ସ୍ପିଡ୍ ପେଟ୍ରୋଲ କଣ ? କଣ ପାଇଁ ଏହାର ଦାମ ଅଧିକ ? ସତରେ କଣ ଅଧିକ ମାଇଲେଜ ଦେଇଥାଏ ?

391

ସ୍ପିଡ୍ ପେଟ୍ରୋଲ ଏବଂ ସାଧାରଣ ପେଟ୍ରୋଲ ମଧ୍ୟରେ ପାର୍ଥକ୍ୟ କ’ଣ ଏବଂ ଏହା ଅଧିକ ରେଟରେ  କାହିଁକି ବିକ୍ରି ହୁଏ ? ଏହା ପ୍ରକୃତରେ ମାଇଲେଜ୍ ବୃଦ୍ଧି କରେ କି ? କାର କିମ୍ବା ବାଇକ୍ ପାଇଁ କେଉଁ ପେଟ୍ରୋଲ ଭଲ ? ଆସନ୍ତୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ।

ଆପଣ ଗାଡିରେ ପେଟ୍ରୋଲ ଭର୍ତ୍ତି କରିବା ସମୟରେ ଅନେକ ଥର ଆପଣ ଲକ୍ଷ୍ୟ କରିଥିବେ ଯେ ଆପଣଙ୍କ ସାମ୍ନାରେ ଦୁଇଟି ବିକଳ୍ପ ଅଛି । ଗୋଟିଏ ‘ସାଧା ପେଟ୍ରୋଲ’ ଏବଂ ଅନ୍ୟଟି (PoWer) ପାୱାର, (Speed) ସ୍ପୀଡ କିମ୍ବା (xtra premium) ଏକ୍ସଟ୍ରା ପ୍ରିମିଅମ ପେଟ୍ରୋଲ । ଅନେକ ଲୋକ ଏହାକୁ ନିଜ ଗାଡିରେ ପକାଇଥାନ୍ତି । ଯଦି ଆପଣ  ମେକାନିକକୁ ସାଧାରଣ ଏବଂ ପାୱାର ପେଟ୍ରୋଲ ମଧ୍ୟରେ ପାର୍ଥକ୍ୟ କ’ଣ ବୋଲି ପଚାରିବେ ତେବେ ସେ କହିବ ସବୁ ଆଜ୍ଞା ସମାନ , ପଇସା ନେବା ପାଇଁ ଏଇଟା ଗୋଟେ ବାହାନା , ଏହା କେବଳ ପ୍ରଚାର ଅଟେ । ଏହା ରୋଜଗାରର ଆଉ ଏକ ଉପାୟ । କାରଣ ପାୱାର ପେଟ୍ରୋଲ ପାଇଁ ଅଧିକ ପଇସା ଦେବାକୁ ପଡିଥାଏ କିନ୍ତୁ ବାସ୍ତବରେ ତାହା ନୁହେଁ ।

ତେବେ ପ୍ରିମିୟମ ପେଟ୍ରୋଲ ମାଇଲେଜରେ ଉନ୍ନତି କରେ କି ? ଆପଣଙ୍କ କାର କିମ୍ବା ବାଇକ୍ ପାଇଁ କେଉଁ ପେଟ୍ରୋଲ ଭଲ ? ଆସନ୍ତୁ ସଠିକ୍ ଉତ୍ତର ଜାଣିବା ।

