ଉତ୍ତରପ୍ରଦେଶ ସରକାର ହଲାଲ୍ ପ୍ରମାଣପତ୍ର ସହିତ ଖାଦ୍ୟ ପଦାର୍ଥର ଉତ୍ପାଦନ, ସଂରକ୍ଷଣ, ବଣ୍ଟନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅବଶ୍ୟ  ରପ୍ତାନି ପାଇଁ ଉତ୍ପାଦିତ ଦ୍ରବ୍ୟ ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ । ସରକାର ଦାବି କରିଛନ୍ତି ଯେ ଅଣ- ହଲାଲ୍ ସାର୍ଟିଫିକେଟ୍ ଦ୍ରବ୍ୟର ବ୍ୟବହାରକୁ ନିରୁତ୍ସାହିତ କରିବାକୁ ଚେଷ୍ଟା କରାଯାଇଛି । ଯାହା ଦେଶରେ ଘୃଣାର ବାତାବରଣ ଏବଂ ଦେଶକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଛି ।  ଏହା ସେମାନକ ରଣନୀତିର ଏକ ଅଂଶ ବୋଲି ସେମାନେ ବିଶ୍ବାସ କରୁଛନ୍ତି ।

Advertisment

ଏହାକୁ ନେଇ ଆଜିକାଲି ଉତ୍ତରପ୍ରଦେଶର ସହ ଦେଶର ରାଜନୀତିରେ ଖୁବ ହଇଚଇ ସୃଷ୍ଟି ହେଇଛି । ଦୁଇ ଦିନ ପୂର୍ବେ ଯୋଗୀ ସରକାର ହଲାଲ୍ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିପାଇଁ କଠୋର ନିୟମ ପ୍ରସ୍ତୁତ କରାଯାଉଛି।

ଆସନ୍ତୁ ଜାଣିବା ହଲାଲ୍ ଉତ୍ପାଦଗୁଡିକ କ’ଣ ଏବଂ ଏହା ଉପରେ କାହିଁକି ବିବାଦ ଦେଖାଦେଇଛି ?

ହଲାଲ୍ ଏବଂ ଏହାର ପ୍ରମାଣପତ୍ର କ’ଣ ?

ହଲାଲ୍ ଉତ୍ପାଦ ତାକୁ କୁହନ୍ତି ଯାହା ଇସଲାମିକ ନିୟମର ଆବଶ୍ୟକତା ପୂରଣ କରେ ଏବଂ ମୁସଲମାନମାନଙ୍କ ବ୍ୟବହାର ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ । ସେଗୁଡିକୁ ହଲାଲ୍ -ସାର୍ଟିଫିକେଟ୍ ଉତ୍ପାଦ କୁହାଯାଏ । ହଲାଲ୍ ହେଉଛି ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଉଛି ଅନୁମତି ।

ସୂଚନାଯୋଗ୍ୟ ଯେ ୧୯୭୪ ମସିହାରେ ବଧ ହୋଇଥିବା ମାଂସ ପାଇଁ ହଲାଲ୍ ପ୍ରମାଣପତ୍ର ପ୍ରଥମେ ପ୍ରବର୍ତ୍ତିତ ହୋଇଥିଲା ।  ଏହା ପୂର୍ବରୁ ହଲାଲ୍ ସାର୍ଟିଫିକେଟର କୌଣସି ରେକର୍ଡ ନାହିଁ । ହଲାଲ୍ ମାଂସ ଅର୍ଥ ହେଉଛି ସେହି ମାଂସ ଯାହା ଇସଲାମିକ ପ୍ରକ୍ରିୟା ସାହାଯ୍ୟରେ ମରାଯାଇଥିବା ପଶୁ ଠାରୁ ଆସିଥାଏ । ଏହି ପ୍ରକ୍ରିୟାରେ ପଶୁର ଗଳା ଏବଂ ନିଶ୍ବାସ ନେଉଥିବା ନଳୀ (Throat Oesophagus) ଓ ଶିରା କାଟି ହତ୍ୟା କରାଯାଇଥାଏ । ଅବଶ୍ୟ ୧୯୯୩ ରେ  ହଲାଲ୍ ପ୍ରମାଣପତ୍ର କେବଳ ମାଂସରେ ସୀମିତ ନଥିଲା । ଏହା ଅନ୍ୟ ଉତ୍ପାଦ ଉପରେ ମଧ୍ୟ ଲାଗୁ କରାଯାଇଥିଲା ।

କ’ଣ  ଏହି ହଲାଲ୍ ପ୍ରମାଣପତ୍ର  ?

