କନକ ବ୍ୟୁରୋ : ୨୪ ଫେବୃଆରୀ ୨୦୨୨ ୟୁକ୍ରେନ ଉପରେ ପ୍ରଥମେ ଆକ୍ରମଣ କରିଥିଲା ରୁଷିଆ । ସୀମା ଡେଇଁ ୟୁକ୍ରେନ ଭିତରେ ପଶି ଗୋଳିଗୁଳା ବର୍ଷା କରିଥିଲା ରୁଷ । ଚାହୁଁ ଚାହୁଁ ଏହି ଆକ୍ରମଣକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଏବେବି ଲାଗିରହିଛି ଦୁଇ ଦେଶ ମଧ୍ୟରେ ଯୁଦ୍ଧ । ବର୍ଷେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମୋଡ଼ରେ ପହଂଚି ନାହିଁ ଏହି ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ । ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ପରେ ମଧ୍ୟ ଜାରିରହିଛି ଯୁଦ୍ଧ । ବିଭିନ୍ନ ଉପାୟରେ ୟୁକ୍ରେନ ଉପରେ କବଜା କରିବା ନେଇ ରୁଷ ସେନା ଆକ୍ରମଣ କରିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ ।ୟୁକ୍ରେନ ଦାବି କରୁଛି କି, ରୁଷ ୟୁକ୍ରେନର ବଖମୁତ ସହର ଉପରେ ଫସଫରସ୍ ବମ୍ ପକାଇଛି । ଏହି ବମ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଏକ ଭିଡିଓକୁ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରାଣାଳୟ ଦ୍ୱାରା ସୋସିଆଲ୍ ମିଡିଆରେ ସେୟାର କରାଯାଇଛି । ଡ୍ରୋନ୍ ସାହାର୍ଯ୍ୟରେ ଏହି ଫସଫରସ୍ ବୋମା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଦୃଶ୍ୟକୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ମାତ୍ର ଯୁଦ୍ଧ ସମୟରେ ଜନବହୁଳ ଅଂଚଳରେ ଏହି ଅସ୍ତ୍ରର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ୟୁକ୍ରେନ ଉପରେ ଫସଫରସ୍ ବୋମା ପକାଇଛି ରୁଷ । ୟୁକ୍ରେନ ପକ୍ଷରୁ ଏପରି ଅଭିଯୋଗ ହୋଇଛି । ତେବେ ଏହି ଫସ୍ଫରସ୍ ବୋମା କହିଲେ କ’ଣବୁଝାଯାଏ? ଏବଂ ଏହି ବୋମା କାହିଁକି ଏତେ ବିପଦଜ୍ଜନକ । ଆସନ୍ତୁ ଜାଣିବା ସେ ସମ୍ପର୍କରେ....
