କନକ ବ୍ୟୁରୋ : ଲାଡଲୀ ବେହନ ପରେ ମହାରାଷ୍ଟ୍ର ସରକାର ଲାଡଲା ଭାଇ ଯୋଜନା ଆରମ୍ଭ କରିଛନ୍ତି । ଏହି କ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜ୍ୟରେ ଯେଉଁ ଛାତ୍ରମାନେ ଯୁକ୍ତଦୁଇ ପାସ କରିଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ମାସିକ ୬ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । କେବଳ ସେତିକି ନୂୁହେଁ ଯେଉଁମାନେ ଡିପ୍ଲୋମା ପାସ୍ କରିଛନ୍ତି ସେମାନଙ୍କୁ ମାସିକ ୮ ହଜାର ଓ ଗ୍ରାଜୁଏସନ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ।
ଚଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ରହିଛି । ଏହାକୁ ନଜରରେ ରଖି ସିନ୍ଦେ ସରକାର ଏଭଳି ଘୋଷଣା କରିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରରେ ବଢୁଥିବା ବେରୋଜଗାରୀ ସମସ୍ୟାକୁ ନେଇ ବିରୋଧୀମେଣ୍ଟ ବାରମ୍ବାର ସରକାରଙ୍କୁ ଘେରୁଥିବା ବେଳେ ଏହି ପ୍ରସଙ୍ଗକୁ ଦୁର୍ବଳ କରିବାକୁ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି ।
ସୂଚନା ଥାଉକି କିଛିଦିନ ତଳେ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀଦଳ ନେତା ଉଦ୍ଧବ ଠାକରେ ରାଜ୍ୟରେ ବଢୁଥିବା ବେରୋଜଗାରୀ ପ୍ରସଙ୍ଗ ଉଠାଇ ସିନ୍ଦେ ସରକାରଙ୍କୁ ଘେରିଥିଲେ । ଏହାସହ ସେ ମଧ୍ୟପ୍ରଦେଶର ଉଦାହରଣ ଦେଇ କହିଥିଲେ କି ମଧ୍ୟପ୍ରଦେଶରେ ଲାଗୁ ହୋଇଥିବା ଲାଡଲୀ ବେହନ ଭଳି ମହାରାଷ୍ଟ୍ରରେ ମଧ୍ୟ ଝିଅ ଓ ପୁଅଙ୍କ ପାଇଁ ମାସିକ ସହାୟତା ଯୋଜନା ଲାଗୁ କରାଯାଉ ।