ଭାରତ-ପାକିସ୍ତାନ ଯୁଦ୍ଧ ହେଲେ ମରିଯିବେ ୨୦୦ କୋଟି ଲୋକ । ଛାଇଯିବ ପରମାଣୁ ଶୀତ, ଆକାଶରେ ଦିଶିବନି ସୂର୍ଯ୍ୟ ।

1,398

କନକ ବ୍ୟୁରୋ: ରୁଷ ୟୁକ୍ରେନ୍ ଯୁଦ୍ଧ ଚାଲିଛି । ଚୀନ୍ ଆଉ ତାଇୱାନ ଭିତରେ ସଂଘର୍ଷ ଲାଗି ରହିଛି । ଆଉ ଏହାରି ଭିତରେ ଯେଉଁ ରିପୋର୍ଟ ଆସିଛି, ତାହା ଆପଣଙ୍କୁ ଭୟଭୀତ କରିଦେବ । ଭାରତ-ପାକିସ୍ତାନ ଭିତରେ ଯଦି ପରମାଣୁ ଯୁଦ୍ଧ ହୁଏ, ତେବେ କୋଟିଏ କି ଦୁଇ କୋଟି ନୁହଁ ବରଂ ୨୦୦ କୋଟି ଲୋକଙ୍କ ଅକାଳରେ ଜୀବନ ଯିବ ।

ଭାରତ ଆଉ ପାକିସ୍ତାନ ଉଭୟ ଦେଶ ପରମାଣୁ ଶକ୍ତି ସମ୍ପନ୍ନ । ଦୁଇ ଦେଶଙ୍କ ପାଖରେ ଭୟାନକ ପରମାଣୁ ହତିଆର ମହଜୁଦ ହେଇ ରହିଛି । ତେଣୁ ଦୁଇ ଦେଶ ଯଦି ପରସ୍ପର ବିରୋଧରେ ଯୁଦ୍ଧ ଲଢନ୍ତି, ତେବେ ପାଖାପାଖି ୧୦୦ଟି ପରମାଣୁ ଅସ୍ତ୍ରର ପ୍ରୟୋଗ ହେବ । ଆଉ ଏହି ଅସ୍ତ୍ରର ପ୍ରଭାବ ଏତେ ପଡିବ ଯେ, କେଇ ମିନିଟ୍ ଭିତରେ ହିଁ ଅଢେଇ କୋଟି ଲୋକ ମରିଯବେ । ପରମାଣୁ ବୋମା ପଡିବା ପରେ, ଯଦି ବି ଅନେକ ଲୋକ ବଞ୍ଚିଯିବେ, ଖାଦ୍ୟ ପାନୀୟ ଅଭାବରୁ ଭୋକରେ ସେମାନଙ୍କର ବି ମୃତ୍ୟୁ ଘଟିବ ବୋଲି ଦ ନେଚର ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି । ଯାହାକି ଏବେ ଅନେକଙ୍କୁ ଭୟଭୀତ କରିସାରିଲାଣି ।

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ହେଲେ, ଏହା କେବଳ ଦୁଇ ଦେଶ ଭିତରେ ସୀମିତ ରହିବ ତାହା ଭାବିବା ବି ଭୁଲ୍ ହୋଇଯିବ । ଭାରତ-ପାକିସ୍ତାନ ଯୁଦ୍ଧ ହେଲେ ବିଶ୍ୱର ମହାଶକ୍ତିମାନେ ମଧ୍ୟ ଯୁଦ୍ଧ ଭୂମିକୁ ଓହ୍ଲାଇ ପଡିବେ । ଆଉ ଏହାର ପରିଣାମ ବେଶ ଭୟଙ୍କର ହୋଇପାରେ । ସ୍ଥିତି ଏମିତି ହେବ ଯେ, ଯେଉଁ ଦେଶ ଯୁଦ୍ଧ ନ ଲଢିବେ, ସେମାନଙ୍କ ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିବ । ଆଉ ବିଶ୍ୱର ଅବସ୍ଥା ହିଁ ପୂରାପୂରି ବିଗିଡିଯିବ ।