ଫସ୍ଫରସ୍ ଏକ ରାସାୟନିକ ସାର ଜାତୀୟ । ଯଦିଓ ଏହାର ବିକ୍ରୟ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ମାତ୍ର ଏହି ରାସାୟନିକ ପଦାର୍ଥକୁ ବ୍ୟବହାର କରାଯାଇ ପ୍ରସ୍ତୁତ ହୋଇଥିବା ବୋମାର ବ୍ୟବହାର ଉପରେ ରୋକ ଲଗାଯାଇଥାଏ । ଫସ୍ଫରସ୍ ଏକ ଏପରି ରାସାୟନିକ ପଦାର୍ଥ ଯାହ ବାୟୁମଣ୍ଡଳରେ ଥିବା ଅମ୍ଲଜାନ ସଂସ୍ପର୍ଶରେ ଆସିବା ମାତ୍ରେ ଜଳିବାକୁ ଆରମ୍ଭ ହୋଇଥାଏ । ଏହି କାରଣରୁ ଏଥିରୁ ନିର୍ଗତ ହେଉଥିବା ନିଅାଁ ଚରିଆଡେ ଦ୍ରୁତ ଗତିରେ ବ୍ୟାପିଥାଏ । ଏହି ରାସାୟନିକ ପଦାର୍ଥ ଅତ୍ୟନ୍ତ ବିପଦଜ୍ଜନକ । ଏହାର ତାପମାତ୍ରା ୮୦୦ ସେଣ୍ଟିଗ୍ରେଡରୁ ଅଧିକ । ଏହି କେମିକାଲର ବିସ୍ଫୋରଣ ହେବା ଫଳରେ ଏହାର କଣିକା ଗୁଡିକ ବହୁ ଦୂର ପର୍ଯ୍ୟନ୍ତ ଖୁବ୍ ଶୀଘ୍ର ବ୍ୟାପିଯାଇଥାଏ । ସବୁଠାରୁ ଭୟଙ୍କର କଥ ହେଉଛି , ଯଦି କୌଣସି ବ୍ୟକ୍ତି ଏହି କଣିକା ସଂସ୍ପର୍ଶରେ ଆସୁଛନ୍ତି ତେବେ ବ୍ୟକ୍ତିର ଜୀବନ ମଧ୍ୟ ନଷ୍ଟ ହୋଇପାରେ । ଏହି ଫସ୍ଫରସ୍ ଏତେ ବିପଦଜ୍ଜନକ ଯେ , ଏଥିରୁ ନିର୍ଗତ ହେଉଥିବା ଧୂଆଁ , କୌଣସି ବ୍ୟକ୍ତିଙ୍କୁ ଶ୍ୱାସରୁଦ୍ଧ କରିପାରେ । ଏହାବ୍ୟତୀତ ଏହା ଆପଣଙ୍କ ଶରୀରର ଚର୍ମକୁ ମଧ୍ୟ ପ୍ରଭାବିତ କରିପାରେ । ଏହାସହ ଏହା ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକୁ ମଧ୍ୟ ନଷ୍ଟ କରିଦେଇଥାଏ ।
ରେଡକ୍ରସ ଅନ୍ତର୍ଜାତୀୟ କମିଟିର ସୂଚନା ଅନୁଯାୟୀ, ଫସଫରସ୍ର ପ୍ରଭାବ ଶହ ଶହ କିଲୋମିଟର ବ୍ୟାସାର୍ଦ୍ଧରେ ରହିଛି । ସବୁଠାରୁ ବଡ କଥା ହେଉଛି ଅମ୍ଳଜାନ ଶେଷ ନହେବା ପର୍ଯ୍ୟନ୍ତ ଏହା ଦ୍ୱାରା ନିର୍ମିତ ହୋଇଥିବା ବୋମା ଜଳିବାରେ ଲାଗିଥାଏ । ଫସ୍ଫରସ୍ର କଣିକା ଗୁଡିକ ମଣିଷ ଶରୀରରେ ଲାଗିବା ମାତ୍ରେ ଏଥିରେ ଥିବା ଫସଫୋରିକ୍ ପେଣ୍ଟକ୍ସାଇଡ୍ ରାସାୟନିକ ପ୍ରତିକ୍ରିୟା ଆରମ୍ଭ ହୋଇ ଶରୀରରେ କ୍ଷତି ଘଟାଇଥାଏ । ଫସ୍ଫରସ୍ରୁ ନିର୍ମିତ ବୋମା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ।
୧୯୭୭, ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ , ସର୍ବସାଧାରଣ ସ୍ଥାନରେ ଧଳା ଫସ୍ଫରସ୍ର ବ୍ୟବହାର ଉପରେ ରୋକ ଲଗାଯାଇଥିଲା । ନିୟମ ଅନୁଯାୟୀ ଯଦି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏହି ଫସ୍ଫରସ୍ ବୋମାର ବ୍ୟବହାର କରାଯାଏ, ତେବେ ଏହାକୁ ରାସାୟନିକ ଅସ୍ତ୍ର ଭାବେ ଗଣନା କରାଯିବ । ଏବଂ ଏହି ଅସ୍ତ୍ରର ବ୍ୟବହାର ଏବେ ରୁଷ ୟୁକ୍ରେନ ଉପରେ କରିଛି ।