କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରରେ ସେନା ବୃଦ୍ଧିକୁ ମୋଦି ସରକାରଙ୍କ ଏକ ନିଷ୍ପତି ବୋଲି କୁହାଯାଉଛି । ଘାଟିରେ ବହୁସଂଖ୍ୟାରେ ସେନା ମୁତୟନ ପରେ ଆର୍ଟିକିଲ ୩୫-ଏ ଏବଂ ଆର୍ଟିକିଲ ୩୭୦ ଉଚ୍ଛେଦ ହେବା ନେଇ ଆଶଙ୍କା କରିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା । ସମ୍ବିଧାନର ଏହି ଦୁଇ ଅନୁଚ୍ଛେଦ ବଳରେ ଜାମ୍ମୁ-କାଶ୍ମୀରକୁ କେତେକ ବିଶେଷ ଅଧିକାର ମିଳିଛି । ହେଲେ ଏହି ସ୍ୱତନ୍ତ୍ର ପ୍ରାବଧାନ, ଭାରତର ଭୂସ୍ୱର୍ଗକୁ ଭାରତଠାରୁ ଅଲଗା କରିଦେଉଥିବା ଅନୁମାନ କରୁଛନ୍ତି ମୋଦି ସରକାର । ଯେଉଁଥି ପାଇଁ ଏକ ବଡ ନିଷ୍ପତି କରିବାକୁ ଯୋଜନା ଚଳାଇଥିବା ଚର୍ଚ୍ଚା ହେଉଛି ।

Advertisment

publive-image

ଆର୍ଟିକିଲ ୩୫-ଏ କଣ?

- ୧୯୫୪ରେ ରାଷ୍ଟ୍ରପତିଙ୍କ ଆଦେଶରେ ସମ୍ବିଧାନରେ ଯୋଡା ଯାଇଥିଲା ଆର୍ଟିକିଲ ୩୫-ଏ

- ଏହି ଅନୁଚ୍ଛେଦ ଅନୁସାରେ ଜାମ୍ମୁ-କାଶ୍ମୀରର ସ୍ଥାୟୀ ସଦସ୍ୟତା ପରିଭାଷା ନିର୍ଦ୍ଧାରଣ ପାଇଁ ସେଠାକାର ବିଧାନସଭାକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି

- ରଜ୍ୟ ଯହାକୁ ସ୍ଥାୟୀ ସଦସ୍ୟ ଘୋଷଣା କରିବ, କେବଳ ସେହିମାନେ ଘାଟିରେ ସଂପତ୍ତି କ୍ରୟ କରିପାରିବେ ଓ ସରକାରୀ ଚାକିରି କରିପାରିବେ

- ଯଦି ଜାମ୍ମୁ-କାଶ୍ମୀରର କେହି ବ୍ୟକ୍ତି ରାଜ୍ୟ ବାହାରେ ବିବାହ କରନ୍ତି ତେବେ ସେଠାକାର ସ୍ଥାୟୀ ସଦସ୍ୟତା ହରାଇବେ

- ୧୯୫୪ରେ ସମ୍ବିଧାନର ଧାରା ୩୭୦ର ଉପଧାରା ୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଆଦେଶରେ ସମ୍ବିଧାନରେ ଅନୁଚ୍ଛେଦ ୩୫-ଏ କୁ ଯୋଡା ଯାଇଥିଲା

ହେଲେ ସମ୍ବିଧାନର ଏହି ଧାରାକୁ ଉଚ୍ଛେଦ କରିବା ଉପରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିଆସୁଛନ୍ତି ପୂର୍ବତନ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ତାଙ୍କ କହିବା ହେଲା ‘ଆର୍ଟିକିଲ ୩୫-ଏ ରେ ହାତ ମାରିବା ଅର୍ଥ ଡିନାମାଇଟରେ ହାତ ମାରିବା । ଏହା କେବଳ ହାତ ପୋଡିଦେବ ନାହିଁ ବରଂ ସମଗ୍ର ଶରୀରକୁ ପୋଡି ପାଉଁଶ କରିଦେବ ।’ ସେହିପରି କେନ୍ଦ୍ରର ଯୋଜନା ସଂପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଚିନ୍ତାବ୍ୟକ୍ତ କରିଆସୁଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଏ ପ୍ରସଙ୍ଗରେ ଆଲୋଚନା କରି ଓମାର କହିଥିଲେ ‘ବିଭିନ୍ନ ଆଡୁ ଅନୁରୋଧ ପାଇବା ପରେ, ବିଶେଷ କରି ମେହବୁବା ପୁଫତୀ ସାହିବାଙ୍କଠୁ ଅନୁରୋଧ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଚର୍ଚ୍ଚା କରିଛନ୍ତି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ସାହେବ । ଏହାପରେ ସେ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ସହ ମଧ୍ୟ ଚର୍ଚ୍ଚା କରିବେ ।’

publive-image

ଆର୍ଟିକିଲ ୩୭୦ କଣ ?

- ସମ୍ବିଧାନର ଧାରା ୩୭୦ ଅନୁସାରେ ପ୍ରତିରକ୍ଷା, ବିଦେଶ ନୀତି ଓ ଦୂରସଂଚାର ବିଶୟରେ ଜାମ୍ମୁ-କାଶ୍ମୀର ପାଇଁ ନୀତି ପ୍ରଣୟନ କରିପାରିବ କେନ୍ଦ୍ର

- କିନ୍ତୁ ଏହା ବାଦ କୌଣସି ବିଶୟ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ

- ଏହି ବିଶେଷ ଅଧିକାର କାରଣରୁ ଜାମ୍ମୁ-କାଶ୍ମୀରରେ ସମ୍ବିଧାନର ଧାରା ୩୫୬ ଲାଗୁ ହେବନାହିଁ

- ଯେଉଁଥିପାଇଁ ରାଜ୍ୟର ସମ୍ବିଧାନକୁ ବରଖାସ୍ତ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ କ୍ଷମତା ନାହିଁ

- ଜାମ୍ମୁ-କାଶ୍ମୀରବାସୀଙ୍କ ନିକଟରେ ଦୁଇ ଦୁଇଟି ନାଗରିକତା ଅର୍ଥାତ୍ ଭାରତ ଓ ଜାମ୍ମୁ-କାଶ୍ମୀର ନାଗରିକତା ରହିଛି

- ଏପରିକି ଭାରତୀୟ ସଂସଦ ମଧ୍ୟ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ସୀମିତ କ୍ଷେତ୍ରରେ ଆଇନ ପ୍ରଣୟନ କରିପାରୁଛି

- ଜାମ୍ମୁ-କାଶ୍ମୀରରେ ଜାତୀୟ ପତାକା ଅଲଗା ଏବଂ ଏଠାକାର ବାସିନ୍ଦା ଭାରତୀୟ ଜାତୀୟ ପାତାକାକୁ ସମ୍ମାନ ଜଣାଇବା ପାଇଁ ବାଧ୍ୟ ନୁହନ୍ତି

publive-image

ତେବେ ଲୋକସଭା ନିର୍ବାଚନ ପୂର୍ବରୁ ଘାଟିରେ ଆର୍ଟିକିଲ ୩୫-ଏ ଏବଂ ଆର୍ଟିକିଲ ୩୭୦କୁ ଉଚ୍ଛେଦ କରିବା ପାଇଁ ଘୋଷଣା କରିଥିଲେ ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତେଣୁ ଡୋଭାଲଙ୍କ ଗସ୍ତ ଏବଂ ଘାଟିରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନକୁ ଏହି ଘୋଷଣା ସହ ଯୋଡା ଯାଉଛି ।