କନକ ବ୍ୟୁରୋ : ଯଦି ପୃଥିବୀରେ କୌଣସି ଲୋକର ମୃତ୍ୟୁ ହୋଇଥାଏ ତେବେ ଯଥାଶୀଘ୍ର ଆମେ ତାର ଶବ ସଂସ୍କାର କରିଦେଇଥାଉ । ଯଦି ମହାକାଶରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୁଏ ତେବେ କଣ କରାଯିବ । ଏନେଇ ମତ ରଖିଛନ୍ତି ମହାକାଶ ଯାତ୍ରୀ ଟେରୀ ଭିର୍ଟସ୍ । ସେ କହିଛନ୍ତି କି ମହାକାଶଚାରୀଙ୍କ ପାଇଁ ମହାକାଶରେ ମୃତ୍ୟୁ ହେବା ସବୁଠାରୁ ବିପଦର କଥା ।
ସେପଟେ ମହାକାଶରେ ଶବକୁ ଷ୍ଟୋର କରିବା ପାଇଁ କୌଣସି ସୁବିଧା ନଥିବା ବେଳେ ଅଭିଯାନ ଶେଷ ହେବା ଯାଏ ବି ଅପେକ୍ଷା କରିବା ସମ୍ଭବ ହୋଇ ନଥାଏ । ଏଣୁ ଯଦି କୌଣସି ମହାକାଶ ଯାତ୍ରୀଙ୍କର ମହାକାଶରେ ମୃତ୍ୟୁ ହୋଇଥାଏ ତେବେ ଶବକୁ ଏୟାରଲାକ ରେ ପ୍ୟାକ କରି ମହାକାଶରେ ଛାଡି ଦିଆଯାଇଥାଏ । ସେଠାରେ ମୃତ ଶରୀରଟି ଥଣ୍ଡାରେ ରହି ପୁରା ଆଇସି ମମି ପାଲଟି ଯାଏ ।
ଅନ୍ୟପଟେ ସେଠାରେ ଏୟାରଲାକରେ ଶବକୁ ଛାଡିବା ବି ବିପଦମୁକ୍ତ ନୁହେଁ । ଏକଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନାସା ତରଫରୁ ଆପୋଲ ମିଶାନ କ୍ରମରେ ମହାକାଶ ସୁଟର ଟେଷ୍ଟ କରାଯାଇଥିଲା । ଏହି ଟେଷ୍ଟରୁ ଜଣାପଡିଲା ଯେ ମହାକାଶରେ ପ୍ରେସର କାରଣରୁ ମୃତ ଶରୀର ବିସ୍ଫୋରଣ ହୋଇପାରେ ।
ଏହାସହ ସେଠାରେ ଯଦି ଶବଟି କାହା ସହିତ ଧକ୍କା ହୋଇ ନଷ୍ଟ ହୋଇନଯାଏ ତେବେ ତାହା ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ମହାକାଶରେ ରହିବ । ସେପଟେ ମହାକାଶଚାରୀମାନେ କହିଛନ୍ତି କି ମହାକାଶରୁ ପୃଥିବୀକୁ ଶବ ଆଣିବାକୁ ହେଲେ କିଛି ମାସ ଲାଗିଯିବ । ତେଣୁ ଯଦି ମହାକାଶରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୁଏ ତେବେ ଶବକ ନଷ୍ଟ କରିବାକୁ ଅନ୍ୟ କିଛି ଉପାୟ କରିବାକୁ ପଡିବ । ଯାହା ମଧ୍ୟରେ ଶବକୁ ସେଠାରେ ପ୍ୟାକିଂ କରି ଛାଡିଦେବା, ମଙ୍ଗଳ ଗ୍ରହରେ ଜଳାଇ ଦେବା ଭଳି ବ୍ୟବସ୍ଥା କରାଯାଇ ପାରିବ । ତେଣୁ ଏନେଇ କିଛି ସ୍ପଷ୍ଟ ଯୋଜନା ହୋଇନାହିଁ ।
‘ଡେଲି ଷ୍ଟାର’ ର ରିପୋର୍ଟ ମୁତାବକ ଏପର୍ଯ୍ୟନ୍ତ ମୋଟ ୩ ଜଣ ମହାକାଶଚାରୀଙ୍କର ମହାକାଶରେ ମୃତ୍ୟୁ ହୋଇଛି । ଏନେଇ ସ୍ୱିଡେନର ପ୍ରୋମେସା ନାମକ ଏକ କମ୍ପାନୀ ‘ସ୍ପେସ କଫିନ’ ନିର୍ମାଣ କରିବା ଦିଗରେ କାମ କରୁଛି । ଏହା ଦ୍ୱାରା ଏକ ମୃତ ଶରୀରକୁ ବରଫରେ କ୍ରିଷ୍ଟାଲ ଫ୍ରିଜ୍ କିମ୍ବା ଡ୍ରାଏ ଟେବଲେଟ ରେ ରଖାଯାଇ ପାରିବ ।