୧ ରିପୋର୍ଟରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୧୧ ପ୍ରତିଶତ ରହିବା ଆକଳନ କରାଯାଇଥିଲା । କରୋନା ମହାମାରୀ ପୂର୍ବରୁ ଅର୍ଥନୀତିର ସ୍ଥିତି ସୁଧୁରିଛି । ତେଣୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ କିଛିଟା ଗୋଲାପି ଚିତ୍ର ଦେଖାଇପାରନ୍ତି ।

ଜାଣନ୍ତୁ ଅର୍ଥନୈତିକ ସର୍ଭେ ରିପୋର୍ଟ କ’ଣ ?

- ଅର୍ଥନୀତିର ବାର୍ଷିକ ରିପୋର୍ଟ କାର୍ଡ ହେଉଛି ଅର୍ଥନୈତିକ ସର୍ଭେ
- ପ୍ରତ୍ୟେକ କ୍ଷେତ୍ରର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥାଏ
- ଭବିଷ୍ୟତ ପାଇଁ କ’ଣ ପଦକ୍ଷେପ ନେବାର ଆବଶ୍ୟକତା ରହଛିି ସେନେଇ ପରାମର୍ଶ ଦିଆଯାଏ
- ଅର୍ଥ ମନ୍ତ୍ରାଳୟ ଅଧୀନ ଅର୍ଥନୈତିକ ବ୍ୟାପାର ବିଭାଗର ଅର୍ଥନୈତିକ ଶାଖା ରିପୋର୍ଟ ପ୍ରସ୍ତୁତ କରେ
- ରିପୋର୍ଟ ପ୍ରସ୍ତୁତ ପାଇଁ ଅର୍ଥନୈତିକ ପରାମର୍ଶଦାତା ଦିଗ୍ଦର୍ଶନ ଦେଇଥାନ୍ତି
- ପୂର୍ବ ଆର୍ଥିକ ବର୍ଷର ଆର୍ଥିକ ବିକାଶ ସଂପର୍କରେ ଏଥିରେ ବିଶ୍ଲେଷଣ କରାଯାଇଥାଏ
- ୧୯୬୪ ମସିହାରୁ ବଜେଟ୍ରୁ ଅର୍ଥନୈତିକ ସର୍ଭେକୁ ଅଲଗା କରାଯାଇଛି

୧୦ ପିଏମ୍ ବିଜ ଆସନ୍ତାକାଲି ଆସିବ ସାଧାରଣ ବଜେଟ୍ । ୨୦୨୦-୨୩ର ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବଜେଟ୍ ଅଧିବେଶନରେ ଅନେକ କଟକଣା ରଖାଯାଇଛି ।

- ଅଧିବେଶନରେ ସାମାଜିକ ଦୂରତା ନିୟମ ପାଳନ କରାଯିବ
- ପ୍ରଥମ ଦୁଇ ଦିନରେ ଶୂନ୍ୟକାଳ କିମ୍ବା ପ୍ରଶ୍ନକାଳ ରହିବ ନାହିଁ
- ଲୋକସଭା ଏବଂ ରାଜ୍ୟସଭା ଭିନ୍ନ ଭିନ୍ନ ସମୟରେ ହେବ
- ରାଜ୍ୟସଭା ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ
- ଲୋକସଭା ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ
- ୧ ତାରିଖରେ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ
- ଏଥର ମଧ୍ୟ ଆଗତ ହେବ ପେପରଲେସ୍ ବଜେଟ୍
- ୟୁନିୟନ୍ ବଜେଟ୍ ଆପ୍ରେ ବଜେଟ୍ ଦେଖିପାରିବେ ସାଂସଦ
- କରୋନ ଯୋଗୁ ହୋଇନାହିଁ ପାରମ୍ପରିକ ହଲୱା ସେରିମନି
- ହଲୱା ବଦଳରେ ବଜେଟ୍ ପ୍ରସ୍ତୁତକାରୀ ଅଧିକାରୀଙ୍କୁ ଦିଆଯାଇଛି ମିଠା
- ବୁଧବାରଠାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା
- ୭ ତାରିଖରେ ବକ୍ତବ୍ୟ ରଖିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