ବାଲାନ୍ସ ନଥିଲେ ବି ଏଟିଏମରୁ ଉଠିବ ଟଙ୍କା ! ଖାତାରେ ନଥିବ ବାଲାନ୍ସ ତଥାପି ଆପଣଙ୍କୁ ପଇସା ଦେବ ବ୍ୟାଙ୍କ: ଖାଲି ଜମା ନୁହେଁ ବରଂ ଅସୁବିଧା ସମୟରେ ଆକାଉଂଟରେ ବାଲାନ୍ସ ନଥିଲେ ବି ଗ୍ରାହକଙ୍କୁ ଟଙ୍କା ଦେଉଛି ବ୍ୟାଙ୍କ

ଜାଣନ୍ତୁ କିଭଳି ଏବଂ କେମିତି ଉଠାଇବେ ଏହି ସୁବିଧାର ଲାଭ

2,592

କନକ ବ୍ୟୁରୋ: ଖାତାରେ ବାଲାନ୍ସ ନଥିବ ତଥାପି ଏଟିଏମରୁ ଉଠିବ ଟଙ୍କା । ଅସୁବିଧା ସମୟରେ ଆପଣଙ୍କ କାମରେ ଆସିବ ବ୍ୟାଙ୍କର ଓଭରଡ୍ରାଫ୍ଟ ସୁବିଧା । ଦେଶରେ ଥିବା ଉଭୟ ସରକାରୀ ଏବଂ ବେସରକାରୀ ବ୍ୟାଙ୍କମାନଙ୍କରେ ଆପଣ ଏହି ଓଭରଡ୍ରାଫ୍ଟ ଫେସିଲିଟି ପାଇପାରିବେ । ଅଧିକାଂଶ ବ୍ୟାଙ୍କ କରେଂଟ ଆକାଉଂଟ, ସାଲାରୀ ଆକାଉଂଟ ଏବଂ ଫିକ୍ସ ଡିପୋଜିଟ୍ ଉପରେ ନିଜ ଗ୍ରାହକଙ୍କୁ ଓଭରଡ୍ରାଫ୍ଟ ଦେଇରଖିଥାନ୍ତି । ସେହିଭଳି କିଛି ବ୍ୟାଙ୍କ ସେୟାର, ବଣ୍ଡ ଏବଂ ବୀମା ପଲିସି ଭଳି ସଂପତି ବଦଳରେ ବି ଓଭରଡ୍ରାଫ୍ଟ ସୁବିଧା ଦେଇଥାନ୍ତି । ତେବେ ବ୍ୟାଙ୍କର ଏହି ଓଭରଡ୍ରାଫ୍ଟ ସୁବିଧା ଜରିଆରେ ଆପଣ ଆପଣଙ୍କ ଅସୁବିଧା ବେଳେ ଟଙ୍କା ଉଠାଇପାରିବେ ଏବଂ ପରବର୍ତ୍ତୀ ସମୟରେ ଏହି ଟଙ୍କାକୁ ପରିଶୋଧ ମଧ୍ୟ କରିପାରିବେ ।

ତେବେ ଓଭରଡ୍ରାଫ୍ଟ ଲୋନ ପ୍ରକ୍ରିୟା ବ୍ୟାଙ୍କର ଅନ୍ୟ ଲୋନର ପ୍ରକ୍ରିୟା ଭଳି ହିଁ ହୋଇଥାଏ । ଯଦି ଆପଣଙ୍କର ବ୍ୟାଙ୍କରେ ସାଲାରୀ କିମ୍ବା କରେଂଟ ଆକାଉଂଟ ରହିଛି ତେବେ ଏହି ପ୍ରକ୍ରିୟା ଆପଣଙ୍କ ପାଇଁ ଟିକେ ସହଜ ହୋଇପାରେ । ଆଜିକାଲି ଅନେକ ବ୍ୟାଙ୍କ ନିଜର ବଛା ବଛା ଗ୍ରାହକଙ୍କୁ ପୂର୍ବରୁ ହିଁ ଓଭରଡ୍ରାଫ୍ଟ ଫେସିଲିଟି ଅଫର ଦେଇରଖିଥାନ୍ତି । ଫଳରେ ସେମାନଙ୍କ ପାଇଁ ଲୋନ ନେବା ବହୁତ ସହଜ ହୋଇଥାଏ ।

ସେହିଭଳି ଓଭରଡ୍ରାଫ୍ଟର ଫେସିଲିଟିର ଲିମିଟ୍ ଗ୍ରାହକ ବ୍ୟାଙ୍କରେ ବନ୍ଧା ପକାଇଥିବା ସଂପତି ଉପରେ ନିର୍ଭର କରିଥାଏ । ଏହାଛଡା ସାଲାରୀ ଏବଂ ଏଫଡି ମାମଲାରେ ବ୍ୟାଙ୍କ ଲିମିଟ୍ ଟିକେ ଅଧିକ ରହିଥାଏ । ଉଦାହରଣ ସ୍ୱରୂପ ଯଦି ଆପଣ ବ୍ୟାଙ୍କରେ ଲକ୍ଷେ ଟଙ୍କାର ଏଫଡି କରିଛନ୍ତି ତେବେ ଓଭରଡ୍ରାଫ୍ଟ ପାଇଁ ବ୍ୟାଙ୍କ ଆପଣଙ୍କୁ ୮୦ ହଜାର ଟଙ୍କା ଦେଇପାରିବ । ସେହିଭଳି ଯଦି ସୁଧ କଥା କୁହାଯାଏ ତେବେ ବ୍ୟାଙ୍କରୁ ଆପଣ ଯେଉଁ ଅବଧି ଭିତରେ ଟଙ୍କା ନେଉଛନ୍ତି, ସେହି ହିସାବରେ ଆପଣଙ୍କୁ ସୁଧ ଦେବାକୁ ହେବ ।