ଆପଣଙ୍କ ଫୋନ ଉପରେ ଅଧିକ ରହିପାରେ ‘ପେଗାସସ୍’ର ନିୟନ୍ତ୍ରଣ, ଫୋନରେ ଆପଣ କିଛି ନକଲେ ବି ସବୁ ତଥ୍ୟକୁ କରିପାରିବ ହ୍ୟାକ୍ ।

148

କନକ ବ୍ୟୁରୋ: ପେଗାସସ୍ ସ୍ପାଏ ୱେରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଆପଣଙ୍କ ଫୋନକୁ ଏହି ସଫ୍ଟୱେର କେତେ ମାତ୍ରାରେ ନିୟନ୍ତ୍ରଣ କରିପାରିବ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଇସ୍ରାଏଲ କଂପାନୀ ଦ୍ୱାରା ତିଆରି ହୋଇଥିବା ଏହି ସ୍ପାଏ ସଫ୍ଟୱେର ଯଦି ଆପଣଙ୍କ ଫୋନକୁ ଟାର୍ଗେଟ୍ କରେ, ତେବେ ଆପଣ ଫୋନରେ କ୍ଲିକ୍ ନକଲେ ବି, ଆପଣଙ୍କ ଅଜାଣତରେ ଫୋନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ପାରିବ ହ୍ୟାକର । ଏହାକୁ ଜିରୋ କ୍ଲିକ୍ ଆଟାକ୍ ବୋଲି କୁହାଯାଉଛି । ପୃଥିବୀରେ ଏହା ସବୁଠାରୁ ଶକ୍ତିଶାଳୀ ସ୍ପାଏ ସଫ୍ଟୱେର ବୋଲି କୁହାଯାଉଛି । ଥରେ ଆପଣଙ୍କ ଫୋନ୍ ଟାର୍ଗେଟ୍ ହୋଇଗଲେ, ଆପଣ ଆପଣଙ୍କ ଫୋନକୁ ନିୟନ୍ତ୍ରଣ କରିବା କିଂବା ସ୍ପାଏକୁ ମୁକ୍ତ କରିବା କିଂବା ତାକୁ ଚିହ୍ନଟ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର ।

ଏମନେଷ୍ଟି ଇଂଟରନାସନାଲର ଏକ ପରୀକ୍ଷାଗାରର ମୁଖ୍ୟ କହିଛନ୍ତି , ଫୋନର ମାଲିକ ଅପେକ୍ଷା ହ୍ୟାକରର ନିୟନ୍ତ୍ରଣ ଅଧିକ ରହିବ । ଚିନ୍ତାକରନ୍ତୁ ଏହା କେତେ ବିପଦପୂର୍ଣ୍ଣ ସ୍ପାଏ ସଫ୍ଟଓୟାର ହୋଇପାରେ । ଏହି ସଫ୍ଟଓୟାର ମାଧ୍ୟମରେ ହ୍ୟାକର ଜଣକ ଆପଣଙ୍କ ମେସେଜ୍ ଲିଷ୍ଟ, ଇଂଟରନେଟ୍ ବ୍ରାଉଜିଂ ହିଷ୍ଟ୍ରି, ଫଟୋ ଓ ଭିଡିଓ ଗ୍ୟାଲେରୀ, ଚାଟିଂ ହିଷ୍ଟ୍ରି, ସବୁକିଛି ଅତି ସହଜରେ ପାଇଯାଇପାରିବ । ଏପରିକି ଆପଣଙ୍କ ଅଜାଣତରେ, ଆପଣଙ୍କ ଫୋନ୍ ଅନ୍ ବି ନଥିବ, ଆପଣଙ୍କ ଫୋନ୍ ଅଫ୍ ଲାଇନରେ ଥିବ, ତଥାପି ଆପଣଙ୍କ ଭିଡିଓ ନେଉଥିବ, ଆପଣଙ୍କ କଥାକୁ ରେକର୍ଡ କରୁଥିବ, ଆପଣଙ୍କ ସମସ୍ତ ଗତିବିଧିକୁ ନିରୀକ୍ଷଣ କରୁଥିବ ହ୍ୟାକର । ଫୋନ୍ ମାଧ୍ୟମରେ ଆପଣ କରୁଥିବା ନେଟ୍ ବ୍ୟାଙ୍କିଂ, କିଂବା ଫୋନ୍ ପେ କିଂବା ଗୁଗୁଲ ପେ ମାଧ୍ୟମରେ କରୁଥିବା ଟଙ୍କା କାରବାରକୁ ବି ଠାବ କରିପାରିବ ହ୍ୟାକର । ଏବଂ ଆପଣଙ୍କର ପାସୱାର୍ଡ ବି ସେ ସହଜରେ ପାଇଯାଇ ପାରିବ । ସବୁଠାରୁ ନିରାପଦ କୁହାଯାଉଥିବା ଆଇଫୋନ୍ କୁ ମଧ୍ୟ ଏହି ସଫ୍ଟଓୟାର ଅତି ସହଜରେ ଅତି ମୂଳ ପର୍ଯ୍ୟନ୍ତ ଯାଇ ହ୍ୟାକ୍ କରିପାରିବ । ଆଇଫୋନରେ ଆପଣ କୌଣସି ଆକ୍ଟିଭିଟି କରୁନଥିଲେ ବି ଆପଣଙ୍କ ଫୋନ୍ ଭିତରେ ଏହି ସଫ୍ଟଓୟାର ସକ୍ରିୟ ରହି ସବୁ କାମ କରୁଥିବ । ମୋଟ୍ ଉପରେ କହିବାକୁ ଗଲେ ଏକ ଚଳନ୍ତା ସିସିଟିଭି ପରି ଏହି ସଫ୍ଟଓୟାର କାମ କରିପାରିବ ।

ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ କରିଛି ଇସ୍ରାଏଲର ଏକ ସଂସ୍ଥା । ୨୦୧୯ରେ ଚର୍ଚ୍ଚାରେ ଥିଲା ଇସ୍ରାଏଲର ଏହି ସଂସ୍ଥା ସ୍ପାଏୱେର ପେଗାସସ୍ । ଏବେ ପୁଣି ୩୦୦ ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ କରି ଚର୍ଚ୍ଚାକୁ ଫେରିଛି ଏହି ଇସ୍ରାଏଲି ସଂସ୍ଥା । ସବୁଠାରୁ ବଡକଥା ହେଉଛି, ମୋଦୀ ସରକାରଙ୍କ ଦୁଇ ମନ୍ତ୍ରୀ, ସୁପ୍ରିମକୋର୍ଟର ଜଣେ ବିଚାରପତି, ବିରୋଧୀ ଦଳର ୩ ଜଣ ନେତା ଏବଂ ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ନମ୍ବରକୁ ହ୍ୟାକ କରିବାରେ ସମର୍ଥ ହୋଇଛି ଏହି ସଂସ୍ଥା । ତେବେ ଭାରତର କେଉଁ ଏଜେନ୍ସି ପକ୍ଷରୁ ଇସ୍ରାଏଲି ସଂସ୍ଥା ଏଭଳି ଫୋନ ହ୍ୟାକ କରିଛି, ତାହା ଜଣାପଡି ନାହିଁ । ସେପଟେ କେନ୍ଦ୍ର ସରକାର ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଭାରତୀୟଙ୍କ ଫୋନ କଲ, ମେସେଜ ଓ ହ୍ୱାଟ୍ସଆପ ମେସେଜ ଆଦି ଗୋପନୀୟ ତଥ୍ୟ ସ୍ପାଏୱେର ପେଗାସସ୍ ସଂସ୍ଥାର ଡାଟାବେସରେ ରହିଛି । ତେବେ ପେଗାସସକୁ ମାଧ୍ୟମ କରି କୌଣସି ଭାରତୀୟ ସଂସ୍ଥା ଏଭଳି ଗୁଇନ୍ଦାଗିରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଏବେ ପଢ଼ନ୍ତୁ କଣ ଏହି ସ୍ପାଏୱେର ପେଗାସସ୍ । ଏବଂ କେମିତି ଏହା ଆପଣଙ୍କ ମୋବାଇଲକୁ ହ୍ୟାକ କରିଥାଏ ।

– ଇସ୍ରାଏଲ କମ୍ପାନୀ ‘ଏନଏସଓ ଗ୍ରୁପ୍’ ପକ୍ଷରୁ ପ୍ରସ୍ତୁତ ଏକ ସାଇବର ଅସ୍ତ୍ର- ସ୍ପାଏୱେର ପେଗାସସ୍
– ୨୦୧୬ରେ ଆରବର ଜଣେ ସାମାଜିକ କର୍ମୀଙ୍କୁ ପ୍ରଥମ କରି ଟାର୍ଗେଟ ପରେ ଜଣାପଡିଥିଲା
– ୨୦୧୯ରେ ଫେସବୁକ ପକ୍ଷରୁ ‘ଏନଏସଓ ଗ୍ରୁପ୍’ ବିରୋଧରେ ମାମଲା କରାଯାଇଥିଲା
– ହ୍ୱାଟ୍ସଆପ୍ ମଧ୍ୟ ତଥ୍ୟ ସୁରକ୍ଷିତ ନଥିବା ମେସେଜ କରି ବ୍ୟବହାରକାରୀଙ୍କୁ ଜଣାଇଥିଲା
– ଏକ ୱେବସାଇଟ୍ ଲିଙ୍କ ଫୋନ ବ୍ୟବହାରକାରୀଙ୍କୁ ଆସିଥାଏ, ଏଥିରେ କ୍ଲିକ କଲେ ଫୋନ ହ୍ୟାକ ହୁଏ
– ମିସ୍ଡକଲ କିମ୍ବା ହ୍ୱାଟ୍ସଆପ ଭଏସ କଲରେ ବି ଆପଣଙ୍କ ଫୋନରେ ଇନଷ୍ଟଲ ହୋଇଯିବ ପେଗାସସ
– ଥରେ ହ୍ୟାକ ହୋଇଗଲେ ଫୋନରେ ଥିବା ସମସ୍ତ ତଥ୍ୟ ହ୍ୟାକରଙ୍କ ପାଖକୁ ଚାଲିଯିବ
– ଫୋନରେ ହେଉଥିବା କଥା, ମେସେଜ, ହ୍ୱାଟ୍ସଆପ ମେସେଜ ସବୁକିଛି ଜାଣିପାରିବେ ହ୍ୟାକର
– ଏପରିକି ଆପଣଙ୍କ ଫୋନର କ୍ୟାମେରାକୁ ମଧ୍ୟ ବ୍ୟବହାର କରିପାରିବେ ହ୍ୟାକର