ଦୁଇ ଦେଶ ଭିତରେ ଯଦି ପରମାଣୁ ଯୁଦ୍ଧ ହୁଏ, ତେବେ ବିଶ୍ୱର ଚିତ୍ର ଷ୍ଟେରୋଏଡ୍ ଆକ୍ରମଣ ପରେ ଡାଏନସୋର ଯୁଗର ଅନ୍ତ ଭଳି ହୋଇଯିବ । ପରମାଣୁ ବିସ୍ଫୋରଣରୁ ଯେଉଁ ପାଉଁଶ ଆଉ ଧୂଆଁ ସୃଷ୍ଟି ହେବ, ତା ପ୍ରଭାବରେ ସାରା ବିଶ୍ୱରେ ‘ପରମାଣୁ ଶୀତ’ ଛାଇଯିବ । ଯାହାକି ୪୦ ବର୍ଷ ଯାଏଁ ଜାରି ରହିବ । ଏହି ସମୟରେ ଧୂଳି, ଧୂଆଁ, ପାଉଁଶ ସବୁ ବାୟୁମଣ୍ଡଳକୁ ଯାଇ ପୃଥିବୀକୁ ଅନ୍ଧାର କରି ରଖିବ ଆଉ ସୂର୍ଯ୍ୟ ପୃଥିବୀ ପାଇଁ ଅଦୃଶ୍ୟ ହୋଇଯିବ ।

ପରମାଣୁ ଯୁଦ୍ଧ ବିଷୟରେ ଜାଣିବା ସହିତ, ବିଶ୍ୱର କେଉଁ କେଉଁ ଦେଶ ଏହି ଭୟାନକ ଶକ୍ତିର ଅଧିକାରୀ ତା ବିଷୟରେ ବି ଜାଣିନିଅନ୍ତୁ । ଦୁନିଆରେ କେବଳ ଏମିତି ୯ଟି ଦେଶ ଅଛନ୍ତି, ଯେଉଁମାନଙ୍କ ପାଖରେ ପରମାଣୁ ଅସ୍ତ୍ର ରହିଛି । ଭାରତ ସହିତ ଆମେରିକା, ରୁଷ, ୟୁନାଇଟେଡ୍ କିଙ୍ଗଡମ୍, ଫ୍ରାନ୍ସ ପାଖରେ ପରମାଣୁ ଅସ୍ତ୍ର ରହିଛି । ତା ସହିତ ଚୀନ୍, ପାକିସ୍ତାନ, ଇସ୍ରାଏଲ, ଆଉ ଉତର କୋରିଆ ପାଖରେ ମଧ୍ୟ ପରମାଣୁ ଶକ୍ତିର ଅଧିକାରୀ ।

• ରୁଷ ପାଖରେ ୫୯୭୭

• ଆମେରିକା ପାଖରେ ୫୪୨୮

• ଚୀନ୍ ପାଖରେ ୩୫୦

• ଫ୍ରାନ୍ସ ପାଖରେ ୨୯୦

• ୟୁକେ ପାଖରେ ୨୨୫

• ପାକିସ୍ତାନ ପାଖରେ ୧୬୫

• ଭାରତ ପାଖରେ ୧୬୦

• ଇସ୍ରାଏଲ ପାଖରେ ୯୦

• ଉତ୍ତର କୋରିଆ ପାଖରେ ୨୦ଟି ପରମାଣୁ ଅସ୍ତ୍ର ରହିଛି । ଯାହାକି ବିଶ୍ୱକୁ ପୂରାପୂରି ଭାବେ ଧ୍ୱଂସ କରିବାକୁ ଯଥେଷ୍ଟ ହେବ ।

ଭାରତ ୧୯୯୯ ମସିହାରେ ‘ନୋ ଫାଷ୍ଟ ୟ୍ୟୁଜ୍’ ପରମାଣୁ ନୀତି ଘୋଷଣା କରିଥିଲା । ଅର୍ଥାତ ଭାରତ କେବେ ବି ନିଜ ଆଡୁ ପ୍ରଥମେ ପରମାଣୁ ଶକ୍ତିର ବ୍ୟବହାର କରିବନି । ହେଲେ ଯଦି ଅନ୍ୟ କୌଣସି ଦେଶ ଭାରତ ଉପରେ ପ୍ରଥମେ ଆକ୍ରମଣ କରନ୍ତି, ତେବେ ଭାରତ ଏହାର ସାହାରା ନେବ । ଅନ୍ୟପଟେ ପାକିସ୍ତାନରେ କିନ୍ତୁ, ସେଭଳି କୌଣସି ବି ପରମାଣୁ ନୀତି ନାହିଁ । ତେଣୁ ଯଦି ବି ଭାରତ-ପାକିସ୍ତାନ ଭିତରେ ପରମାଣୁ ଯୁଦ୍ଧ ହୁଏ, ତେବେ ଏହା ପ୍ରଥମେ ପାକିସ୍ତାନ ପକ୍ଷରୁ ହିଁ ଆରମ୍ଭ ହେବ । ଆଉ ଏହାର ଜବାବ୍ ଦେବାକୁ ଭାରତ ମଧ୍ୟ ପରମାଣୁ ଅସ୍ତ୍ରର ସାହାଯ୍ୟ ନେବ ।