କଣ ଏହି କରୋନା ଭାଇରସ ? ଯାହା ସାରା ବିଶ୍ୱ ଛାତିରେ କୋକୁଆ ଭୟ ଖେଳାଇଛି । ଜାଣନ୍ତୁ ଭାଇରସର ଭିତିରି କଥା

845

କନକ ବ୍ୟୁରୋ: ସାରା ବିଶ୍ୱରେ ଚୀନ ଭାଇରସକୁ ନେଇ ଚିନ୍ତା । ଖାଲି ଚୀନରେ ନୁହେଁ ବରଂ ଭାରତରେ ବି କରୋନା ଭାଇରସ ପାଇଁ କୋକୁଆ ଭୟ ଖେଳି ଯାଇଛି । ତେବେ କଣ ଏହି କରୋନା ଭାଇରସ ? କେଉଁଠୁ ଆସିଛି ଏ ଭାଇରସ? ଜାଣନ୍ତୁ ଭାଇରସର ଭିତିରି କଥା ।କେଉଁଠୁ ଆସିଲା

କରୋନା ଭାଇରସ ?

ଘାତକ କରୋନା ଭାଇରସର ପ୍ର୍ରଭାବ ପ୍ରଥମେ ଚୀନରେ ଦେଖିବାକୁ ମିଳିଲା । ଚୀନର ହୁବେଇ ପ୍ରାନ୍ତରେ ଥିବା ବୁହାନ ସହରରେ ପ୍ରଥମେ ଏହାର ପ୍ରକୋପ ଦେଖାଗଲା । ପରେ ଚୀନର ବିଭିନ୍ନ ସହରକୁ ବ୍ୟାପିଲା । ଏବେ ବେଜିଂ ସମେତ ଥାଇଲାଣ୍ଡ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଓ ହଂକଂରେ ବି କରୋନା ଭାଇରସରେ ଆକ୍ରାନ୍ତ ଦେଖିବାକୁ ମିଳିଛନ୍ତି । ନିକଟରେ ଇଂଲଣ୍ଡର ଏକ ପରିବାର ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାସୁ ଆସିଛି । ଆମେରିକାର ସିଆଟିଲରେ ପହଂଚି ସାରିଛି ଏହି ଭାଇରସ ।

କରୋନା ଭାଇରସରେ ମଲେଣି କେତେ ?

ଚୀନ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏପର୍ଯ୍ୟନ୍ତ କୋରୋନା ଭାଇରସ ପ୍ରଭାବରେ ୧୭ ଜଣଙ୍କ ମୃତ୍ୟୁ ହେଲାଣି । ସାରା ଦେଶରେ ୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଏହି ଭାଇରସ ଆହୁରି ବ୍ୟାପିବାର ଆଶଙ୍କା ରହିଛି ।

କଣ ନିଆଯାଉଛି ସତର୍କତା ?
ଚୀନରେ ଖରାଦିନ ଛୁଟିରେ ଲୋକେ ବୁଲାବୁଲି କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ କରୋନା ଭାଇରସକୁ ଦେଖି ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶର୍ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ନେଇ ଘନଘନ ବୈଠକ କରୁଛି । ଖାଇବା ପୂର୍ବରୁ ହାତ ଧୋଇବା ଏବଂ ପରିବେଶକୁ ସଫାସୁତରା ରଖିବାକୁ କୁହାଯାଇଛି । ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ନିର୍ଦ୍ଦେଶ ରହିଛି ।

କଣ ଏହି କରୋନା ଭାଇରସ ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲୁଏଚଓର କହିବା ଅନୁସାରେ ସି-ଫୁଡ୍ ବା ସମୁଦ୍ରଜାତ ଖାଦ୍ୟ ଖାଇବା ଫଳରେ ଏହି ଭାଇରସ ବ୍ୟାପୁଛି । ବୁହାନ ସହରର ଏକ ସି-ଫୁଡ ବଜାରରୁ ଏହି ରୋଗ ପ୍ରଥମେ ଆରମ୍ଭ ହୋଇଛି । ବଡକଥା ହେଉଛି ଏହି ଭାଇରସ ମଣିଷଙ୍କ ବ୍ୟତିତ ପଶୁଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି । ଚୀନରେ କାମ କରୁଥିବା ଭାରୀତୟ ମାନଙ୍କ ଜରିଆରେ ଏହି ଭାଇରସ ଭାରତକୁ ପ୍ରବେଶ କରିବାର ଆଶଙ୍କା ମଧ୍ୟ ରହିଛି ।