କନକ ବ୍ୟୁରୋ: ଚନ୍ଦ୍ର ଅଭିଯାନ ପରେ ଭାରତର ଏବେ ସୂର୍ଯ୍ୟ ଅଭିଯାନକୁ ନେଇ ଚର୍ଚ୍ଚା । ୨ ତାରିଖରେ ଆରମ୍ଭ ହେଉଥିବା ଏହି ଅଭିଯାନକୁ ଲାଗିବ ୪ ମାସ । ଆଉ ଏହାକୁ ନେଇ ସାରା ବିଶ୍ୱରେ ଉକ୍ରଣ୍ଠା ବଢିଯାଇଛି । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ମହାକାଶରେ ଅବସ୍ଥାପିତ ହେବ ସାଟେଲାଇଟ ଏଲ-୧ ।

Advertisment
  • ଚନ୍ଦ୍ରରେ ପହଞ୍ଚିବାକୁ ଲାଗିଲା ୪୦ ଦିନ
  • ସୂର୍ଯ୍ୟ ଅଭିଯାନକୁ ଲାଗିବ ୪ ମାସ!

ସେପ୍ଟେମ୍ବର ୨ ତାରିଖରେ ଭାରତ ତାର ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବା ନେଇ ଘୋଷଣା କରିବା ଦିନରୁ ଉକ୍ରଣ୍ଠା ବଢି ବଢି ଚାଲିଛି । ପ୍ରଥମ ‘ଲାଗରେଞ୍ଜ’ ପଏଣ୍ଟ ନିକଟରେ ଅବସ୍ଥାପିତ ହେବ ଇସ୍ରୋ ପଠାଉଥିବା ସାଟେଲାଇଟ୍ ଆଦିତ୍ୟ ଏଲ-୧ । ସୂଚନା ଅନୁସାରେ ଏହା ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ମହାକାଶରେ ଅବସ୍ଥାପିତ ହେବ ।

ତେବେ କଣ ଏହି ‘ଲାଗରେଞ୍ଜ’ ପଏଣ୍ଟ ଓ କାହିଁକି ଏହି ପଏଣ୍ଟକୁ ବାଛିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର- ଇସ୍ରୋ?

ପ୍ରଥମ ‘ଲାଗରେଞ୍ଜ’ ପଏଣ୍ଟ ବା ଏଲ-୧

  • ସୂର୍ଯ୍ୟ ଚାରିପଟେ ୫ଟି ‘ଲାଗରେଞ୍ଜ’ ପଏଣ୍ଟ ସ୍ଥିରିକୃତ ହୋଇଛି
  • ଏଗୁଡି଼କ ଏଲ-୧, ଏଲ-୨, ଏଲ-୩, ଏଲ-୪, ଏଲ-୫ରେ ନାମିତ
  • ପ୍ରଥମ ‘ଲାଗରେଞ୍ଜ’ ପଏଣ୍ଟ ବା ଏଲ-୧କୁ ଯିବ ଇସ୍ରୋ ସାଟେଲାଇଟ୍
  • ଏଠାରେ ଉଭୟ ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି କାମ କରେ
  • ସୂର୍ଯ୍ୟ ଓ ପୃଥିବୀର ଗୋଟିଏ ସରଳରେଖାରେ ଆଦିତ୍ୟ ଏଲ-୧କୁ ଛଡ଼ାଯିବ
  • ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ ସମାନ ରହିବ
  • ଦୁଇଟି ମ୍ୟାଗନେଟ୍ ଗୋଟିଏ ଲୁହା କଣ୍ଟାକୁ ଝୁଲାଇ ରଖିବା ପରି ଆଦିତ୍ୟ ଏଲ-୧ ରହିବ
  • ସଫଳତାର ସହ ନିର୍ଦ୍ଦିଷ୍ଟ ପଏଣ୍ଟରେ ପହଞ୍ଚିବା ପରେ ୫ ବର୍ଷରୁ ଅଧିକ ସମୟ କାମ କରିବ

ସୂର୍ଯ୍ୟର ରହସ୍ୟ ଜାଣିବା ପାଇଁ ଆଜିଯାଏ ଆମେରିକା, ଜର୍ମାନୀ ଓ ୟୁରୋପୀୟ ଦେଶ ପ୍ରାୟ ୨୨ଟି ମିସନ୍ ପଠାଇ ସାରିଛନ୍ତି । ୧୯୬୦ରେ ଆମେରିକା ମହାକାଶ ବିଜ୍ଞାନ ସଂସ୍ଥା-ନାସା ତାର ପ୍ରଥମ ସନ୍ ମିସନ ପଠାଇଥିଲା । ୨୦୦୧ରେ ଆମେରିକା ପଠାଇଥିବା ସନ୍ ମିସନର ନାଁ ଥିଲା ଜେନେସିସ । ଏହା ସଫଳତାର ସହ ନିର୍ଦ୍ଦିଷ୍ଟ ପଏଣ୍ଟରେ ପହଞ୍ଚିଥିଲେ ମଧ୍ୟ ଫେରିବା ବେଳେ କ୍ରାସଲ୍ୟାଣ୍ଡ କରିଥିଲା । ଆଗକୁ ଇସ୍ରୋର ସୂର୍ଯ୍ୟ ଅଭିଯାନ ସଫଳ ହେଲେ ନାସା ମଧ୍ୟ ଭାରତ ସହ ମିଶି ସୋଲାର ମିସନରେ କାମ କରିବାକୁ ଆଗ୍ରହୀ । ଭାରତ ପଠାଉଥିବା ଆଦିତ୍ୟ ଏଲ-୧ ସୂର୍ଯ୍ୟର ରହସ୍ୟ ବାବଦରେ ଇସ୍ରୋକୁ ତଥ୍ୟ ପଠାଇବ ।

କ’ଣ କାମ କରିବ ଆଦିତ୍ୟ ଏଲ-୧?

  • ସୌର ମଣ୍ଡଳର ସ୍ଥିତି ଅନୁଧ୍ୟାନ କରିବ ଆଦିତ୍ୟ ଏଲ-୧ ସାଟେଲାଇଟ୍
  • ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମୋସ୍ପିୟର, କରୋନା ସଂପର୍କରେ ତଥ୍ୟ ଦେବ
  • ଅତି ବାଇଗଣୀ ରଶ୍ମି ବିକିରଣ ଓ ବିଶ୍ୱ ଜଳବାୟୁ ନେଇ ଗବେଷଣା କରିବ
  • ସୌର ଚୁମ୍ବକୀୟ ଝଡ଼, ବାୟୁ ମଣ୍ଡଳ ସଂପର୍କରେ ଅଧିକ ଅନୁଧ୍ୟାନ କରିବ