ମୁସଲମାନ ଧର୍ମ ଅନୁଯାୟୀ ହଲାଲ୍ ଅର୍ଥ ସ୍ୱୀକୃତି ଅଟେ । ଖାଦ୍ୟ ଏବଂ ସୌନ୍ଦର୍ଯ୍ୟ ଦ୍ରବ୍ୟ ଉପରେ ହଲାଲ୍ ସାର୍ଟିଫିକେଟ୍ ଅର୍ଥ ହେଉଛି ଉତ୍ପାଦଟି ମୁସଲମାନ ନିୟମ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ଅଟେ । ସେଥିରେ ଏମିତି କିଛି ଜିନିଷ ମିଶିନାହିଁ ଯାହା ମୁସଲମାନମାନଙ୍କ ପାଇଁ ନିଷେଧ ବା ହାରାମ । ବିଶେଷଜ୍ଞମାନେ କହିଛନ୍ତି ଯେ ମୁସଲମାନ ଦେଶକୁ ରପ୍ତାନି ପାଇଁ ଏହି ହଲାଲ୍ ପ୍ରମାଣପତ୍ର ନିତ୍ୟାନ୍ତ ଆବଶ୍ୟକ ଅଟେ ।

କଣ ପାଇଁ ବିବାଦ ?

ହଲାଲ୍ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଥିବା ବ୍ୟକ୍ତିମାନେ କହିଛନ୍ତି ଯେ ଧର୍ମ ନାମରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ଅନିୟମିତ ପ୍ରଚାର ପ୍ରସାର କରାଯାଉଛି।  କୁହାଯାଏ ଯେ ସେହି ଉତ୍ପାଦଗୁଡ଼ିକୁ ବ୍ୟବହାର କର ନାହିଁ ଯାହାକୁ ସେମାନଙ୍କ କମ୍ପାନୀ ଦ୍ୱାରା ହଲାଲ୍ ସାର୍ଟିଫିକେଟ୍ ଦିଆଯାଇ ନାହିଁ । ଫଳସ୍ୱରୂପ ଅନ୍ୟ ସମ୍ପ୍ରଦାୟର ବ୍ୟବସାୟିକ ସ୍ୱାର୍ଥ କ୍ଷତିଗ୍ରସ୍ତ ହେଉଛି । ଏହିପରି ଭାବରେ ସାଧାରଣ ନାଗରିକ ବ୍ୟବହାର ପାଇଁ ବ୍ୟବହୃତ ସାମଗ୍ରୀ ଉପରେ ମଧ୍ୟ ହଲାଲ୍ ସାର୍ଟିଫିକେଟ୍ ପ୍ରଦାନ କରି ଅନ୍ୟାୟ ଭାବେ  ଆର୍ଥିକ ଲାଭ ପାଇବାକୁ ଉଦ୍ୟମ କରାଯାଉଛି । ଅଭିଯୋଗ ହୋଇଛି ଯେ କେତେକ କମ୍ପାନୀ କେବଳ ସେମାନଙ୍କର ବ୍ୟବସାୟିକ ସ୍ୱାର୍ଥ ପାଇଁ ନୁହେଁ ବରଂ ସମାଜରେ ଶ୍ରେଣୀ ଦ୍ୱନ୍ଦ୍ୱ ବିସ୍ତାର କରି ଦେଶକୁ ଦୁର୍ବଳ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ଭାରତର କୌଣସି ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଲାଲ୍ ପ୍ରମାଣପତ୍ର ପ୍ରଦାନ କରାଯାଏ ନାହିଁ ।