ପେଟ୍ରୋଲର ବିଭାଜନକୁ  ଅକ୍ଟାନ ସଂଖ୍ୟା ହିସାବରେ  କରାଯାଇଥାଏ । ସାଧାରଣ ପେଟ୍ରୋଲର ଅକ୍ଟାନ ସଂଖ୍ୟା ୮୭ ରୁ ୮୯ ମଧ୍ୟରେ ଥିବାବେଳେ ପ୍ରିମିୟମ ପେଟ୍ରୋଲର ଅକ୍ଟାନ ସଂଖ୍ୟା ୯୧ ରୁ ୯୩  ମଧ୍ୟରେ ରହିଥାଏ ।  ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ବୁଝିପାରିଥିବେ  ଯେ ଅଧିକ ଅକ୍ଟାନ୍ ସଂଖ୍ୟା ଅଧିକ ମହଙ୍ଗା ଅଟେ ।  କିନ୍ତୁ କାହିଁକି ? ବାସ୍ତବରେ, ଉଚ୍ଚ ଅକ୍ଟାନ ପେଟ୍ରୋଲ ଇଞ୍ଜିନରେ ନକ୍ କରିବା ଏବଂ ଡିଟୋନେସନକୁ ହ୍ରାସ କରିଥାଏ । ଇଞ୍ଜିନ ଡିଟୋନେସନ ଏବଂ ଇଞ୍ଜିନ-ନକ୍ ହେଉଛି ମେକାନିକାଲ ଟର୍ମ ଯାହା ଇଞ୍ଜିନରୁ ଆସୁଥିବା ଶବ୍ଦକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଏ ।  ସରଳ ଶବ୍ଦରେ ଅଧିକ ଅକ୍ଟାନ ବିଶିଷ୍ଟ ପେଟ୍ରୋଲ ଇଞ୍ଜିନରୁ ଆସୁଥିବା ଟକ୍ ଟକ୍ (ନକ୍) ଶବ୍ଦକୁ ହ୍ରାସ କରିଥାଏ । ଉଚ୍ଚ ଅକ୍ଟାନ ନମ୍ବର ବିଶିଷ୍ଟ ଇନ୍ଧନ ସମସ୍ତ ଯାନ ପାଇଁ ଉପଯୁକ୍ତ ନୁହେଁ । ହାଇ କମ୍ପ୍ରେସନ ସିଷ୍ଟମ ଥିବା ଯାନଗୁଡିକ ପାଇଁ ଏହା ଲାଭଦାୟକ ଅଟେ ଯେପରି ଇମ୍ପୋଟେଡ କାର, ସ୍ପୋର୍ଟସ କାର କିମ୍ବା ବାଇକ୍ ପରି । ଏହାଦ୍ବାରା  ଇଞ୍ଜିନ୍ ଦକ୍ଷତାରେ ଉନ୍ନତି ହୋଇଥାଏ ।

ଆପଣ କେଉଁ ଇନ୍ଧନ ପକାଇବା ଉଚିତ ?

ଆପଣ କେଉଁ ଇନ୍ଧନ ପକାଇବା ଉଚିତ ତାହାର ଉତ୍ତର ମଧ୍ୟ ଏଠାରେ ଲୁଚି ରହିଛି । ଆପଣଙ୍କ ଗାଡିର  କମ୍ପ୍ରେସନ ରେସିଓ ଅନୁସାରେ ଆପଣ ଇନ୍ଧନ ଚୟନ କରିବା ଦରକାର । ଏହା ସମସ୍ତ ଗାଡିର ଗାଇଡ ବୁକରେ ସ୍ପଷ୍ଟ ଭାବେ ଲେଖା ଯାଇଥାଏ । ଯଦି ଆପଣଙ୍କର  ଗାଡିର କମ୍ପ୍ରେସନ ରେସିଓ 7.5 ତେବେ ଆପଣ 85 ଅକ୍ଟାନ ଇନ୍ଧନ ନେବା ଉଚିତ । ଯଦି ଏହା 9.0 ଅଟେ ତେବେ ଆପଣଙ୍କୁ 90 କିମ୍ବା ଅଧିକ ଅକ୍ଟାନ୍ ଇନ୍ଧନ ଦରକାର । ସର୍ବୋତ୍ତମ ଇନ୍ଧନ ହେଉଛି speed 97 ।  ଏହାର ଅକ୍ଟାନ୍ ସଂଖ୍ୟା ହେଉଛି 97 ।