‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିଶନ୍‌’ : ପ୍ରତ୍ୟେକ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ; ଜାଣନ୍ତୁ କ’ଣ ଏହି ହେଲଥ କାର୍ଡ ?

677

କନକ ବ୍ୟୁରୋ : ଆୟୂଷ୍ମାନ ଭାରତର ଡିଜିଟାଲ ଅଭିଯାନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ଲୋକ ଏକ ୟୁନିକ ଆଇଡି କାର୍ଡ ପାଇବେ । ଯେଉଁଥିରେ ଜଣେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ଉଲ୍ଲେଖ ରହିବ । ଏହି କାର୍ଡରେ ଥିବା ତଥ୍ୟ ଗୋପନୀୟତା ଆଧାରରେ ସୁରକ୍ଷିତ ରହିବ । ଏହି ଯୋଜନା ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକ ଲାଭ ପାଇବେ ।

ମୁଖ୍ୟତଃ ଦେଶର ଗରିବ ଏବଂ ମଧ୍ୟବିତ ପରିବାର ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି ମୋଦୀ କହିଛନ୍ତି । ଗଚତର୍ଷ ସ୍ୱାଧୀନତା ଦିବସ ଅବସରରେ ମୋଦୀ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନ ବାବଦରେ ଘୋଷଣା କରିଥିଲେ । ପ୍ରାଥମିକ ଭାବରେ ଦେଶର ୬ଟି କେନ୍ଦ୍ର ଶାସିତ ଅଂଚଳରେ ପରୀକ୍ଷାମୂଳକ ଭାବରେ ଆରମ୍ଭ ହୋଇଥିଲା । ତେବେ କେତେ ଥର ଯାଇଛନ୍ତି ହସ୍ପିଟାଲ, କ’ଣ ହୋଇଛି ଚିକିତ୍ସା, ଗୋଟିଏ କାର୍ଡରେ ରହିବ ତଥ୍ୟ । ଗୋପନୀୟତାକୁ ଗୁରୁତ୍ୱ ଦିଆଯିବ ।

– ଆୟୂଷ୍ମାନ ଭାରତ ଡିଜିଟାଲ ମିଶନ ଜରିଆରେ ପ୍ରତ୍ୟେକ ଲୋକଙ୍କର ଏକ ସ୍ୱାସ୍ଥ୍ୟ କାର୍ଡ ତିଆରି ହେବ
– ଆଇଡି କାର୍ଡର ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ରହିବ
– ହସ୍ପିଟାଲ କିମ୍ବା ଡାକ୍ତରଙ୍କ ପାଖକୁ ଯିବା ବେଳେ ପୁରୁଣା ପ୍ରେସକ୍ରିପସନ ନଥିଲେ କୌଣସି ଅସୁବିଧା ନାହିଁ
– ହିତାଧିକାରୀଙ୍କ ବିନା ଅନୁମତିରେ ସ୍ୱାସ୍ଥ୍ୟ ରେକର୍ଡର ଆଦାନ ପ୍ରଦାନ ହୋଇପାରିବନି
– ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ଗୋପନୀୟତା ଆଧାରରେ ସୁରକ୍ଷିତ ରହିବ
– ଆଧୁନିକ ଏବଂ ପାରମ୍ପରିକ ଚିକିତ୍ସା ପ୍ରଣାଳୀର ସ୍ୱାସ୍ଥ୍ୟ ରେକର୍ଡ ରହିବ
– ହେଲଥ କେୟାର ପ୍ରୋଫେସନାଲ ରେଜିଷ୍ଟ୍ରି ଏବଂ ହେଲଥ କେୟାର ଫେସିଲିଟିଜ ରେଜିଷ୍ଟ୍ରିଜ୍ ରେକର୍ଡ ରଖିବେ
– ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ବେଳେ ହସ୍ପିଟାଲ ଏବଂ ଡାକ୍ତରଙ୍କୁ ଚିକିତ୍ସା କରିବା ସହଜ ହେବ
– ଆଇଡି କାର୍ଡରେ ୧୪ ଅଂକ ବିଶିଷ୍ଟ ଏକ ନମ୍ବର ରହିଛି
– ହେଲଥ ଆକାଉଣ୍ଟ ଭଳି ଏହା କାମ କରିବ
– ମୋବାଇଲ ଆପ୍ଲିକେସନ ଜରିଆରେ ଆବଶ୍ୟକ ତଥ୍ୟ ପ୍ରଦାନ କରିହେବ
– ମୋବାଇଲ ଫୋନ୍ ଜରିଆରେ ଏହି ଆଇଡି କାର୍ଡ ତିଆରି କରିହେବ

ଯେଉଁଠି ସିଧାସଳଖ ହିତାଧିକାରୀ ଉପକୃତ ହୁଅନ୍ତି ସେଠାରେ ଆଧାର କାର୍ଡର ଆବଶ୍ୟକ ରହିଛି । ତେଣୁ ଏହି କାର୍ଡ ତିଆରି ବେଳେ କେବଳ ମୋବାଇଲ ନମ୍ବର ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।