୨୦ ପରେ କ’ଣ ହେବ କୋହଳ, କାହା ଉପରେ କଟକଣା ? ଇଙ୍ଗିତ ଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ; ଅଣ ହଟସ୍ପଟ୍ ଅଂଚଳରେ ଗ୍ରାମୀଣ ଅର୍ଥନୀତିକୁ ସ୍ୱାଭାବିକ କରିବାକୁ ନିଆଯାଇପାରେ ପଦକ୍ଷେପ

କୃଷି ସଂପର୍କୀତ ସବୁ କ୍ଷେତ୍ର ହୋଇପାରେ କଟକଣା ମୁକ୍ତ

1,005

କନକ ବ୍ୟୁରୋ: ଏପ୍ରିଲ ୨୦ ତାରିଖ ପରେ କେଉଁଠି କଟକଣା କୋହଳ ହେବ ଏବଂ କେଉଁଠି କଟକଣା ବଳବତର ରହିବ ସେ ନେଇ କେନ୍ଦ୍ର ସରକାରୃଙ୍କ ଗୃହ ବିଭାଗ ସଙ୍କେତ ଦେଇଛି । ହଟସ୍ପଟ୍ ଅଂଚଳ ତଥା କଂଟେନମେଂଟ୍ ଅଂଚଳକୁ ବାଦ ଦେଇ ଅନ୍ୟ ସ୍ଥାନରେ ଗ୍ରାମିଣ ଅର୍ଥନୀତିକୁ ଆଖି ଆଗରେ ରକି କିଛି କଟକଣା ପ୍ରତ୍ୟାହାର କରାଯାଇପାରେ । କୃଷି ସମ୍ପର୍କିତ ପ୍ରାୟ ସମସ୍ତ କ୍ଷେତ୍ରକୁ ଅଣ-ହଟସ୍ପଟ୍ ଅଂଚଳରେ ସମ୍ପୂର୍ଣ୍ଣ ଭାବେ କଟକଣା ମୁକ୍ତ କରାଯିବାର ସମ୍ଭାବନା ଅଛି ।

ଅନ୍ୟପଟେ ହଟସ୍ପଟ୍ ବା ଅଧିକ ପ୍ରଭାବିତ ଅଂଚଳରେ ଏଣିକି ପୁଲ ଟେଷ୍ଟ ବା କମ୍ ସମୟରେ ଅଧିକ ଲୋକଙ୍କ ପରୀକ୍ଷା କରାଯାଇ ପାରିବ । ବିଶେଷକରି ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ହଟସ୍ପଟ୍ ଅଂଚଳରେ ଏହି ପୁଲ ଟେଷ୍ଟ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କରୋନା ନମୂନା ପରୀକ୍ଷା କିଟ୍ର ଅଭାବ, ବ୍ୟୟବହୁଳ ଓ ସମୟ ସାପେକ୍ଷ ପରୀକ୍ଷା ଭଳି ସମସ୍ୟାକୁ ଦୂର କରିବା ପାଇଁ ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ପୁଲ ଟେଷ୍ଟିଂ ପାଇଁ ଆଡଭାଇଜରୀ ଜାରି କରିଛି ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମ୍ଆର୍ ।

ପୁଲ ଟେଷ୍ଟିଂ ହେଉଛି – ସର୍ବାଧିକ ପାଂଚ ଜଣଙ୍କ ସ୍ୱାବ ସଂଗ୍ରହ କରି ଏକାଠି କରାଯିବ । ଏହାକୁ ଏକକ ସାମ୍ପଲ ଭାବେ ନିଆଯାଇ ପରୀକ୍ଷା କରାଯିବ । ଯଦି ଏହା ନେଗେଟିଭ୍ ଆସେ, ତେବେ ସମସ୍ତ ୫ ଜଣ କରୋନା ନେଗେଟିଭ୍ ବୋଲି ଘୋଷଣା କରାଯିବ । ଯଦି ଏହି ନମୁନା ପଜିଟିଭ୍ ଆସେ, ତେବେ ୫ ଜଣଙ୍କ ଅଲଗା ଅଲଗା ପରୀକ୍ଷା କରାଯାଇ କାହାର ପଜିଟିଭ୍ ଅଛି ଚିହ୍ନଟ କରାଯିବ । ବିଶେଷ କରି ଯେଉଁ ଅଂଚଳର ସଂକ୍ରମଣ ହାର କମ୍ ରହିଛି, ସେଠାରେ ପୁଲ ଟେଷ୍ଟିଂ ପଦ୍ଧତି ଗ୍ରହଣ କରାଯିବ । ଫଳରେ କମ ସମୟରେ ଓ କମ୍ ଖର୍ଚ୍ଚ ବା କିଟ୍ ବ୍ୟବହାର କରି ଅଧିକ ଲୋକଙ୍କ ପରୀକ୍ଷା କରିବା ସମ୍ଭବ ହେବ । ଯେଉଁ ଅଂଚଳରେ ପଜିଟିଭ୍ ହାର ୫ ପ୍ରତିଶତରୁ ଅଧିକ ସେହି ଅଂଚଳରେ ପୁଲ ଟେଷ୍ଟିଂ ବା ନମୁନା ଏକାଠି କରି ପରୀକ୍ଷା କରାଯିବ ନାହିଁ ବୋଲି ଆଇସିଏମ୍ଆର୍ ସ୍ପଷ୍ଟ କରିଛି । ଓଡ଼ିଶାରେ ସଂକ୍ରମଣ ହାର ଏକ ପ୍ରତିଶତରୁ କମ୍ ଥିବାରୁ ପୁଲ ଟେଷ୍ଟିଂ ଫଳପ୍ରଦ ହେବ ବୋଲି ବିଚାର କରାଯାଉଛି ।